




ସମ୍ବଲପୁର, ୨୨, ଅକ୍ଟୋବର (ହି.ସ.) ସମ୍ବଲପୁର ସହରର ପ୍ରସିଦ୍ଧ ଗୋବିନ୍ଦତୋଲା ଦୁର୍ଗାପୂଜା ମଣ୍ଡପ ପକ୍ଷରୁ ଆଜି ମହାସମାରୋହ ଭଷାଣି ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଗତକାଲି ମାଁ ଭୁବନେଶ୍ୱରୀଙ୍କ ମହାଦଶମୀ ଓ ଅପରାଜିତ ସମ୍ପନ୍ନ ହେବା ସହ ପୂର୍ଣ୍ଣାହୁତି ଓ ଘଟ ବିସର୍ଜନ ହୋଇଥିଲା l
ଆଜିର ବିସର୍ଜନ ଶୋଭାଯାତ୍ରା ଗୋବିନ୍ଦତୋଲା ମଣ୍ଡପରୁ ବାହାରି ଗୋବିନ୍ଦତୋଲା ପୁରୁଣା ବସ୍ତି ବୁଲିଲା ପରେ ଧନୁପାଲି ଛକ ଯାଏ ଯାଇଥିଲା l ଧନୁପାଲି ଛକ ଦୁର୍ଗାପୂଜା କମିଟି ପକ୍ଷରୁ ମାଁ ଭୁବନେଶ୍ୱରୀଙ୍କ ପୂଜାର୍ଚ୍ଚନା କରାଯିବା ସହ ଆତସବାଜି ଓ ଆଖଡ଼ା ଖେଳ ପ୍ରଦର୍ଶନ କରାଯାଇଥିଲା l ଦୂଲଦୁଲି, ଘଣ୍ଟ ଓ ଶଙ୍ଖର ପ୍ରକମ୍ପନରେ ହଜାର ହଜାର ଶ୍ରଦ୍ଧାଳୁ ଏହି ଶୋଭାଯାତ୍ରା ରେ ସାମିଲ ହୋଇଥିଲେ l ସ୍ଥାନେ ସ୍ଥାନେ ଶ୍ରଦ୍ଧାଳୁ ମାନେ ମାଁ ଭୁବନେଶ୍ୱରୀ ଙ୍କୁ ପୂଜାର୍ଚ୍ଚନା, ଧୂପ ଆଳତୀ କରି ବିଦାୟ ଦେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା l ମାଁ'ଙ୍କର ଏହି ବିଦାୟ ଶୋଭାଯାତ୍ରାରେ ଘଣ୍ଟ ଶଙ୍ଖ, ଦୂଲଦୁଲି ବାଜା ସହ ମାନେଶ୍ଵରର ଡମ୍ବରୁ ଢୋଲ ବାଦ୍ୟ, ମହିଳା ଆଖଡ଼ା, ଟେଡ୍ଡୀ ନୃତ୍ୟ, ନରସିମ୍ହା ନୃତ୍ୟ, ଜନଜାତୀୟ ନୃତ୍ୟ, ପଂଜାବୀ ଭାଙ୍ଗଡ଼ା ଢୋଲ ବାଜା, ପୁଷ୍ପା କ୍ଲୋନ, ଡିଜେ ଲାଇଟ ସାମିଲ କରାଯାଇଥିଲା l ଯାହାକି ଶୋଭଯାତ୍ରା କୁ ଆକର୍ଷଣୀୟ କରିଥିଲା l ମାଁ' ଭୁବନେଶ୍ବରୀଙ୍କ ପୂଜା କାର୍ଯ୍ୟରେ ଗୌରୀଦାସ ପଣ୍ଡା, ଦୀପକ ପଣ୍ଡା, ଅନିଲ ନାୟକ, ପ୍ରକାଶ ପଣ୍ଡା, ଦାଶରଥି ପଣ୍ଡା, ଟୁଲୁ ବଡ଼ପଣ୍ଡା, ପ୍ରତୀକ ପଣ୍ଡା ପ୍ରମୁଖ ସମ୍ପନ୍ନ କରିଥିବା ବେଳେ ଦୁର୍ଗାପୂଜା କମିଟି ସଭାପତି ପ୍ରସନ୍ନ ପାଢ଼ୀ, ସମ୍ପାଦକ ସଞ୍ଜୟ ସାହୁ, ଅଜୟ ସାହୁ, ପ୍ରଦୀପ ପାଢ଼ୀ, ରମାକାନ୍ତ ବେରିହା, ଜୟନାରାୟଣ ଶତପଥି, ମନୋରଞ୍ଜନ ପଣ୍ଡା, ରାଜୁ ଶର୍ମା, ଫିରୋଜ ପଣ୍ଡା, ସୋନୁ ମହାପାତ୍ର, ସମୀର ବିଶ୍ୱାଳ, ସଞ୍ଜୟ ତ୍ରିପାଠୀ, ସୁପ୍ରିୟ ପାଣିଗ୍ରାହୀ, ତର୍ପଣ, ପ୍ରଧାନ, ରାଜୁ ପୁରୋହିତ, ଦୀନେଶ ପଟ୍ଟନାୟକ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ l
ମାଁ ଭୁବନେଶ୍ୱରୀ ଓ ପାର୍ଶ୍ଵ ଦେବଦେବୀଙ୍କ ଭଷାଣି ଯାତ୍ରା ଧନୁପାଲିରୁ ପୁଣି ଗୋବିନ୍ଦତୋଳା ଛକକୁ ଫେରିବା ପରେ ହରଡ଼ ଜୋର ଭଷାଣି ଘାଟରେ ବିସର୍ଜନ କରାଯାଇଥିଲା l
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ