ଇବ୍ ତଟ ସୌନ୍ଦର୍ଯ୍ୟକରଣ; ବ୍ରଜରାଜନଗରରେ ବଢ଼ିବ ପର୍ଯ୍ୟଟକଙ୍କ ଆକର୍ଷଣ
Collector visit Beautification area
ଇବ୍ ତଟ ସୌନ୍ଦର୍ଯ୍ୟକରଣ;


ଝାରସୁଗୁଡା, ୨୨ ଅକ୍ଟୋବର (ହି.ସ.)- ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ପ୍ରସିଦ୍ଧ ମା’ ରାମଚଣ୍ଡୀ ମନ୍ଦିରର ପଛପଟ ଇବ୍ ନଦୀ ତଟରେ ଏକ ଆକର୍ଷଣୀୟ ନୂତନ ପିକନିକ୍ ସେଣ୍ଟର ତଥା ମନୋରଞ୍ଜନ କ୍ଷେତ୍ର ବିକଶିତ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ତତ୍ତ୍ୱାବଧାନ ଓ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ 'ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା' ଏବଂ ଏମ୍ସିଏଲ୍ ସିଏସ୍ଆର୍ ପାଣ୍ଠିର ସମନ୍ୱୟ ମାଧ୍ୟମରେ ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସଫଳତାର ସହ କରାଯାଇଛି।

ପୂର୍ବରୁ ଏହି ସ୍ଥାନଟି ଘଞ୍ଚ ଝାଡ଼ଜଙ୍ଗଲ ଓ ଅପରିଷ୍କାର ପରିବେଶ ମଧ୍ୟରେ ଅବ୍ୟବହୃତ ହୋଇ ପଡ଼ିରହିଥିଲା। ବ୍ରଜରାଜନଗର ପୌରପାଳିକା ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏଠାରେ ପ୍ରାୟ ୪୦୦ ମିଟର ଦୀର୍ଘ ଜଙ୍ଗଲିଆ ରାସ୍ତାର ଉନ୍ନତିକରଣ କରାଯାଇ ପେଭର ବ୍ଲକ୍ ବିଛାଯାଇଛି ଏବଂ ଜନସାଧାରଣ ତଥା ଶ୍ରଦ୍ଧାଳୁଙ୍କ ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣ ପାଇଁ ୱାକ୍-ୱେ ନିର୍ମାଣ କରାଯାଇଛି। ଏହାସହ ଏକ ମୁକ୍ତ ପରିବେଶ ମଧ୍ୟରେ ପିକ୍ନିକ୍ କରିବାକୁ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ୩ଟି ସୁନ୍ଦର ପିଣ୍ଡି ନିର୍ମାଣ କରାଯାଇଛି।

ଏହି ଉଲ୍ଲେଖନୀୟ ରୂପାନ୍ତରଣ ପଛରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ଓ ସକ୍ରିୟ କାର୍ଯ୍ୟଶୈଳୀ ମୁଖ୍ୟ ଭୂମିକା ଗ୍ରହଣ କରିଛି। ପ୍ରକଳ୍ପର ପ୍ରାରମ୍ଭରୁ ହିଁ ଜିଲ୍ଲାପାଳ ନିଜେ କ୍ଷେତ୍ର ପରିଦର୍ଶନ କରିବା ସହ କ୍ରମାଗତ ଭାବେ ସମୀକ୍ଷା କରିଆସୁଥିଲେ। କାର୍ଯ୍ୟର ମାନ, ସୌନ୍ଦର୍ଯ୍ୟକରଣ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ ଶେଷ କରିବା ଲାଗି ସେ ପୌରପାଳିକା ତଥା ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ସହିତ ନିରନ୍ତର ସମୀକ୍ଷା ବୈଠକ କରି ଆବଶ୍ୟକୀୟ ଦିଗଦର୍ଶନ ଦେଇଆସୁଥିଲେ। ଏହି ନୂତନ ପ୍ରକଳ୍ପ ଦ୍ୱାରା ବ୍ରଜରାଜନଗର ତଥା ଆଖପାଖ ଅଞ୍ଚଳରେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଘଟିବା ସହ ଛୁଟିଦିନରେ ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ସମୟ ବିତାଇବା ପାଇଁ ଏକ ପ୍ରାକୃତିକ ପରିବେଶ ସୃଷ୍ଟି ହୋଇପାରିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦ୍ୱିତୀୟ ପର୍ଯ୍ୟାୟରେ ଚଣ୍ଡୀ ମନ୍ଦିର ପର୍ଯ୍ୟନ୍ତ ଟ୍ରାକ ନିର୍ମାଣ କରାଯିବ ସହିତ ଜନ ସାଧାରଣଙ୍କ ନିମନ୍ତେ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବାର ପ୍ରସ୍ତାବ ରହିଛି ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande