
ଭୁବନେଶ୍ୱର, ୨୨ ଅକ୍ଟୋବର (ହି.ସ)- ଆଗାମୀ ଅକ୍ଟୋବର ୨୫ ତାରିଖରେ ଗଣତନ୍ତ୍ର ବିରୋଧି, ସମ୍ବିଧାନ ବିରୋଧି ଓ ସାଧାରଣ ମଣିଷର ସ୍ୱାର୍ଥ ବିରୋଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ନବନିର୍ମାଣ କୃଷକ ସଂଗଠନ ଓ ଯୁବଛାତ୍ର ସଂଗଠନ ତୀବ୍ର ବିରୋଧ କରିବ ବୋଲି ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାର ଗୁରୁବାର ସତ୍ୟନଗର ସ୍ଥିତ ଭୁବନେଶ୍ୱର କାର୍ଯ୍ୟାଳୟରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଧାରଣ ବ୍ୟକ୍ତିର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଆଦାନୀ, ଆମ୍ବାନୀ ଇତ୍ୟାଦି ପୁଞ୍ଜିପତିର ଦଲାଲ ହୋଇ କାମ କରୁଥିବା ବେଳେ ସାଧାରଣ ବ୍ୟକ୍ତିର ମୌଳିକ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର ପାଇଁ ସ୍ୱର ଉତୋଳନ କରୁଥିବା ସାମାଜିକ କର୍ମକର୍ତାକୁ ପୋଲିସ ଭଳି ସରକାରୀ ଗୁଣ୍ଡାର ଅପବ୍ୟବହାର କରି ଚୁପ୍ କରାଇବା ପାଇଁ ପ୍ରୟାସ ଚଳାଇଛନ୍ତି, ଯାହା ଏକଛତ୍ରବାଦୀ ଫାସୀବାଦି ହିଟଲର ପନ୍ଥୀର ନମୁନା ବୋଲି ପ୍ରମାଣିତ ହୋଇଛି ବୋଲି ଶ୍ରୀ କୁମାର ପ୍ରକାଶ କରିଥିଲେ।
ଗଣତନ୍ତ୍ର ବିରୋଧି ସମ୍ବିଧାନ ବିରୋଧି ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଭୋଟ ଅଭିଯୋଗରେ ଗାଦି ଛାଡ଼ିବାକୁ ଚାଲିଥିବା ଗଣତାନ୍ତ୍ରିକ ସାମ୍ବିଧାନିକ ଆନ୍ଦୋଳନକୁ ପୋଲିସ ଗୁଣ୍ଡାଗିରି ମାଧ୍ୟମରେ ଦବାଇ ଦେବାର ଘୃଣ୍ୟ ପ୍ରୟାସକୁ କଦାପି ଗ୍ରହଣ କରାଯିବ ନାହିଁ ବୋଲି ମତ ପ୍ରକାଶ ପାଇଥିଲା। କେବଳ ତ୍ରିରଙ୍ଗା ପତାକା ଉଡ଼ାଇ ପ୍ରତିବାଦ କଲେ ମଧ୍ୟ ଜେଲ୍ କୋଠରୀ ଭିତରେ ବିତେଇବାକୁ ପଡ଼ିବ ବୋଲି କକ୍ରୋଚ୍ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ସୌରଭ ଦାସ ଏବଂ ରାଷ୍ଟ୍ରୀୟ ନେତା ଆଶୁତୋଷ ରାଙ୍କାର ଉଦାହରଣରୁ ଏହା ଆହୁରି ସ୍ପଷ୍ଟ ହୋଇଯାଇଛି।
ଏତତ୍ ବ୍ୟତୀତ ଗୋଦୀ ମିଡ଼ିଆ ମାଧ୍ୟମରେ ଗଣତାନ୍ତ୍ରିକ ଆନ୍ଦୋଳନକୁ ବଦନାମ କରିବାର ପ୍ରୟାସ କରାଯାଉଥିବା ବେଳେ ସାମାଜିକ ଗଣମାଧ୍ୟମର ସ୍ୱରକୁ ଚାପିଦେବା ପାଇଁ ସାମାଜିକ ଗଣମାଧ୍ୟମର ତନ୍ତ୍ରଗୁଡ଼ିକୁ ଏବଂ ସାମାଜିକ କର୍ମୀମାନଙ୍କର ପ୍ରୟାସକୁ ସଂକୁଚିତ କରିବାର ସରକାରୀ ଘୃଣ୍ୟ ପ୍ରୟାସକୁ ଦୃଢ ନିନ୍ଦା କରିବା ସହିତ ଏଥିପାଇଁ ପ୍ରଧାନମନ୍ତ୍ରୀ ନିଜେ ଦାୟୀ ବୋଲି ମତ ପ୍ରକାଶ ପାଇଥିଲା।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ନବନିର୍ମାଣ କୃଷକ ଓ ଯୁବଛାତ୍ର ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାରଙ୍କ ସହିତ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ରଶ୍ମି ରଂଜନ ସ୍ୱାଇଁ, ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ, କୃଷକ ସଂଗଠନର ମୁଖ୍ୟ ଉପଦେଷ୍ଠା ଡା. କୁଳମଣୀ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା