
ଝାରସୁଗୁଡ଼ା, 22 ଅକ୍ଟୋବର (ହି.ସ.): ରାସ୍ତା ଲୋକଙ୍କ ସୁରକ୍ଷିତ ଯାତାୟାତ ପାଇଁ, ନା ଦୁର୍ଘଟଣାକୁ ନିମନ୍ତ୍ରଣ ଦେବା ପାଇଁ? ଝାରସୁଗୁଡ଼ା ଜିଲ୍ଲାର ଜାତୀୟ ରାଜପଥ-୪୯ ଅନ୍ତର୍ଗତ କୋଲାବିରା ବ୍ଲକର ରଘୁନାଥପାଲି ଛକରେ ଦୀର୍ଘ ଛଅ ମାସ ହେଲା ସୃଷ୍ଟି ହୋଇଥିବା ବିପଦପୂର୍ଣ୍ଣ ଖାଲକୁ ନେଇ ଏବେ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ରାଜପଥରେ ଯାତାୟାତ କରୁଥିବା ଯାତ୍ରୀଙ୍କ ପାଇଁ ଏହି ଖାଲ ଦୁର୍ଘଟଣାର ଫାଶ ପାଲଟିଥିବା ବେଳେ ଦାୟିତ୍ୱରେ ଥିବା ବିଭାଗର ନିରବତାକୁ ନେଇ ପ୍ରଶ୍ନ ଉଠିଛି।
ରାସ୍ତାର ଗୋଟିଏ ପାର୍ଶ୍ୱରେ ପ୍ରାୟ ୩ରୁ ୪ ଫୁଟ ଅଞ୍ଚଳର ପିଚୁ ଉଠିଯାଇ ତଳେ ଥିବା ମେଟାଲ ପଥର ବାହାରକୁ ଦେଖାଯାଉଛି। ଏହି ଖରାପ ରାସ୍ତା ଦେଇ ଦୈନିକ ଶତାଧିକ ଯାନବାହନ ଯାତାୟାତ କରୁଥିବା ବେଳେ ଅନେକ ଚାଳକ ଖାଲକୁ ଠିକ୍ ସମୟରେ ଠଉରାଇ ନପାରି ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ବିଶେଷକରି ବାଇକ୍ ଆରୋହୀଙ୍କ ପାଇଁ ଏହା ଅଧିକ ବିପଜ୍ଜନକ ସାଜିଛି।ସ୍ଥାନୀୟ ବାସିନ୍ଦା ତଥା ଆଇନଜୀବୀ ଆଶିଷ କୁମାର ସାହୁଙ୍କ ସୂଚନା ଅନୁଯାୟୀ, ଏହି ଖାଲ ଯୋଗୁଁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଅନ୍ୟପକ୍ଷରେ ଛକରେ ଦୋକାନ କରିଥିବା ପ୍ରକାଶ ସାହୁ କହିଛନ୍ତି ଯେ ଅଧିକାଂଶ ସମୟରେ ବାଇକ୍ ଆରୋହୀମାନେ ଏହି ଖାଲରେ ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି।ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଦୀର୍ଘ ଛଅ ମାସ ଧରି ଏଭଳି ବିପଦପୂର୍ଣ୍ଣ ସ୍ଥିତି ଲାଗି ରହିଥିଲେ ମଧ୍ୟ ରାସ୍ତା ମରାମତି ଦିଗରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଦୁର୍ଘଟଣା ଘଟିବା ପରେ ଚେତିବା ଅପେକ୍ଷା ଦୁର୍ଘଟଣା ରୋକିବା ପାଇଁ ଆଗୁଆ ପଦକ୍ଷେପ ନେବା ଅଧିକ ଜରୁରୀ ବୋଲି ମତପ୍ରକାଶ ପାଇଛି।ଏହି ସମସ୍ୟାକୁ ନେଇ ରଘୁନାଥପାଲି ଛକର ବ୍ୟବସାୟୀ ବାପି ବାରିକ, ଅଜିତ ସାହୁ, ଆଇନଜୀବୀ ରାଜେଶ କୁମାର ମହାପାତ୍ର, ରାଧାକାନ୍ତ ପଶାୟତ, ପରମାନନ୍ଦ ପଧାନ, ସୁଶାନ୍ତ ମହାପାତ୍ର, ସୁରେଶ ରକ୍ସା, ଲଳିତ ଭାଇଁସା, ରିଙ୍କୁ ଦାସ, ପିତ ପ୍ରଧାନ, ସଞ୍ଜୟ ପଧାନ ଓ ସାନୂର୍ଯ୍ୟ ପଟେଲଙ୍କ ସମେତ ସ୍ଥାନୀୟ ବ୍ୟବସାୟୀମାନେ ତୁରନ୍ତ ରାସ୍ତା ମରାମତି ପାଇଁ ଦାବି କରିଛନ୍ତି।
ଏବେ ପ୍ରଶ୍ନ ଉଠୁଛି—ଏହି ଖାଲକୁ ମରାମତି କରିବା ପାଇଁ ଆଉ କେତେ ଦୁର୍ଘଟଣାକୁ ଅପେକ୍ଷା କରିବ ଜାତୀୟ ରାଜପଥ ବିଭାଗ? ଯାତ୍ରୀଙ୍କ ଜୀବନ ସହ ଜଡ଼ିତ ଏହି ଗୁରୁତର ସମସ୍ୟା ପ୍ରତି ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେଇ ଖାଲର ମରାମତି କରିବା ସହ ଭବିଷ୍ୟତରେ ଏଭଳି ସ୍ଥିତି ନଉପୁଜିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ