
ଝାରସୁଗୁଡା, ୨୨ ଅକ୍ଟୋବର (ହି.ସ.)- ରେଙ୍ଗାଲି ଥାନା ଅନ୍ତର୍ଗତ ଦରିଢିପା ଗାଁରେ ପୋଖରୀରେ ବୁଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତା ହେଲେ ଗ୍ରାମର ୭୨ ବର୍ଷୀୟା ପାର୍ବତୀ ଗର୍ଡିଆ।
ସୂଚନା ଅନୁଯାୟୀ, ଗତକାଲି ପୂର୍ବାହ୍ନରେ ପାର୍ବତୀ ଗାଁ ନିକଟସ୍ଥ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଦୀର୍ଘ ସମୟ ପରେ ମଧ୍ୟ ସେ ଘରକୁ ଫେରି ନଥିବାରୁ ପରିବାର ଲୋକେ ଚିନ୍ତିତ ହୋଇ ପୋଖରୀ ନିକଟରେ ଖୋଜାଖୋଜି କରିଥିଲେ। ଗାଧୁଆ ତୁଠରେ ତାଙ୍କ ସାବୁନ ଓ ଲୁଗା ରଖାଯାଇଥିବା ଦେଖି ସେମାନଙ୍କର ସନ୍ଦେହ ହୋଇଥିଲା। ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ସେ ପୋଖରୀର ଗଭୀର ଜଳରେ ବୁଡ଼ି ଯାଇଥାଇ ପାରନ୍ତି ବୋଲି ପରିବାର ଲୋକେ ଆଶଙ୍କା କରିଥିଲେ। ଏନେଇ ସେମାନେ ରେଙ୍ଗାଲି ପୁଲିସକୁ ସୂଚନା ଦେଇଥିଲେ। ରେଙ୍ଗାଲି ଥାନା ଅଧିକାରୀ ସମରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ପୁଲିସ ଓ ଲଖନପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋାଖୋଜି କରିବା ପରେ ବିଲମ୍ୱିତ ରାତିରେ ପୋଖରୀରୁ ପାର୍ବତୀଙ୍କ ମୃତଦେହ ଉଦ୍ଧାର କରିଥିଲେ।
ପୁଲିସ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଓ ପଞ୍ଚନାମା ଶେଷ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଝାରସୁଗୁଡ଼ା ପଠାଇଛି। ଏହି ଘଟଣାରେ ରେଙ୍ଗାଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ