
ନୂଆଦିଲ୍ଲୀ, ୨୨ ଅକ୍ଟୋବର (ହି.ସ.)। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ସମେତ ଅନେକ ନେତା ଗୁରୁବାର ଏସୀୟ ପାରା କ୍ରୀଡ଼ା-୨୦୨୬ରେ ମହିଳା ବ୍ୟକ୍ତିଗତ ତୀରନ୍ଦାଜୀ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ସ୍ୱାତୀ ଚୌଧୁରୀ, ପୁରୁଷ ଶଟ୍ପୁଟ୍ ଏଫ୍୫୩ ଫାଇନାଲ୍ରେ ୮.୧୬ ମିଟର ଦୂରତାକୁ ଗୋଳା ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଥିବା ଆୟୁଷ ବର୍ମା, ମହିଳା ଡିସ୍କସ୍ ଥ୍ରୋ ଏଫ୍୫୪ ଫାଇନାଲ୍ରେ ୧୫.୬୬ ମିଟରର ଚମତ୍କାର ପ୍ରଦର୍ଶନ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ସୁବର୍ଣ୍ଣା ରାଜ ଏବଂ ତୀରନ୍ଦାଜୀର ମିଶ୍ରିତ ଦଳଗତ କମ୍ପାଉଣ୍ଡ୍ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଶୀତଳ ଦେବୀ ଓ ତୋମନ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ରାଷ୍ଟ୍ରପତି ମୁର୍ମୁ ଏକ୍ସରେ ଲେଖିଛନ୍ତି, “ସ୍ୱାତୀ ଚୌଧୁରୀ, ଏହି ପ୍ରତିଯୋଗିତାରେ ଭାରତ ପାଇଁ ପ୍ରଥମ ପଦକ ଜିତି ଆପଣ ଇତିହାସ ରଚିଛନ୍ତି ଏବଂ ଏହି କ୍ରୀଡ଼ା ପାଇଁ ଏକ ନୂଆ ପଥ ଖୋଲିଛନ୍ତି। ଆପଣଙ୍କର ଏହି ସଫଳତା ତୀରନ୍ଦାଜୀର ଅନ୍ୟ ଖେଳାଳିମାନଙ୍କୁ ଉଚ୍ଚ ଲକ୍ଷ୍ୟ ରଖିବା ଏବଂ ପୂର୍ଣ୍ଣ ସଂକଳ୍ପ ସହ ନିଜ ସ୍ୱପ୍ନ ପୂରଣ କରିବା ଦିଗରେ ଆଗେଇବାକୁ ପ୍ରେରଣା ଦେବ।”
ଓମ୍ ବିର୍ଲା କହିଛନ୍ତି, “ଭାରତ ପାଇଁ ସ୍ୱର୍ଣ୍ଣିମ ଗୌରବ! ଏସୀୟ ପାରା କ୍ରୀଡ଼ାର ପୁରୁଷ ଶଟ୍ପୁଟ୍ ଏଫ୍୫୩ ଫାଇନାଲ୍ରେ ୮.୧୬ ମିଟରର ଚମତ୍କାର ଥ୍ରୋ ସହ ଆୟୁଷ ବର୍ମା ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ଦେଶ ପାଇଁ ଗର୍ବର ମୁହୂର୍ତ୍ତ!”
ନିତିନ ଗଡ଼କରୀ କହିଛନ୍ତି ଯେ, ସୁବର୍ଣ୍ଣା ରାଜଙ୍କ ଏହି ଚମତ୍କାର ପ୍ରଦର୍ଶନ ତାଙ୍କ କ୍ରୀଡ଼ା ଯାତ୍ରାର ଏକ ସ୍ମରଣୀୟ ସମାପ୍ତି ଆଣିଛି। ଏହାଦ୍ୱାରା ଦେଶର ଗୌରବ ବୃଦ୍ଧି ପାଇଛି ଏବଂ ଅନେକ ଉଦୀୟମାନ ଖେଳାଳି ପ୍ରେରଣା ପାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା