ଝାରସୁଗୁଡ଼ା ଜିଲ୍ଲାରେ ବର୍ଷା ଉଭାନ, ଫାଟିଲାଣି ଧାନଜମି : ଚକଡ଼ା ପରେ ମରୁଡ଼ି ମାଡ଼, ଅମଳ ଆଶାରେ ଚାଷୀ
Drought-fear-Farmer-JHS
ଝାରସୁଗୁଡ଼ା ଜିଲ୍ଲାରେ ବର୍ଷା ଉଭାନ, ଫାଟିଲାଣି ଧାନଜମି : ଚକଡ଼ା ପରେ ମରୁଡ଼ି ମାଡ଼, ଅମଳ ଆଶାରେ ଚାଷୀ


ଝାରସୁଗୁଡ଼ା, ୨୨ ଅକ୍ଟୋବର (ହି.ସ.)- ଭଲ ଫସଲ ଅମଳ କରିବାର ଆଶା ନେଇ ଚଳିତ ଖରିଫ ଋତୁରେ ଧାନ ଚାଷ କରିଥିବା ଝାରସୁଗୁଡ଼ା ଜିଲ୍ଲାର ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ପ୍ରଥମେ ଚକଡ଼ା ପୋକର ପ୍ରାଦୁର୍ଭାବ ଫସଲକୁ କ୍ଷତିଗ୍ରସ୍ତ କରିଥିବା ବେଳେ ଏବେ ବର୍ଷା ଅଭାବ ଚାଷୀଙ୍କ ଦୁର୍ଦ୍ଦଶାକୁ ଆହୁରି ବଢ଼ାଇଛି। ଧାନ ଫୁଟିବା ସମୟରେ ଜମିରେ ଆବଶ୍ୟକ ପାଣି ନଥିବାରୁ ଅନେକ ସ୍ଥାନରେ ମାଟି ଫାଟି ଆଁ କଲାଣି। ଫଳରେ ଅମଳ ପୂର୍ବରୁ ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି।

ସୂଚନା ଅନୁଯାୟୀ, ଜିଲ୍ଲାରେ ପ୍ରାୟ ମାସେରୁ ଅଧିକ ସମୟ ହେଲା ଚକଡ଼ା ପୋକର ପ୍ରାଦୁର୍ଭାବ ଲାଗି ରହିଛି। କୃଷି ବିଭାଗର ପ୍ରାରମ୍ଭିକ ଆକଳନ ଅନୁସାରେ, ତିନୋଟି ବ୍ଲକ୍ ର ୪୯ଟି ପଞ୍ଚାୟତର ୧୭୭.୫ ହେକ୍ଟର ଜମିରେ ଚକଡ଼ା ପୋକ ଲାଗିଥିଲା। ଏଥିମଧ୍ୟରୁ ଲଖନପୁର ବ୍ଲକ୍ ର ସ୍ଥିତି ସବୁଠାରୁ ଗମ୍ଭୀର ବୋଲି ଜଣାପଡ଼ିଛି।

ବିଭାଗୀୟ ତଥ୍ୟ ଅନୁସାରେ, ଲଖନପୁର ବ୍ଲକ୍ ର ୩୩ଟି ପଞ୍ଚାୟତରେ ଚକଡ଼ା ପୋକର ପ୍ରଭାବ ଦେଖାଦେଇଛି। ଏହି ବ୍ଲକ୍ ର ୫୭ଟି ଗ୍ରାମର ୧୪୨ ହେକ୍ଟର ଜମିରେ ପୋକ ଲାଗିଥିବା ଆକଳନ କରାଯାଇଛି। ସେହିପରି ଲଇକେରା ବ୍ଲକ୍ ର ୧୦ଟି ପଞ୍ଚାୟତର ୩୫ଟି ଗ୍ରାମର ୨୭.୫ ହେକ୍ଟର ଏବଂ କୋଲାବିରା ବ୍ଲକ୍ର କେତେକ ଗ୍ରାମରେ ମଧ୍ୟ ଚକଡ଼ା ପୋକର ପ୍ରଭାବ ରହିଥିବା ସୂଚନା ମିଳିଛି। ତେବେ ସରକାରୀ ଆକଳନ ଓ କ୍ଷେତ୍ରସ୍ତରର ବାସ୍ତବ ସ୍ଥିତି ମଧ୍ୟରେ ପାର୍ଥକ୍ୟ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଜିଲ୍ଲାର ପାଞ୍ଚଟି ବ୍ଲକ୍ ରେ ୧୨୦୦ ହେକ୍ଟରରୁ ଅଧିକ ଜମି ଚକଡ଼ା ପୋକ ଦ୍ୱାରା ପ୍ରଭାବିତ ହୋଇଥିବା ଦାବି ହୋଇଛି। କେବଳ ଲଖନପୁର ବ୍ଲକ୍ ର ପ୍ରାୟ ୨୫ଟି ପଞ୍ଚାୟତର ୭୦୦ ହେକ୍ଟରରୁ ଅଧିକ ଜମିରେ ପୋକ ଲାଗିଥିବା ଚାଷୀମାନେ କହିଛନ୍ତି। କୃଷି ବିଭାଗର ପରାମର୍ଶ କ୍ରମେ କୀଟନାଶକ ପ୍ରୟୋଗ କରିବା ପରେ ମଧ୍ୟ ଆଶାନୁରୂପ ଫଳ ମିଳୁନଥିବାରୁ ସେମାନଙ୍କ ଚିନ୍ତା ବଢ଼ିଛି।

ଏପଟେ ଚକଡ଼ା ପୋକରୁ ଫସଲକୁ ରକ୍ଷା କରିବାକୁ ସଂଘର୍ଷ ଚାଲିଥିବା ବେଳେ ଦୀର୍ଘଦିନ ଧରି ବର୍ଷା ନହେବା ପରିସ୍ଥିତିକୁ ଅଧିକ ସଙ୍ଗିନ କରିଛି। ଜିଲ୍ଲାର ୭୦ ପ୍ରତିଶତରୁ ଅଧିକ ଚାଷଜମି ଅଣଜଳସେଚିତ ହୋଇଥିବାରୁ ଚାଷୀଙ୍କୁ ପାଣି ମଡ଼ାଇବା ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଧାନ ଗଛରେ ଫୁଲ ଆସିବା ସମୟରେ ଜଳାଭାବ ଦେଖାଦେବା ଫସଲ ଅମଳ ଉପରେ ଗୁରୁତର ପ୍ରଭାବ ପକାଇବା ଆଶଙ୍କା ରହିଛି।ଚକଡ଼ା ପୋକର ପ୍ରାଦୁର୍ଭାବ ଏବଂ ବର୍ଷା ଅଭାବ ଯୋଗୁଁ ଚାଷୀଙ୍କ ଖର୍ଚ୍ଚ ବଢ଼ିବା ସହ ଉତ୍ପାଦନ କମିବାର ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ କ୍ଷତିଗ୍ରସ୍ତ ଜମିର ସଠିକ୍ ଆକଳନ, କୀଟ ନିୟନ୍ତ୍ରଣ ପାଇଁ ପ୍ରଭାବୀ ପଦକ୍ଷେପ ଏବଂ ଜରୁରୀକାଳୀନ ଜଳସେଚନ ବ୍ୟବସ୍ଥା କରିବାକୁ ଚାଷୀମାନେ ଦାବି କରୁଛନ୍ତି। ଅନ୍ୟପକ୍ଷରେ, ପରିସ୍ଥିତି ଉପରେ ନଜର ରଖାଯାଇଥିବା କୃଷି ବିଭାଗ ପକ୍ଷରୁ କୁହାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande