
ଜୟପୁର, ୨୨ ଅକ୍ଟୋବର (ହି.ସ.)- ପୂର୍ବତଟ ରେଳପଥ ରାୟଗଡ଼ା ରେଳ ମଣ୍ଡଳ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ୬.୦ ଅଧୀନରେ ଆଜି ରେଳ ମଣ୍ଡଳର ବିଭିନ୍ନ ଷ୍ଟେସନରେ ‘ରେଳ ଜନ ସମ୍ବାଦ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରେଳପଥ ଓ ସାଧାରଣ ଜନତାଙ୍କ ମଧ୍ୟରେ ସିଧାସଳଖ ଯୋଗାଯୋଗକୁ ସୁଦୃଢ଼ କରିବା, ଯାତ୍ରୀମାନଙ୍କୁ ସଚେତନ କରିବା ଏବଂ ରେଳ ସେବାର ଉନ୍ନତି ପାଇଁ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି ଅଭିଯାନ ଅନ୍ତର୍ଗତ, ରାୟଗଡ଼ା ରେଳ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଏଡିଆରଏମ) ଗୌରୀ ଶଙ୍କର ରାଓ କୋରାପୁଟ ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ବରିଷ୍ଠ ମଣ୍ଡଳ ଯାନ୍ତ୍ରିକ ଇଞ୍ଜିନିୟର ପ୍ରବୀନ୍ ଭାଟି ଏବଂ ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀମତୀ ପୂଜା ସିଂହ ରାୟଗଡ଼ା ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ସହ ମତ ବିନିମୟ କରିଥିଲେ। ସେହିପରି, ମଣ୍ଡଳ ଅର୍ଥ ପ୍ରବନ୍ଧକ (ଭାରପ୍ରାପ୍ତ) ଧର୍ମI ସାହୁ ଗୁଣୁପୁର ଷ୍ଟେସନରେ ଏବଂ ମଣ୍ଡଳ କାର୍ମିକ ଅଧିକାରୀ (ଭାରପ୍ରାପ୍ତ) ଦିଗମ୍ବର ପାଢ଼ୀ ପାରଳାଖେମୁଣ୍ଡି ଷ୍ଟେସନରେ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ମଣ୍ଡଳର ଅନ୍ୟାନ୍ୟ ଶାଖା ଅଧିକାରୀମାନେ ମଧ୍ୟ ମନୋନୀତ ଷ୍ଟେସନଗୁଡ଼ିକରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।ଏହି ଆଲୋଚନା ସମୟରେ ରେଳ ଅଧିକାରୀମାନେ ରେଳ ସେବା, ଷ୍ଟେସନରେ ଉପଲବ୍ଧ ସୁବିଧା ଏବଂ ଯାତ୍ରୀ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଯାତ୍ରୀମାନଙ୍କ ମତାମତ, ପରାମର୍ଶ ଓ ଅଭିଯୋଗ ଶୁଣିଥିଲେ। ଏହା ମାଧ୍ୟମରେ ଯାତ୍ରୀମାନେ ସିଧାସଳଖ ରେଳ ଅଧିକାରୀଙ୍କ ନିକଟରେ ନିଜର ମତ ରଖିବା ସହ ରେଳ ସେବାର ଉନ୍ନତିରେ ସହଯୋଗ କରିବାର ସୁଯୋଗ ପାଇଥିଲେ। ଏହା ସହିତ ଅଧିକାରୀମାନେ ଷ୍ଟେସନ ପରିସର ଏବଂ ଯାତ୍ରୀ ସୁବିଧାଗୁଡ଼ିକର ନିରୀକ୍ଷଣ କରି ସ୍ୱଚ୍ଛତା, ପରିମଳ ଓ ସାର୍ବଜନୀନ ସୁବିଧାଗୁଡ଼ିକର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦେଇଥିଲେ। ରେଳ କର୍ମଚାରୀ, ଯାତ୍ରୀ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ସହ ମିଶି ସେମାନେ ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିଥିଲେ। ରେଳ ଷ୍ଟେସନଗୁଡ଼ିକୁ ସ୍ୱଚ୍ଛ, ସ୍ୱାସ୍ଥ୍ୟକର ଓ ଯାତ୍ରୀ ଅନୁକୂଳ ରଖିବା ଏକ ସାମୂହିକ ଦାୟିତ୍ୱ ବୋଲି ଏହି ଅଭିଯାନ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା।କାର୍ଯ୍ୟକ୍ରମ ସମୟରେ ଯାତ୍ରୀମାନଙ୍କୁ ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା, ଉତ୍ପତ୍ତି ସ୍ଥଳରେ ବର୍ଜ୍ୟବସ୍ତୁ ପୃଥକୀକରଣ ଏବଂ ନିର୍ଦ୍ଧାରିତ ଡଷ୍ଟବିନ୍ରେ ଆବର୍ଜନା ପକାଇବା ସମ୍ପର୍କରେ ସଚେତନ କରାଯାଇଥିଲା। ପ୍ଲାଟଫର୍ମ, ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଅଞ୍ଚଳ ସମେତ ରେଳ ପରିସରର ଅନ୍ୟାନ୍ୟ ସ୍ଥାନରେ ଆବର୍ଜନା ନ ପକାଇବା ଏବଂ ସ୍ୱଚ୍ଛତା ରକ୍ଷା କରିବାରେ ରେଳ କର୍ମଚାରୀଙ୍କୁ ସହଯୋଗ କରିବାକୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଥିଲା। ଏଥିସହ ଦାୟିତ୍ୱପୂର୍ଣ୍ଣ ଯାତ୍ରା, ଯାତ୍ରୀ ସୁରକ୍ଷା ଏବଂ ରେଳ ସମ୍ପତ୍ତି ଓ ସାର୍ବଜନୀନ ସ୍ଥାନଗୁଡ଼ିକର ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।‘ରେଳ ଜନ ସମ୍ବାଦ’ ରେଳ ଅଧିକାରୀ ଓ ଯାତ୍ରୀମାନଙ୍କ ମଧ୍ୟରେ ସିଧାସଳଖ ମତ ବିନିମୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ। ଏହା ମାଧ୍ୟମରେ ରେଳ ପ୍ରଶାସନ ଜନସାଧାରଣଙ୍କ ଆଶା ଓ ଆବଶ୍ୟକତା ବୁଝିବା, ମୂଲ୍ୟବାନ ପରାମର୍ଶ ଗ୍ରହଣ କରିବା ଏବଂ ଉନ୍ନତି ଆବଶ୍ୟକ କରୁଥିବା କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରିବାର ସୁଯୋଗ ପାଉଛି। ଏହିପରି ଆଲୋଚନା ଯାତ୍ରୀମାନଙ୍କ ମଧ୍ୟରେ ସ୍ୱଚ୍ଛତା, ଉପଯୁକ୍ତ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ନିରାପଦ, ସ୍ୱାସ୍ଥ୍ୟକର ଓ ଆରାମଦାୟକ ରେଳ ଯାତ୍ରା ପରିବେଶ ସୃଷ୍ଟିରେ ସେମାନଙ୍କ ଭୂମିକା ସମ୍ପର୍କରେ ସଚେତନତା ବୃଦ୍ଧି କରୁଛି।ରାୟଗଡ଼ା ରେଳ ମଣ୍ଡଳର ଏନଭାଇରନମେଣ୍ଟ ଆଣ୍ଡ ହାଉସକିପିଙ୍ଗ ମ୍ୟାନେଜମେଣ୍ଟ ଦଳ ବିଭିନ୍ନ ରେଳ ସେକ୍ସନ ଓ ଷ୍ଟେସନର ସ୍ୱାସ୍ଥ୍ୟ ନିରୀକ୍ଷକ, ବାଣିଜ୍ୟ ନିରୀକ୍ଷକ ଏବଂ ଷ୍ଟେସନ ପ୍ରବନ୍ଧକମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଗୁଡ଼ିକର ସମନ୍ୱୟ କରିଥିଲା। ରେଳ ଅଧିକାରୀ, କର୍ମଚାରୀ, ଯାତ୍ରୀ ଓ ଅନ୍ୟାନ୍ୟ ଅଂଶୀଦାରଙ୍କ ସକ୍ରିୟ ଅଂଶଗ୍ରହଣ ସ୍ୱଚ୍ଛ ରେଳ ପରିସର ଓ ଉନ୍ନତ ଯାତ୍ରୀ ସେବା ପ୍ରତି ସମସ୍ତଙ୍କ ସାମୂହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା।ସ୍ୱତନ୍ତ୍ର ଅଭିଯାନ ୬.୦ ଅଧୀନରେ ଏହିପରି ଜନସମ୍ପର୍କ କାର୍ଯ୍ୟକ୍ରମ ମାଧ୍ୟମରେ ପୂର୍ବତଟ ରେଳପଥର ରାୟଗଡ଼ା ରେଳ ମଣ୍ଡଳ ନିରାପଦ, ସ୍ୱଚ୍ଛ, ଦକ୍ଷ ଏବଂ ଯାତ୍ରୀ ଅନୁକୂଳ ରେଳ ସେବା ପ୍ରଦାନ ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇବା ସହ ଏକ ସ୍ୱଚ୍ଛ ଓ ଦାୟିତ୍ୱପୂର୍ଣ୍ଣ ରେଳ ପରିବେଶ ଗଠନରେ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରିଛି।
ହିନ୍ଦୁସ୍ଥାନ ସମାଚାର / ପିକେପି