
ନୂଆଦିଲ୍ଲୀ, ୨୨ ଅକ୍ଟୋବର (ହି.ସ.)- ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗୁରୁବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରିଥିଲେ। ଉଭୟ ନେତା ପଶ୍ଚିମ ଏସିଆରେ ସମ୍ପ୍ରତି ଘଟିଥିବା ବିଭିନ୍ନ ଘଟଣାକ୍ରମ ଉପରେ ଆଲୋଚନା କରିଥିଲେ। ଏହା ସହିତ ଏହି ଅଂଚଳରେ ଶାନ୍ତି ଓ ସ୍ଥିରତା ପୁନଃସ୍ଥାପନ କରିବାର ତୁରନ୍ତ ଆବଶ୍ୟକତା ଉପରେ ଉଭୟ ନେତା ଗୁରୁତ୍ୱ ଦେଇଥିଲେ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ଅନୁଯାୟୀ, ଉଭୟ ନେତା ଭାରତ-ଇସ୍ରାଏଲ ସମ୍ପର୍କରେ ନିରନ୍ତର ଅଗ୍ରଗତିକୁ ସ୍ୱାଗତ କରିଥିଲେ। ଏଥିସହ ଦୁଇ ଦେଶ ମଧ୍ୟରେ ଥିବା ସ୍ୱତନ୍ତ୍ର ରଣନୈତିକ ଭାଗୀଦାରିକୁ ଆହୁରି ମଜବୁତ କରିବା ପାଇଁ ନିଜର ସାମୂହିକ ପ୍ରତିବଦ୍ଧତାକୁ ଦୋହରାଇଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ଆଗକୁ ବଢ଼ିବାର ମାର୍ଗ ଭାବେ ଆଲୋଚନା ଓ କୂଟନୀତିକୁ ଗୁରୁତ୍ୱ ଦେବା ପାଇଁ ଭାରତର ଆହ୍ୱାନକୁ ପୁନର୍ବାର ଦୋହରାଇଥିଲେ। ଉଭୟ ନେତା ପରସ୍ପର ସହ ନିୟମିତ ଯୋଗାଯୋଗରେ ରହିବାକୁ ସହମତ ହୋଇଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଅଗଷ୍ଟ ୬ ତାରିଖରେ ମଧ୍ୟ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ସେହି ସମୟରେ ଉଭୟ ଭାରତ-ଇସ୍ରାଏଲ ସ୍ୱତନ୍ତ୍ର ରଣନୈତିକ ଭାଗୀଦାରିର ଅଗ୍ରଗତିର ସମୀକ୍ଷା କରିବା ସହ ପଶ୍ଚିମ ଏସିଆର ବର୍ତମାନର ପରିସ୍ଥିତି ଉପରେ ବିଚାରବିମର୍ଶ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗଗନ