
ଭବାନୀପାଟଣା, ୨୨ ଅକ୍ଟୋବର (ହି.ସ.)- ଆଜି ବିଭିନ୍ନ ପର୍ବ ଓ ପର୍ବାଣୀ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ ପ୍ରେରଣ ପ୍ରଣାଳୀକୁ ସହଜ ଓ ସୁଗମ କରିବା ଦିଗରେ ରାଜ୍ୟ ସରକାର ଆମ କଳାକାର ( ସି ଟି ଏମ ଏସ -୨) ୱେବ୍ ପୋର୍ଟାଲ ମାଧ୍ୟମରେ କଳାକାର ମାନଙ୍କ ପଞ୍ଜୀକରଣ କରୁଛନ୍ତି। ଏହି ବ୍ୟବସ୍ଥା ଦ୍ୱାରା ଏଣିକି ପଞ୍ଜୀକୃତ ସାଂସ୍କୃତିକ ଦଳସି ଟି ଏମ ଏସ -2 ବା ସାଂସ୍କୃତିକ ଦଳ ପରିଚାଳନା ପ୍ରଣାଳୀ ପୋର୍ଟାଲ ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରେ ନିଜର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିପାରିବେ। ଏଥିରେ ଜିଲ୍ଲା ସଂସ୍କୃତି ବିଭାଗର ସୁପାରିଶ ବା ଉଲ୍ଲେଖର କୌଣସି ଆବଶ୍ୟକ ରହିବ ନାହିଁ।
ଏହି ପରିପେକ୍ଷୀରେ ଆଜି ସ୍ଥାନୀୟ ଟାଉନ ହଲ ଠାରେ ଆମ କଳାକାରଅନ୍ତର୍ଗତ ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟାର ଶୁଭାରମ୍ଭ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ବିଶିଷ୍ଟ ଅତିଥି ସହ ନିର୍ଦ୍ଦେଶକ ସଂସ୍କୃତି ବିଭାଗ ତଥା ଆମ କଳାକାର ଜିଲ୍ଲା ପର୍ଯ୍ୟବେକ୍ଷକ ଅକ୍ଷୟ କୁମାର ସେଠୀଙ୍କ ସମେତ ଶିକ୍ଷାବିତ୍ ଡକ୍ଟର ଅଜୟ ମିଶ୍ର, ଶିକ୍ଷାବିତ୍ ଡଃ. ଉମେଶ ଚନ୍ଦ୍ର ଶତପଥୀ, ଗବେଷକ ଡଃ. ପରମେଶ୍ୱର ମୁଣ୍ଡ, ଡି ଆଇ ପି ଆର୍ ଓ ମନୋଜ ବେହେରା, ଡି ପି ଇ ଓ ରୂପ ସିଂ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ବୈଠକର ଉଦ୍ଦେଶ୍ୟ ଓ ଜିଲ୍ଲା ସ୍ତରୀୟ ଚୟନ ପ୍ରକ୍ରିୟାର ରୂପ ରେଖ ଉପରେ ସମ୍ୟକ ସୂଚନା ଦେଇଥିଲେ। ବିଶିଷ୍ଟ ସଂଚାଳକ ସତ୍ୟ ନାରାୟଣ ମହାପାତ୍ର ସଭା ସଂଚାଳନ କରିଥିଲେ।
ଜିଲ୍ଲାରେ ବର୍ତ୍ତମାନ ଏହି ପୋର୍ଟାଲ ମାଧ୍ୟମରେ ୨୭୧ଟି ସାଂସ୍କୃତିକ ଅନୁଷ୍ଠାନ ଓ କଳାକାର ନିଜକୁ ପଞ୍ଜୀକୃତ କରିଛନ୍ତି ଏବଂ ଏହି ଚୟନ ପ୍ରକ୍ରିୟାର ସାମିଲ ହୋଇ ନିଜର କଳା ପ୍ରଦର୍ଶନ କରି ମନୋନୀତ ହେବେ। ଜିଲ୍ଲାର ଲୋକ ସଙ୍ଗୀତ, ଲୋକ ନୃତ୍ୟ, ଲୋକ ବାଦ୍ୟ, ସଂକୀର୍ତ୍ତନ, ଢାପ, ବଜା ଶାଲ, ଘୁମୁରା ଏଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନିଜସ୍ୱ କଳା ପ୍ରଦର୍ଶନ କରିବେ। ଏହି ଚୟନ ପ୍ରକ୍ରିୟା ଆଜିଠାରୁ ଟାଉନ ହଲ, ରେଡ଼କ୍ରସ କଲ୍ୟାଣ ମଣ୍ଡପ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ଟାଉନ ହଲରେ ବିଭିନ୍ନ ବ୍ଲକରୁ ଆସିଥିବା କଳାକାର ମାନଙ୍କ ସହ ପ୍ରତିଭା ଅନୁଷ୍ଠାନର ଧ୍ୟାନ ପଣ୍ଡା, ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ଅକ୍ଷୟ କୁମାର ଦାସ, ଶୁଭମ୍ ଅନୁଷ୍ଠାନର ସୁଶାନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ