



ବଲାଙ୍ଗିର, ୨୨ ଅକ୍ଟୋବର (ହି.ସ.)- ପ୍ରାଚୀନ ଭାରତୀୟ ଜ୍ଞାନପରମ୍ପରାର ଅମୂଲ୍ୟ ବାହକ ସଂସ୍କୃତ ଭାଷାର ସଂରକ୍ଷଣ, ସଂବର୍ଦ୍ଧନ ଓ ଜନସାଧାରଣଙ୍କ ମଧ୍ୟରେ ଏହାର ବ୍ୟବହାରିକ ପ୍ରସାର ଲକ୍ଷ୍ୟରେ ସଂସ୍କୃତଭାରତୀ, ଉତ୍କଳ ପଶ୍ଚିମ ପ୍ରାନ୍ତ ପକ୍ଷରୁ ତ୍ରିଦିବସାତ୍ମକ ସଂସ୍କୃତ ଭାଷାବୋଧନ ବର୍ଗ ର ଶୁଭାରମ୍ଭ ହୋଇଯାଇଛି। ଗୁରୁବାର ଦିନ ବଲାଙ୍ଗୀର ସହରର କଲେଜଛକସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ସଂସ୍କୃତ ଭାଷାର ମହତ୍ତ୍ୱ, ସମକାଳୀନ ସମାଜରେ ଏହାର ପ୍ରାସଙ୍ଗିକତା ଏବଂ ଦୈନନ୍ଦିନ ଜୀବନରେ ସଂସ୍କୃତର ବ୍ୟବହାର ବିଷୟରେ ଗୁରୁତ୍ୱାରୋପ କରାଯାଇଥିଲା।
ସମାରୋହର ପ୍ରାରମ୍ଭରେ ମିଥୁନ ବାଗ୍ ଧ୍ୟେୟମନ୍ତ୍ର ଉଚ୍ଚାରଣ କରିଥିବା ବେଳେ କଳାହାଣ୍ଡି ବିଭାଗ ସଂଯୋଜକ ଉମେଶ ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂସ୍କୃତଭାରତୀର ପ୍ରାନ୍ତ ସହମନ୍ତ୍ରୀ ଡ. ମାନସରଞ୍ଜନ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।
ସମାରୋହର ମୁଖ୍ୟବକ୍ତା ସଂସ୍କୃତଭାରତୀର ପ୍ରାନ୍ତ ସମ୍ପାଦକ ଅଜିତ କୁମାର ପଣ୍ଡା, ମୁଖ୍ୟ ଅତିଥି ଭାବେ ବନବାସୀ କଲ୍ୟାଣ ଆଶ୍ରମର ବଲାଙ୍ଗୀର ଜିଲ୍ଲା ସଭାପତି ରବି ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ନଗର ସହସଂଘଚାଳକ ତରଣୀସେନ ପଟେଲ ଏବଂ ବରେଣ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର କୁମାର ମିଶ୍ର ଉପସ୍ଥିତ ଥିଲେ। ସଭାରେ ଧର୍ମରାଜ ବାଗ୍ ସଭାପତିତ୍ୱ କରିଥିଲେ।ଶେଷରେ ବର୍ଗ ବ୍ୟବସ୍ଥା ପ୍ରମୁଖ ରାଧାନାଥ ଦିଶ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। ସଂସ୍କୃତଭାରତୀ, ଉତ୍କଳ ପଶ୍ଚିମ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପା, ବଲାଙ୍ଗୀରର ସଂସ୍କୃତ ଶିକ୍ଷକ ଶେଷଦେବ ମିଶ୍ର ସମଗ୍ର କାର୍ଯ୍ୟକ୍ରମର ସଂଚାଳନ କରିଥିଲେ।
ବିଭିନ୍ନ ଜିଲ୍ଲାର ୫୫ ଜଣ ଏହି ବର୍ଗରେ ପ୍ରଶିକ୍ଷଣ ନେଉଛନ୍ତି।
ସଂସ୍କୃତଭାରତୀର ଏହି ପ୍ରୟାସ ମାଧ୍ୟମରେ ସଂସ୍କୃତ ଭାଷାକୁ ଶିକ୍ଷାନୁଷ୍ଠାନର ସୀମା ଅତିକ୍ରମ କରାଇ ସାଧାରଣ ଜୀବନ ସହିତ ସଂଯୋଜିତ କରିବା, ଭାଷାଗତ ଆତ୍ମବିଶ୍ୱାସ ବୃଦ୍ଧି କରିବା ଏବଂ ଭାରତୀୟ ସାଂସ୍କୃତିକ ଚେତନାକୁ ସୁଦୃଢ଼ କରିବା ଦିଗରେ ପ୍ରୟାସ କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ