ଝାରସୁଗୁଡ଼ାରେ ଧୁମ୍ ଧାମରେ ପାଳିତ ହେଲା ଦଶହରା, ଜଳିଲା ବିଶାଳ ରାବଣ ପୁତ୍ତଳିକା
Dussehra-celebrated-JHS
ଝାରସୁଗୁଡ଼ାରେ ଧୁମ୍ଧାମରେ ପାଳିତ ହେଲା ଦଶହରା, ଜଳିଲା ବିଶାଳ


ଝାରସୁଗୁଡ଼ା, ୨୨ ଅକ୍ଟୋବର (ହି.ସ.)- ସତ୍ୟର ଅସତ୍ୟ ଉପରେ ବିଜୟର ପ୍ରତୀକ ବିଜୟାଦଶମୀ ଅବସରରେ ଝାରସୁଗୁଡ଼ା ସହରରେ ଦଶହରା ଉତ୍ସବ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ଝାରସୁଗୁଡ଼ା ଦଶହରା ଉତ୍ସବ କମିଟି ଓ ଶିବଶକ୍ତି ଦୁର୍ଗାପୂଜା କମିଟିର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ମନମୋହନ ପଡ଼ିଆ ଠାରେ ବୁଧବାର ରାତିରେ ଆକର୍ଷଣୀୟ ରାବଣ ପୋଡ଼ି ଉତ୍ସବ ଆୟୋଜିତ ହୋଇଥିଲା। ଏହି ଉତ୍ସବକୁ ନେଇ ସହରବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ ହୋଇଥିଲା।

ଏହି ଭବ୍ୟ କାର୍ଯ୍ୟକ୍ରମରେ ବ୍ରଜରାଜନଗର ପୂର୍ବତନ ବିଧାୟିକା ଅଳକା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବର ଶୁଭାରମ୍ଭ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଯୁବନେତା ଦୁର୍ଗେଶ ମହାନ୍ତି, ଝାରସୁଗୁଡ଼ା ପୌର ପରିଷଦର ଉପାଧ୍ୟକ୍ଷ ବେଣୁଗୋପାଳ ପାଣିଗ୍ରାହୀ, ବରିଷ୍ଠ ଆଇନଜୀବୀ ତାପସ ରାୟ ଚୌଧୁରୀ, ସନ୍ଦୀପ ଅବସ୍ଥୀ, ସିଆରାମ ଦାସ ଓ ପ୍ରଶାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ବିଶାଳକାୟ ରାବଣ ପୁତ୍ତଳିକା ଦହନ। ଏହା ପୂର୍ବରୁ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ, ସଙ୍ଗୀତ ଓ ବିଭିନ୍ନ ମନୋରଞ୍ଜନଧର୍ମୀ ପରିବେଷଣ ଦର୍ଶକଙ୍କ ମନ ମୋହିଥିଲା। ପରେ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ ମଧ୍ୟରେ ବିଶାଳ ରାବଣ ପୁତ୍ତଳିକାକୁ ଦହନ କରାଯାଇଥିଲା। ଏହି ଦୃଶ୍ୟ ଉପଭୋଗ କରିବା ପାଇଁ ପଡ଼ିଆରେ ବହୁ ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଥିଲା।

ଉତ୍ସବକୁ ସଫଳ ଓ ସୁବ୍ୟବସ୍ଥିତ କରିବାରେ ଉଭୟ ଆୟୋଜକ କମିଟିର କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀମାନେ ସକ୍ରିୟ ସହଯୋଗ କରିଥିଲେ। ସମଗ୍ର କାର୍ଯ୍ୟକ୍ରମ ଉତ୍ସବମୁଖର ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande