
ଜୟପୁର, ୨୨ ଅକ୍ଟୋବର (ହି.ସ.)- ଆଜି ବୋରିଗୁମ୍ମା ବ୍ଲକ କାର୍ଯ୍ୟାଳୟ ପରିସରରେ ସଫେଇ କର୍ମଚାରୀ ମାନଙ୍କୁ ନେଇ ଏକ ସୌଜନ୍ୟମୂଳକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୋରିଗୁମ୍ମା ବିଡ଼ିଓ ତଥା ବୋରିଗୁମ୍ମା ନୂତନ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରି ସୁକାନ୍ତ କୁମାର ପଟନାୟକଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତି ଯୋଗଦେଇ ଗତ ତିନି ମାସ ମଧ୍ୟରେ ବୋରିଗୁମ୍ମାରେ ସଫେଇ କାର୍ଯ୍ୟ ସୁନ୍ଦର ଭାବେ ପରିଚାଳିତ ହେଉଛି, ତେଣୁ ସମସ୍ତ ସଫେଇ କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ। ଆଗକୁ ମଧ୍ୟ ଏଭଳି ଭଲ କାମ କରି ବୋରିଗୁମ୍ମା ସହରକୁ ଏକ ନମ୍ବର ସହର କରିବା ପାଇଁ ସମସ୍ତଙ୍କ ପ୍ରୟାସ ହେବା ଦରକାର ବୋଲି କହିଥିଲେ ବିଧାୟକ ତାରା ପ୍ରସାଦ ବହିନୀପତି। ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରି ଆଗକୁ ସେମାନଙ୍କର,ସ୍ୱାସ୍ଥ୍ୟ ବୀମା କରିବା ସହିତ ସେମାନଙ୍କର ଅସୁବିଧା ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି। ବୋରିଗୁମ୍ମା ନୂତନ ଏନଏସିରେ ସଫେଇ କାର୍ଯ୍ୟରେ ୨୬ ଜଣ ମହିଳା ଏବଂ ୩୨ ଜଣ ପୁରୁଷ କାର୍ଯ୍ୟରତ ରହିଛନ୍ତି। ସେମାନଙ୍କୁ ଉତ୍ସାହିତ କରିବା ପାଇଁ ବିଧାୟକ ସଫେଇ କାର୍ଯ୍ୟରେ ନିୟୋଜିତ ପୁରୁଷ ଲୋକଙ୍କୁ ଗୋଟାଏ ଲେଖାଏଁ ଡ୍ରେସ ଏବଂ ମହିଳା ସଫେଇ କର୍ମଚାରୀଙ୍କୁ ଗୋଟିଏ ଲେଖାଏଁ ଶାଢ଼ୀ ବଣ୍ଟନ କରିଥିଲେ। ବିଧାୟକଙ୍କ ଏଭଳି ପ୍ରୟାସରେ ସମସ୍ତ ସଫେଇ କର୍ମଚାରୀ ଖୁସି ବ୍ୟକ୍ତ କରିଛନ୍ତି।କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଏ.ବି.ଡି.ଓ. ମାଧୁରୀ ଆଚାରି, ଜିପିଓ ମହେନ୍ଦ୍ର ପଣ୍ଡା, ବୋରିଗୁମ୍ମା କନିଷ୍ଠ ଯନ୍ତ୍ରୀ ଆର.କେ. ପାଣିଗ୍ରାହୀ ଏବଂ ବିଧାୟକଙ୍କ ପ୍ରତିନିଧି ଅଶୋକ କୁମାର ଗନ୍ତାୟତ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସଫେଇ କର୍ମଚାରୀ ରିତ ବାଘ, ରବି ହରିଜନ, ଇନସ ମଣି, ଅଞ୍ଜଳି ସେଠି, ରଶ୍ମିତା ଗରଡ଼ା ଓ ସାଗରିକା ଖସଲାଙ୍କ ସମେତ ସମସ୍ତ ସଫେଇ କର୍ମଚାରୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି