ସୁବର୍ଣ୍ଣପୁର ପ୍ରସିଦ୍ଧ ମହାବଳି ଯାତ୍ରା ସଂପନ୍ନ
ସୁବର୍ଣ୍ଣପୁର, ୨୨ ଅକ୍ଟୋବର (ହି.ସ.)- ଆଶ୍ୱିନ ମାସ ଆସିଲେ ଚଳଚଞ୍ଚଳ ହୋଇଉଠେ ସୁବର୍ଣ୍ଣପୁର ସହରଠୁ ଆରମ୍ଭ କରି ପୁରପଲ୍ଲୀ । ସବୁଠାରେ ଆରମ୍ଭ ହୋଇଯାଏ ଦେବୀ ଉପାସନା ଓ ବଳିଯାତ୍ରା । ହେଲେ ଅନ୍ୟ ସ୍ଥାନ ମାନଙ୍କରେ ଦିନେ କି ଦୁଇଦିନ ଏହି ଯାତ୍ରା ହେଉଥିବା ବେଳେ ସୁବର୍ଣ୍ଣପୁରରେ କିନ୍ତୁ ୧୫ ଦିନଧରି ଅନ
ସୁବର୍ଣ୍ଣପୁର ପ୍ରସିଦ୍ଧ ମହାବଳି ଯାତ୍ରା ସଂପନ୍ନ


ସୁବର୍ଣ୍ଣପୁର, ୨୨ ଅକ୍ଟୋବର (ହି.ସ.)- ଆଶ୍ୱିନ ମାସ ଆସିଲେ ଚଳଚଞ୍ଚଳ ହୋଇଉଠେ ସୁବର୍ଣ୍ଣପୁର ସହରଠୁ ଆରମ୍ଭ କରି ପୁରପଲ୍ଲୀ । ସବୁଠାରେ ଆରମ୍ଭ ହୋଇଯାଏ ଦେବୀ ଉପାସନା ଓ ବଳିଯାତ୍ରା । ହେଲେ ଅନ୍ୟ ସ୍ଥାନ ମାନଙ୍କରେ ଦିନେ କି ଦୁଇଦିନ ଏହି ଯାତ୍ରା ହେଉଥିବା ବେଳେ ସୁବର୍ଣ୍ଣପୁରରେ କିନ୍ତୁ ୧୫ ଦିନଧରି ଅନୁଷ୍ଠିତ ହୋଇଥାଏ । ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରକୁ ନେଇ ନଅ ପ୍ରକାର ବଳିହୋଇ ବରୁଆ ଦେହରେ ଦୈବୀଶକ୍ତୀ ଭରାଯାଏ । ଖାଲି ସେତିକି ନୁହେଁ ୧୬ ପ୍ରକାର ସଂପ୍ରଦାୟର ଲୋକେ ସମଗ୍ର ଏହି ବଳିଯାତ୍ରାରେ ସେବାୟତ ଭାବରେ ନିୟୋଜିତ ଥାଆନ୍ତି ଓ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ଯାତ୍ରାରେ ସାମିଲ ହୁଅନ୍ତି । ପ୍ରାଚୀନ ସୁବର୍ଣ୍ଣପୁରର ଲୋକ ସଂସ୍କୃତି ଓ ପରମ୍ପରା ନିଆରା । କାହିଁ କେତେଦିନ ରାଜା ରାଜୁଡା ଅମଳରୁ ସୁବର୍ଣ୍ଣପୁରରେ ପାଳିତ ହୋଇଆସୁଛି ବଳିଯାତ୍ରା ।

ପ୍ରତିବର୍ଷ ଆଶ୍ୱିନ ଅମାବାସ୍ୟା ଠାରୁ ପୂର୍ଣ୍ଣମୀ ଯାଏଁ ଦୀର୍ଘ ୧୬ ଦିନଧରି ଅନୁଷ୍ଠିତ ହୋଇଥାଏ ବଳିଯାତ୍ରା । ପର୍ଯ୍ୟାୟ କ୍ରମେ ଉଆଁସବଳି, ଖଉଳଫିଟା ବଳି, ନିଶାବଳି, ଡାଙ୍ଗୁଆବଳି, ଗାୟନବଳି, ମହାବଳି ଏବଂ ଶେଷରେ ପୂର୍ଣ୍ଣମୀବଳି ଅନୁଷ୍ଠିତ ହୋଇଥାଏ । ହେଲେ ମୁଖ୍ୟବଳି ଯାତ୍ରା ହେଉଛି ନବମୀବଳି ବା ମହାବଳି । ଏହି ଦିନ କଳାଧଳା ଛତ୍ର ସାଙ୍ଗରେ ବରୁଆ ଖମ୍ବେଶ୍ୱରୀ ମନ୍ଦିରରୁ ବାହାରି ସୁରେଶ୍ୱରୀ ମନ୍ଦିରକୁ ଯାଇଥାଏ । ତେବେ ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ର ଦ୍ୱାରା ହୋଇ ଆସୁଥିବା ଏହି ବଳିଯାତ୍ରା ବହୁପୁରୁଣା । ଶକ୍ତିପୀଠ ଖମ୍ବେଶ୍ୱରୀ ମନ୍ଦିର ଠାରେ ନବମୀ ରାତିରେ ଏହା ହୋଇଥାଏ । ବରୁଆ ଦେହରେ ଦୈବୀଶକ୍ତି ଆବିର୍ଭାବ ପାଇଁ ଖଉଳ ଗାତର ମାଟି ଆଣି ବରୁଆର ନାଭିରେ ଲଗାଇ ପୁରୋହିତଙ୍କ ଦ୍ୱାରା କଟାଯାଇଥିବା ଅରୁଆ ଚାଉଳର ଯନ୍ତ୍ର ଉପରେ ଯୋଗ ମୁଦ୍ରାରେ ବସାଇ ଦିଆଯାଏ । ଢୁଲିଆମାନଙ୍କ ଷୋହଳବରଣୀ ବାଦ୍ୟର ତାଳରେ ଦେବୀ ଆବିର୍ଭାବ ହୁଅନ୍ତି । ତା'ପରେ ବରୁଆ ଉନ୍ମାଦରେ ତାଣ୍ଡବ ନୃତ୍ୟକରେ ଓ ଭକ୍ତମାନଙ୍କ ମଙ୍ଗଳ କାମନା କରି ସମସ୍ତଙ୍କ ଦର୍ଶନ ପାଇଁ କଳା ଧଳା ଛତ୍ରଧରି ମନ୍ଦିର ଭିତରୁ ବାହାରକୁ ୭ ଥର ବାହାରେ । ପରେ ଅଷ୍ଟଚଣ୍ଡିଙ୍କ ମୁଖ୍ୟପୀଠ ଖମ୍ବେଶ୍ୱରୀ ମନ୍ଦିରରୁ ସୁରେଶ୍ୱରୀ ମନ୍ଦିରକୁ ଶୋଭାଯାତ୍ରାରେ ଯାଏ ମହାବଳି । ଏହି ଯାତ୍ରା ଦେଖିବାକୁ ହଜାର ହଜାର ଦର୍ଶକଙ୍କ ଭିଡ ଜମେ । ମହାବଳି ଯାତ୍ରା ଚଳିତବର୍ଷ ମହା ଜାକଜମକରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ଭକ୍ତ ଓ ଦର୍ଶକ ଏହି ଯାତ୍ରାରେ ସାମିଲ ହୋଇଥିଲେ । ସବୁଠି ବଳି କହିଲେ ପଶୁ ବଳିକୁ ବୁଝାଇଥାଏ । ହେଲେ ସୁବର୍ଣ୍ଣପୁରେ ଅନୁଷ୍ଠିତ ଯାତ୍ରାରେ ବଳି କହିଲେ ବରୁଆ ବା ସମର୍ପଣକୁ ବୁଝାଇଥାଏ । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande