ଜିଲ୍ଲାସ୍ତରୀୟ ସିଙ୍ଗଲ ୱିଣ୍ଡୋ ଅନୁମୋଦନ କମିଟି ବୈଠକ : ୪୩.୭୫ କୋଟି ଟଙ୍କାର ୨ଟି ପ୍ରକଳ୍ପକୁ ମଞ୍ଜୁରୀ
Single window committee meeting
ଜିଲ୍ଲାସ୍ତରୀୟ ସିଙ୍ଗଲ ୱିଣ୍ଡୋ ଅନୁମୋଦନ କମିଟି ବୈଠକ


ଝାରସୁଗୁଡ଼ା, ୨୨ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲାରେ ଶିଳ୍ପାୟନ ତଥା ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲାସ୍ତରୀୟ ସିଙ୍ଗଲ ୱିଣ୍ଡୋ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ସମ୍ଭାବନା ଏବଂ ଶିଳ୍ପ ପ୍ରତିଷ୍ଠା ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା।

ଏହି ବୈଠକରେ ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଅରିନ୍ଦମ ପ୍ରଧାନ, ଇଡକୋ ଅଧିକାରୀବୃନ୍ଦ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ, ବାଣିଜ୍ୟିକ କର ଓ ଜିଏସଟି ପ୍ରତିନିଧି, କିର୍ମିରା ତହସିଲଦାର, ଝାରସୁଗୁଡ଼ା ଅତିରିକ୍ତ ତହସିଲଦାର, ଟାଟା ପାୱାର ପ୍ରତିନିଧି, ଲିଡ୍ ବ୍ୟାଙ୍କ ମ୍ୟାନେଜର ଏବଂ ଡିଆଇପିଏ ର ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ବୈଠକରେ ଜିଲ୍ଲାରେ ଆଡଭାନ୍ସଡ ଇଞ୍ଜିନିୟରିଂ ଫ୍ୟାବ୍ରିକେସନ, ବାୟୋ ମାସ୍ ପେଲେଟ୍ସ ଉତ୍ପାଦନ, ରେଳବାଇ ସ୍ଲିପର ନିର୍ମାଣ, ଫୁଡ୍ ପ୍ରୋସେସିଂ ଏବଂ ଫ୍ଲାଏ ଆଶ୍ ଇଟା ଉତ୍ପାଦନ ଭଳି ବିଭିନ୍ନ କ୍ଷେତ୍ରର ମୋଟ ୧୨ଟି ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ସମସ୍ତ ପ୍ରକଳ୍ପଗୁଡ଼ିକର ସମୁଦାୟ ବ୍ୟୟଅଟକଳ ୨୨୧.୨୦ କୋଟି ଟଙ୍କା ଥିବା ବେଳେ ଏହାଦ୍ୱାରା ପ୍ରାୟ ୯୧୧ ଜଣ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଏଥିମଧ୍ୟରୁ କମିଟି ଦ୍ୱାରା ପ୍ରାଥମିକ ଭାବେ ୪୩.୭୫ କୋଟି ଟଙ୍କା ନିବେଶ ବିଶିଷ୍ଟ ୨ଟି ପ୍ରମୁଖ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି, ଯାହା ମାଧ୍ୟମରେ ସ୍ଥାନୀୟ ଅଂଚଳରେ ୨୦୧ ଜଣଙ୍କୁ ନିଯୁକ୍ତି ମିଳିବ। ଅନୁମୋଦିତ ପ୍ରକଳ୍ପ ମଧ୍ୟରେ କୃଷି ପ୍ରକ୍ରିୟାକରଣ କ୍ଷେତ୍ରରେ ପ୍ରାୟ ୩୦.୦୦ କୋଟି ଟଙ୍କାର ଏକ ପ୍ରକଳ୍ପ ସାମିଲ ରହିଛି, ଯାହାଦ୍ୱାରା ୧୨୫ ଜଣଙ୍କୁ କର୍ମସଂସ୍ଥାନ ମିଳିବ। ସେହିପରି ଉତ୍ପାଦନ (ଆସବାବପତ୍ର ଓ ପ୍ରି-ଇଞ୍ଜିନିୟର୍ଡ ପ୍ରଡକ୍ଟସ) କ୍ଷେତ୍ରରେ ୧୩.୭୫ କୋଟି ଟଙ୍କାର ଅନ୍ୟ ଏକ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି, ଯାହା ମାଧ୍ୟମରେ ୭୬ ଜଣଙ୍କ ପାଇଁ ନୂତନ ନିଯୁକ୍ତି ସୃଷ୍ଟି ହେବ। ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

-----------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande