
କେନ୍ଦ୍ରାପଡ଼ା, ୨୨ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଓ ଅନ୍ୟାନ୍ୟ ଅଂଚଳରେ ଶିକ୍ଷା, ମେଧାବୃତି ଓ ଆପଦକାଳୀନ ସହାୟତା ପ୍ରଭୃତି ପ୍ରଦାନ କରି ଆସୁଥିବା ସୁଖ୍ୟାତ ଅନୁଷ୍ଠାନ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାଟିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ସହରର ମାଧପୁରସ୍ଥିତ ପୁନର୍ବାସ ଶିଶୁ ଥେରାପି କେନ୍ଦ୍ରକୁ ଏକ ଅତ୍ୟାଧୁନିକ ଲିଥେଲିୟମ୍ ଇନଭର୍ଟର ପ୍ରଦାନ କରାଯାଇଛି। ଏଠାରେ ପ୍ରକାଶଯୋଗ୍ୟ ଯେ ଶିଶୁ ଥେରାପି କେନ୍ଦ୍ରରେ ବିଦ୍ୟୁତ୍ ସରବରାହ ବ୍ୟାହତ ସମୟରେ ଦିବ୍ୟାଙ୍ଗ ଶିଶୁମାନଙ୍କ ଥେରାପି ଚିକିତ୍ସା ପ୍ରଦାନରେ ଅସୁବିଧା ସୃଷ୍ଟି ହେଉଥିଲା। ଏଥିନିମନ୍ତେ ପୁନର୍ବାସର ପ୍ରତିଷ୍ଠାତା ଓ ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ ଚାରିଟେବୁଲ୍ ଟ୍ରଷ୍ଟର ପ୍ରତିଷ୍ଠାତା ଆମେରିକାସ୍ଥିତ ଆଲାସ୍କା ୟୁନିଭରସିଟିର ପ୍ରଫେସର ଏମ୍ଇରଟ୍ସ୍ ଡ. ଦେବେନ୍ଦ୍ର ଦାସଙ୍କୁ ଅନୁରୋଧ କରିଥିଲେ। ଏହି ଆବଶ୍ୟକତାକୁ ବିଚାର କରି ତତ୍କ୍ଷଣାତ୍ ପ୍ରଫେସର ଦାସ ଉପକରଣ ମଂଜୁର କରାଇବାରୁ ଟ୍ରଷ୍ଟର ଟ୍ରଷ୍ଟି ତଥା କାର୍ୟ୍ୟକାରୀ ସଭାପତି ଭୁବନ ମୋହନ ଦାସ ଏକ ଅତ୍ୟାଧୁନିକ ଲିଥେନିୟମ୍ ଇନଭର୍ଟର ସେଟକୁ ମାଧପୁରସ୍ଥିତ ପୁନର୍ବାସ କାର୍ଯ୍ୟାଳୟରେ ଆସି ପ୍ରଦାନ କରିଥିଲେ। ଏହି ସମୟରେ ପୁନର୍ବାସର ସହସମ୍ପାଦକ ବଂଶୀଧର ମହାନ୍ତି ଓ ଉପସଭାପତି ଜ୍ୟୋତି ରଞ୍ଜନ ନାୟକ ଉପସ୍ଥିତ ରହି ଗ୍ରହଣ କରିଥିଲେ। ଏହି ସହାୟତା ପାଇଁ ପୁନର୍ବାସ ପକ୍ଷରୁ ଉକ୍ତ ଚାରିଟେବଲ୍ ଟ୍ରଷ୍ଟର ପ୍ରତିଷ୍ଠାତା ପ୍ରଫେସର ଦେବେନ୍ଦ୍ର ଦାସଙ୍କୁ କୃତଜ୍ଞତା ଜଣାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି