
ଜୟପୁର, ୨୨ ଅକ୍ଟୋବର (ହି.ସ.)- କୋରାପୁଟ ଜିଲା କୋଟିଆର ଖଣିଜ ସମ୍ପଦ ଉପରେ ଆନ୍ଧ୍ରର ନଜର । କଳେ ବଳେ କୌଶଳେ ଏହାକୁ ଦଖଲ କରିବା ଲାଗି ପ୍ରୟାସ ଜାରି ରଖିଛି ଆନ୍ଧ୍ର । କେନ୍ଦ୍ର ସରକାରରେ ଭାଗୁଆଳି ଦଳ ହୋଇ ଓଡ଼ିଶାର ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ଟିଡିପି ସହ ୱାଇଏସ୍ଆର୍ କଂଗ୍ରେସ ନେତା ଓ କର୍ମୀ ନିଜ ନିଜର ଭୋଟର ଏବଂ ସମର୍ଥକଙ୍କୁ ଧରି ସାଲୁର ଯାଇଛନ୍ତି ନାମାଙ୍କନ ପାଇଁ । ଫଳରେ ଶୂନଶାନ ପଡ଼ିଛି ଗାଁ ଭୂଇଁ ।
ସୂଚନା ଅନୁଯାୟୀ, ଟିଡିପି ପକ୍ଷରୁ ଉପରସେମ୍ବି ଗାଁରୁ ସିରାଞ୍ଜିବି ତାଡିଙ୍ଗି ଏବଂ ୱାଇଏସ୍ଆର୍ କଂଗ୍ରେସ ପକ୍ଷରୁ ପାନକୂଳୱାଲସା ଗାଁରୁ ମାଝୀ କାନପୁରିଆ ନାମାଙ୍କନ ଦାଖଲ କରିଛନ୍ତି । କୋଟିଆ ସରପଞ୍ଚଙ୍କ କହିବା କଥା, ଆନ୍ଧ୍ରର ବିଭିନ୍ନ ଯୋଜନାରୁ କୋଟିଆବାସୀ ଅଧିକ ଲାଭ ଓ ସୁବିଧା ପାଉଥିବାରୁ ତାଙ୍କୁ ଅଟକାଇବା ଅସମ୍ଭବ । ତେବେ କେମିତି ତୁଟିବ ସମାଧାନର ବାଟ ? ଆନ୍ଧ୍ର ନିର୍ବାଚନରେ ସାମିଲ ହେବା ପୂର୍ବରୁ କେମିତି ଓଡ଼ିଆଙ୍କୁ ରୋକାଯିବ ? କୋରାପୁଟ ଉପ ଜିଲ୍ଲାପାଳଙ୍କ ସୂଚନା, ଆଜିଠୁ କୋଟିଆରେ ଲୋକଙ୍କ ଅଭିଯୋଗ ଶୁଣିବା ସହ ବିଭିନ୍ନ ସମସ୍ୟା ଓ ସ୍ଥିତିର ଅନୁଧ୍ୟାନ କରୁଛନ୍ତି ସ୍ୱତନ୍ତ୍ର ଟିମ୍ । ଓଡ଼ିଶାର ଆଞ୍ଚଳିକ ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ରକ୍ଷା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ସର୍ବୋଚ୍ଚ ଅଦାଲତଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶକୁ ଲଙ୍ଘି ଆନ୍ଧ୍ର ଯେଭଳି ବେଆଇନ କାର୍ଯ୍ୟ କରୁଛି, ଓଡ଼ିଶା ସରକାର ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆନ୍ଧ୍ର ବିରୋଧରେ ଆଇନଗତ ଲଢ଼େଇକୁ ପଦକ୍ଷେପ ନେଇଛି । ହେଲେ ଏଭଳି ସ୍ଥିତି ପୂର୍ବରୁ ଓଡ଼ିଶାର ଡବଲ ଇଞ୍ଜିନ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କଲେନି କାହିଁକି, ସର୍ବଦଳୀୟ ବୈଠକ କରି ଏହାର ସମାଧାନ ପନ୍ଥା ବାହାର କଲେନି କାହିଁକି, ଓଡ଼ିଆ ଅଞ୍ଚଳକୁ ନେଇ ଆନ୍ଧ୍ର ରାଜନୀତି କରୁଥିବା ବେଳେ ମନ୍ତ୍ରୀ, ବିଧାୟକ ଏଭଳି ଶସ୍ତା ରାଜନୀତି କରି ହାଲକା ମନ୍ତବ୍ୟ ଦେବା ପରିତାପର ବିଷୟ । ଏସପି ଓ ଜିଲ୍ଲାପାଳ ଦୈନିକ ରିପୋର୍ଟ ଦେଲେ କାମ ହୋଇଯିବ ନା କ’ଣ, ସରକାର ସେଠାକୁ ଯାଇ ସମସ୍ୟା ବୁଝିବା ଦରକାର । ସେଠାକାର ଲୋକଙ୍କ ଭଲ ମନ୍ଦ ଜାଣି ସହଯୋଗ କରିବା ଉଚିତ । ବିଜେଡି ସରକାର ଅମଳରୁ ମୁଣ୍ଡ ଟେକିଥିବା ସମସ୍ୟାର ସମାଧାନ ପାଇଁ ଖୋଦ୍ ନବୀନଙ୍କ ଚିଠି ପରେ ତେଜିଛି ରାଜନୀତି । ସମସ୍ୟାର ସମାଧାନ ନକରି ବିଜେପି-ବିଜେଡି ଭିତରେ ସୋସିଆଲ୍ ମିଡ଼ିଆରେ ମୁହାଁ ମୁହିଁ । ବିଜେଡି ‘ଏକ୍ସ’ରେ ପୋଷ୍ଟ କରି ଲେଖିଛି କୋଟିଆ ନେଇଗଲାଣି, ବିଜେପି ସରକାରର କହୁଛନ୍ତି ନୋ ଟେନସନ । ଏହାକୁ ଶାସକ ବିଜେପି ବି କାର୍ଟୁନ୍ ମାଧ୍ୟମରେ କଡ଼ା କାଉଣ୍ଟର କରି ଦର୍ଶାଇଛି, ୨୪ ବର୍ଷର ଶାସନରେ କୋଟିଆ ସମସ୍ୟାର ସ୍ଥାୟୀ ସମାଧାନ କରିବାରେ ବିଜେଡି ବିଫଳ ହୋଇସାରିଛି । କୋଟିଆକୁ ନେଇ ବିଜେଡିର ଡବଲ ଷ୍ଟାଣ୍ଡାର୍ଡ ରାଜ୍ୟବାସୀ ଜାଣି ସାରିଲେଣି । ଅପରପକ୍ଷେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସୋସିଆଲ୍ ମିଡ଼ିଆରେ ଲେଖିଛନ୍ତି, ଏହି ଅଞ୍ଚଳର ସମସ୍ୟାର ସମାଧାନ ପାଇଁ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ ।
ସେହିପରି ଆଶା ଯେତିକି ଆଶଙ୍କା ସେତିକି, ଉତ୍ସାହ ଯେତିକି ଉତ୍କଣ୍ଠା ବି ସେତିକି । ଆନ୍ଧ୍ର-ଓଡ଼ିଶା ଛକାପଞ୍ଝ।। ଭିତରେ ଜିଲ୍ଲା ପରିଷଦ ଓ ସମିତି ସଭ୍ୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନାମାଙ୍କନ । କୋଟିଆ ଓଡ଼ିଶାର ଅବଚ୍ଛେଦ୍ୟ ଅଙ୍ଗ ହୋଇଥିଲେ ବି ରାଜ୍ୟ ସରକାର କିଛି କରିପାରୁନାହାନ୍ତି । ସ୍ଥାନୀୟ ଅଞ୍ଚଳବାସୀ କହୁଛନ୍ତି ଆନ୍ଧ୍ର ଆମର ବହୁତ କରିଛି, ଆମେ ସେମାନଙ୍କୁ ବିରୋଧ କରିପାରିବୁ ନାହିଁ । ଓଡ଼ିଆ ଅସ୍ମିତାକୁ କୁଠାରାଘାତ, ଆନ୍ଧ୍ର ଆଡକୁ ଢଳୁଛନ୍ତି କୋଟିଆବାସୀ, ଏଣେ କଳିରେ ମାତିଛନ୍ତି ଶାସକ ଓ ବିରୋଧୀ । ତେଣୁ ଆଗକୁ ରାଜ୍ୟ ସରକାର କ'ଣ ପଦକ୍ଷେପ ନେଉଛନ୍ତି ତାହାକୁ ଜିଲା ବାସୀ ଅପେକ୍ଷା କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି