ଚମ୍ପୁଆ-ରିମୁଳି ଜାତୀୟ ରାଜପଥ ପାଲଟିଛି ‘ମରଣ ଯନ୍ତା’: ଭାରସାମ୍ୟ ହରାଇ ଓଲଟିଲା କାର, ଅଳ୍ପକେ ବର୍ତିଲେ ୫ ଯୁବକ
ଚମ୍ପୁଆ, ୨୨ ଅକ୍ଟୋବର (ହି.ସ.)-ରିମୁଳି ଜାତୀୟ ରାଜପଥରେ ପୁଣି ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର୍ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିବା ବେଳେ ଗାଡ଼ିରେ ଥିବା ୫ ଜଣ ଯୁବକ ଅଳ୍ପକେ ମୃତ୍ୟୁମୁଖରୁ ବର୍ତି ଯାଇଛନ୍ତି। ସୌଭାଗ୍ୟବଶତଃ ସମସ୍ତଙ୍କ ଜୀବନ ରକ୍ଷା ପାଇଯାଇଥିଲେ ମଧ୍
ଓଲଟିଥିବା କାର


ଚମ୍ପୁଆ, ୨୨ ଅକ୍ଟୋବର (ହି.ସ.)-ରିମୁଳି ଜାତୀୟ ରାଜପଥରେ ପୁଣି ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର୍ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିବା ବେଳେ ଗାଡ଼ିରେ ଥିବା ୫ ଜଣ ଯୁବକ ଅଳ୍ପକେ ମୃତ୍ୟୁମୁଖରୁ ବର୍ତି ଯାଇଛନ୍ତି। ସୌଭାଗ୍ୟବଶତଃ ସମସ୍ତଙ୍କ ଜୀବନ ରକ୍ଷା ପାଇଯାଇଥିଲେ ମଧ୍ୟ ସେମାନେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଆଜି ସକାଳୁ ଚମ୍ପୁଆ ମୁସଲିମ ବସ୍ତିର ୫ ଜଣ ଯୁବକ ଏକ କାରରେ କେନ୍ଦୁଝର ଅଭିମୁଖେ ବାହାରିଥିଲେ। ତେବେ ପତଳା ନିକଟସ୍ଥ ରଜିଆ ନାଳ ପାଖରେ କାରଟି ହଠାତ ନିଜର ଭାରସାମ୍ୟ ହରାଇ ବସିଥିଲା ଏବଂ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଗାଡ଼ିଟି ସମ୍ପୂର୍ଣ୍ଣ ଓଲଟି ଯାଇଥିଲା।

ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳକୁ ଦୌଡ଼ି ଯାଇଥିଲେ। ସେମାନେ ଗାଡ଼ି ଭିତରୁ ସମସ୍ତ ୫ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରିଛନ୍ତି। ସମସ୍ତେ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଅପରପକ୍ଷରେ, ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ପ୍ରଶାସନ ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଚମ୍ପୁଆ-ରିମୁଳି ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ଯୋଗୁଁ ଏହା ଏବେ ଏକ ପ୍ରକାର ମରଣ ଯନ୍ତା' ସଦୃଶ ହୋଇଯାଇଛି। ରାସ୍ତାର ଦୁରାବସ୍ଥା କାରଣରୁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଏହା ସତ୍ୱେ ମଧ୍ୟ ସମ୍ପୃକ୍ତ ବିଭାଗ କିମ୍ବା ସ୍ଥାନୀୟ ପ୍ରଶାସନ ଏଥିପ୍ରତି ସମ୍ପୂର୍ଣ୍ଣ ଅଣଦେଖା କରୁଥିବାରୁ ଜନସାଧାରଣଙ୍କ ମଧ୍ୟରେ କ୍ରୋଧ ଓ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସ୍ଥାନୀୟ ଲୋକେ ତୁରନ୍ତ ଏହି ରାସ୍ତାର ମରାମତି ଏବଂ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି କରିଛନ୍ତି।

----------------

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande