କଲେଜ ସମ୍ମୁଖରେ ଦୁର୍ଘଟଣା ଆଶଙ୍କା, ସ୍ପିଡ୍ ବ୍ରେକର ନିର୍ମାଣ ଦାବି ଜୋରଦାର
Demand for speed breaker in front of college
କଲେଜ ସମ୍ମୁଖରେ ଦୁର୍ଘଟଣା ଆଶଙ୍କା, ସ୍ପିଡ୍ ବ୍ରେକର ନିର୍ମାଣ ଦାବି


ଝାରସୁଗୁଡ଼ା, ୨୨ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ଲଇକେରାସ୍ଥିତ ପଂଚାୟତ ସମିତି ମହାବିଦ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତାରେ ସ୍ପିଡ୍ ବ୍ରେକର ନଥିବାରୁ ଦୁର୍ଘଟଣା ଆଶଙ୍କା ବୃଦ୍ଧି ପାଉଛି। ଏହାକୁ ନେଇ କଲେଜର ମୁଖ୍ୟ ଫାଟକ ସମ୍ମୁଖରେ ତୁରନ୍ତ ସ୍ପିଡ୍ ବ୍ରେକର ନିର୍ମାଣ ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଏବଂ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି।

ସୂଚନା ଅନୁଯାୟୀ, ପ୍ରତିଦିନ ଏହି ମହାବିଦ୍ୟାଳୟକୁ ଶହ ଶହ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ଯାତାୟାତ କରୁଛନ୍ତି। ଅନ୍ୟପକ୍ଷରେ କଲେଜ ସମ୍ମୁଖ ମୁଖ୍ୟ ରାସ୍ତାରେ ବାଇକ୍, କାର୍ ସମେତ ଭାରୀଯାନଗୁଡ଼ିକ ଦ୍ରୁତ ଗତିରେ ଚଳାଚଳ କରୁଥିବାରୁ ରାସ୍ତା ପାର ହେବା ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି ହେଉଛି। ଏହି ସ୍ଥାନରେ ସ୍ପିଡ୍ ବ୍ରେକର ଓ ସଚେତନତା ସୂଚକ ଫଳକ ନଥିବାରୁ ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ରହିଛି।

ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ଜିଲ୍ଲା ଛାତ୍ର ସାମ୍ମୁଖ୍ୟର ସାଧାରଣ ସମ୍ପାଦକ ସମ୍ବିତ ନାଏକ ଓ ଲଇକେରା ବ୍ଲକ ସଂଯୋଜକ ବାପି ନାଏକ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ଜଣାଇଛନ୍ତି। ଜିଲ୍ଲା ପ୍ରଶାସନ, ସ୍ଥାନୀୟ ବିଡିଓ ଓ ପୂର୍ତ ବିଭାଗ ଏହି ଦିଗରେ ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ମୌଖିକ ନିବେଦନ କରାଯାଇଛି।

ଏଥିସହ ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ଛାତ୍ରନେତା ଓ ସ୍ଥାନୀୟ ଅଂଚଳବାସୀ ଚେତାବନୀ ଦେଇଛନ୍ତି।

ଏ ସମ୍ପର୍କରେ ପୂର୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଜେ. କେ. ମେହେରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରି ନଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande