
ନୂଆଦିଲ୍ଲୀ, ୨୨ ଅକ୍ଟୋବର (ହି.ସ.)। କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଯମୁନା ନଦୀର ପୁନରୁଦ୍ଧାର ପାଇଁ ଦିଲ୍ଲୀ ଜଳ ବୋର୍ଡ (ଡିଜେବି)ର ୪୩ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଶ୍ୟାମ ବିହାରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହି ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ କରିଥିଲେ। ଏହି ସମସ୍ତ ପ୍ରକଳ୍ପର ମୋଟ ବ୍ୟୟ ଅଟକଳ ୮,୯୪୧ କୋଟି ଟଙ୍କା। ଏଥିରେ ୨,୮୨୭.୧୧ କୋଟି ଟଙ୍କା ବ୍ୟୟରେ ୧୦ଟି ପ୍ରକଳ୍ପର ଉଦ୍ଘାଟନ ଏବଂ ୬,୧୧୪.୧୧ କୋଟି ଟଙ୍କା ବ୍ୟୟରେ ୩୩ଟି ପ୍ରକଳ୍ପର ଶିଳାନ୍ୟାସ ସାମିଲ ରହିଛି।
ଅମିତ ଶାହ କହିଛନ୍ତି ଯେ, ଯମୁନା ନଦୀକୁ ନିର୍ମଳ କରିବା ପରେ ୨୦୨୯ରେ ସେମାନେ ଭୋଟ ମାଗିବାକୁ ଆସିବେ। କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଆପ୍) ଗତ ୩୦ ବର୍ଷ ଧରି ଯମୁନା ନଦୀରେ ନର୍ଦ୍ଦମା ଜଳ ଓ ଗୋବର ଛାଡ଼ିବା କାମ କରିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ଯମୁନାକୁ ପ୍ରଦୂଷଣମୁକ୍ତ କରିବା ଉଦ୍ଦେଶ୍ୟରେ ଆଜି ପ୍ରାୟ ୯,୦୦୦ କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଓ ଶିଳାନ୍ୟାସ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ଯମୁନା ନଦୀର ସ୍ୱଚ୍ଛତା ପାଇଁ ମେରୁଦଣ୍ଡ ଭଳି କାର୍ଯ୍ୟ କରିବ ବୋଲି ସେ କହିଥିଲେ।
ସେ ଆହୁରି କହିଥିଲେ ଯେ, ଦିଲ୍ଲୀରେ ସରକାର ଗଠନ ହେବା ପରେ ତୁରନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ମାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ। ଏହି ବୈଠକରେ ସେ ଦିଲ୍ଲୀ ସରକାର ଓ ଗୃହ ମନ୍ତ୍ରଣାଳୟ ସମ୍ମୁଖରେ ଯମୁନାକୁ ସ୍ୱଚ୍ଛ କରିବା ନେଇ ନିଜର ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ। ଏତେ କମ୍ ସମୟ ମଧ୍ୟରେ ଆମେ ଏହି ଲକ୍ଷ୍ୟ ଦିଗରେ ୪୦ ପ୍ରତିଶତରୁ ଅଧିକ ରାସ୍ତା ଅତିକ୍ରମ କରିସାରିଛୁ ବୋଲି ଅମିତ ଶାହ କହିଥିଲେ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା