
ଜୟପୁର, ୨୨ ଅକ୍ଟୋବର (ହି.ସ.)- କୋଟିଆ କେବଳ ଏକ ଭୌଗୋଳିକ ଅଞ୍ଚଳ ନୁହେଁ; ଏହା ଓଡ଼ିଶାର ମାଟି, ଆଦିବାସୀଙ୍କ ସ୍ୱାଭିମାନ, କୋରାପୁଟର ଅସ୍ମିତା ଏବଂ ଆମ ଐତିହ୍ୟ ସହ ଗଭୀର ଭାବରେ ଜଡ଼ିତ। କୋଟିଆର ଲୋକଙ୍କ ଅଧିକାର, ସେମାନଙ୍କ ଭାଷା, ସଂସ୍କୃତି, ପରମ୍ପରା ଓ ଜୀବନଜୀବିକାର ସୁରକ୍ଷା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ। ତେଣୁ କୋଟିଆ ପ୍ରସଙ୍ଗକୁ କୌଣସି ଦଳୀୟ ରାଜନୀତିର ସୀମା ମଧ୍ୟରେ ସୀମିତ ନରଖି, ଓଡ଼ିଶାର ସ୍ୱାର୍ଥ ଓ ଜନସାଧାରଣଙ୍କ ଅଧିକାରର ପ୍ରଶ୍ନ ଭାବରେ ଦେଖିବା ଆବଶ୍ୟକ ବୋଲି ଆଜି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ସୂଚନା ଦେଇଛନ୍ତି lଆନ୍ଧ୍ର ପ୍ରଦେଶ ପକ୍ଷରୁ କୋଟିଆ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ ଓ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟକଳାପ ଚଳାଇବାର ପ୍ରୟାସ ନୂଆ ନୁହେଁ। ପୂର୍ବରୁ ମଧ୍ୟ ଏପରି ପଦକ୍ଷେପ ନିଆଯାଇଛି। କିନ୍ତୁ, ଏହି ପ୍ରସଙ୍ଗରେ ଆଇନଗତ ବିବାଦ ଓ ନ୍ୟାୟିକ ପ୍ରକ୍ରିୟା ଚାଲିଥିବା ପରିପ୍ରେକ୍ଷୀରେ, ସମ୍ବନ୍ଧିତ ଆଇନଗତ ସ୍ଥିତିକୁ ସମ୍ମାନ ଦେବା ଏବଂ ଲୋକଙ୍କ ମଧ୍ୟରେ କୌଣସି ପ୍ରକାରର ଦ୍ୱନ୍ଦ୍ୱ ସୃଷ୍ଟି ନକରିବା ଅତ୍ୟନ୍ତ ଜରୁରୀ।
କୋଟିଆର ଭବିଷ୍ୟତ ନେଇ କୌଣସି ପ୍ରକାରର ସାଲିସ୍ ଗ୍ରହଣୀୟ ନୁହେଁ। ଏହି ଅଞ୍ଚଳର ଲୋକମାନେ ଯେପରି ନିଜ ଅଧିକାର, ପରିଚୟ ଓ ସାଂସ୍କୃତିକ ଐତିହ୍ୟ ସହିତ ସମ୍ମାନର ସହ ବଞ୍ଚିପାରିବେ, ସେଥିପାଇଁ ଓଡ଼ିଶା ସରକାର, ପ୍ରଶାସନ ଓ ସମସ୍ତ ରାଜନୈତିକ ଦଳ ଏକଜୁଟ ହୋଇ ଦୃଢ଼ ପଦକ୍ଷେପ ନେବା ଦରକାର। କୋଟିଆରେ ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଜୀବିକା ଓ ଅନ୍ୟାନ୍ୟ ମୌଳିକ ସୁବିଧାର ଉନ୍ନତି ମାଧ୍ୟମରେ ଲୋକଙ୍କ ବିଶ୍ୱାସକୁ ସୁଦୃଢ଼ କରିବା ହିଁ ଏହି ଲଢ଼େଇର ମୁଖ୍ୟ ଆଧାର ହେବା ଉଚିତ। କୋଟିଆ ସହ ଆମର ସମ୍ପର୍କ କେବଳ ପ୍ରଶାସନିକ ସୀମା ମଧ୍ୟରେ ସୀମିତ ନୁହେଁ; ଏହା ଆମ ଇତିହାସ, ସଂସ୍କୃତି ଓ ଧାର୍ମିକ ଆସ୍ଥା ସହ ମଧ୍ୟ ଜଡ଼ିତ। କୋଟିଆ ଅଞ୍ଚଳରେ ଜଗନ୍ନାଥ ସଂସ୍କୃତିର ପ୍ରସାର ଏବଂ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସ୍ଥାପନା ପାଇଁ ସ୍ୱର୍ଗତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରୟାସକୁ ଏହି ପରିପ୍ରେକ୍ଷୀରେ ସ୍ମରଣ କରିବା ଉଚିତ। ଶାବର ଶ୍ରୀକ୍ଷେତ୍ରର ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱ ଏହି ଅଞ୍ଚଳ ସହ ଆମର ଭାବନାତ୍ମକ ସମ୍ପର୍କକୁ ଆହୁରି ଦୃଢ଼ କରେ।ଶାବର ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ଭାବରେ ମୁଁ ମଧ୍ୟ କୋଟିଆ ଅଞ୍ଚଳରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ଆଧ୍ୟାତ୍ମିକ ସମ୍ପର୍କର ସୁଦୃଢ଼ୀକରଣ ଏବଂ ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ମୋର ପ୍ରୟାସ ଜାରି ରଖିବି। ଏହା କେବଳ ଏକ ଧାର୍ମିକ ପ୍ରୟାସ ନୁହେଁ; ବରଂ ଆମ ଐତିହ୍ୟ, ପରମ୍ପରା ଓ ସାଂସ୍କୃତିକ ଏକତାକୁ ସୁରକ୍ଷିତ ରଖିବାର ଏକ ସାମୂହିକ ସଂକଳ୍ପ।ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଜନସମ୍ମୁଖକୁ ଆଣିବା ଏବଂ କୋଟିଆର ବାସ୍ତବ ସ୍ଥିତି ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ପ୍ରଦେଶ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ମୀନାକ୍ଷୀ ବାହିନୀପତି ଏବଂ ରାମଚନ୍ଦ୍ର କାଡ଼ାମଙ୍କ ସମେତ କଂଗ୍ରେସର ପ୍ରତିନିଧିମଣ୍ଡଳୀ କୋଟିଆ ଗସ୍ତ କରି ଏହି ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ହେଉଛି କୋଟିଆର ସମସ୍ୟା, ଅଧିକାର ଓ ଓଡ଼ିଶାର ସ୍ୱାର୍ଥ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା।
ଆମର ସ୍ପଷ୍ଟ ଆହ୍ୱାନ: କୋଟିଆ ପାଇଁ ଲଢ଼େଇ ଦଳୀୟ ସ୍ୱାର୍ଥର ଲଢ଼େଇ ନୁହେଁ; ଏହା ଓଡ଼ିଶାର ସ୍ୱାଭିମାନ, ଆଦିବାସୀଙ୍କ ଅଧିକାର ଓ ଆମ ଭବିଷ୍ୟତ ପିଢ଼ିର ପରିଚୟର ଲଢ଼େଇ। ତେଣୁ ଏହି ପ୍ରସଙ୍ଗରେ ସମସ୍ତ ରାଜନୈତିକ ଦଳ, ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ଯୁବସମାଜ ଓ ଗଣମାଧ୍ୟମ ଏକତ୍ରିତ ହୋଇ ସତ୍ୟ, ନ୍ୟାୟ ଓ ଆଇନସମ୍ମତ ପଦକ୍ଷେପକୁ ସମର୍ଥନ କରନ୍ତୁ।ଆମେ ଦୃଢ଼ ଭାବରେ ବିଶ୍ୱାସ କରୁଛୁ ଯେ ଜନସଚେତନତା, ଆଇନଗତ ପଦକ୍ଷେପ, ଉନ୍ନୟନମୂଳକ କାର୍ଯ୍ୟ ଓ ସାମୂହିକ ଏକତା ମାଧ୍ୟମରେ କୋଟିଆବାସୀଙ୍କ ଅଧିକାର ଓ ଓଡ଼ିଶାର ସ୍ୱାର୍ଥର ସୁରକ୍ଷା ପାଇଁ ଏକ ଦୃଢ଼ ପଥ ପ୍ରସ୍ତୁତ କରାଯାଇପାରିବ। କୋଟିଆର ଅଧିକାର ପାଇଁ ଆମ ସଂକଳ୍ପ ଅଟଳ। ଓଡ଼ିଶାର ସ୍ୱାଭିମାନ ପାଇଁ ଆମ ଲଢ଼େଇ ଜାରି ରହିବ ବୋଲି ସୂଚନା ଦେଇଛନ୍ତି l
ହିନ୍ଦୁସ୍ଥାନ ସମାଚାର / ପିକେପି