

ସୁବର୍ଣପୁର, ୨୨ ଅକ୍ଟୋବର (ହି.ସ.)- ଚଳିତ ବର୍ଷ ବ୍ଲକଛକ ଦୁର୍ଗାପୂଜା କମିଟି ପକ୍ଷରୁ ଆକର୍ଷଣୀୟ ସାଜସଜ୍ଜା ସହ ହୋଇଛି । ଗତ ରାତିରେ ଅନୁଷ୍ଠିତ ରାବଣ ପୋଡି ଉତ୍ସବରେ ପ୍ରାୟ ୨୦ ହଜାର ଦର୍ଶକଙ୍କ ଭିଡ ଜମି ଥିଲା l ଏହି ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ରାବଣ ଦରବାରରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଦେବାଶିଷ ସିଂହ ଓ ସମ୍ମାନିତ ଅତିଥି ଭାବରେ ଏସପି ନାରାୟଣ ନାଏକ ଯୋଗଦେଇ ଅନ୍ୟାୟ ଉପରେ ନ୍ୟାୟ ଓ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଏ ରାବଣ ପୋଡ଼ି ମହୋତ୍ସବ ବୋଲି କହିଥିଲେ। ସଭାପତି ଅରବିନ୍ଦ ବାରିକ ସଂପାଦକ ନିଶାନ୍ତ ମହାନ୍ତି, ଦିଲ୍ଲୀପ ପାତ୍ର, ବଳଦେବ ବେଦବାକ, ଶରତ ମହାପାତ୍ର, ଡଃ. ଜ୍ୟୋତି ରଞ୍ଜନ ବହିଦାର ପ୍ରମୁଖ ମଞ୍ଚାସିନ ଥିବାବେଳେ ପୂଜା କମିଟିର ସ୍ମରଣିକା ଶାକମ୍ଭରୀ ଅତିଥିଙ୍କ ଦ୍ଵାରା ଉନ୍ମୋଚନ ହୋଇଥିଲା ।
ରାବଣ ଭୂମିକାରେ ନାଟ୍ୟଶ୍ରୀ ଦେବରାଜ ଛତ୍ରୀଆଙ୍କ ଅଭିନୟ ଖୁବ ଉଚ୍ଚକୋଟୀର ଥିଲା। ଏହି ଅବସରରେ ମଞ୍ଚ ଉପରେ ନାଚଗୀତର ଆସରକୁ ଅନେକ ରାତିଯାଏ ଦର୍ଶକ ମନଭରି ଉପଭୋଗ କରିଥିଲେ। ଶେଷରେ ଅତିଥିଙ୍କ ଦ୍ଵାରା ରାବଣଙ୍କ ଦେହରେ ଅଗ୍ନି ସଂଯୋଗ କରାଯାଇଥିଲା l ପିପିଲିରୁ ଆସିଥିବା ବିଭିନ୍ନ ଆତସବାଜୀର ପ୍ରଦର୍ଶନକୁ ଦର୍ଶକ ଖୁବ ପ୍ରଶଂସା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ