ଡାକ ବିଭାଗ କୁ ନବରଙ୍ଗପୁର ସ୍ଥାନାନ୍ତର କୁ ବିରୋଧ
ଜୟପୁର, 22 ଅକ୍ଟୋବର (ହି.ସ.) ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରମୁଖ ସହର ଜୟପୁରର ଡାକ ପ୍ରଶାସନିକ ଭିତ୍ତିଭୂମିକୁ ସଂକୁଚିତ କରିବା ଏବଂ ବରିଷ୍ଠ ଡାକ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ନବରଙ୍ଗପୁର ସ୍ଥାନାନ୍ତର କରିବା ପ୍ରସ୍ତାବକୁ ନେଇ ତୀବ୍ର ବିରୋଧ ପ୍ରକାଶ ପାଇଛି। ଜୟପୁରରେ ଦୀର୍ଘ ୪୦ ବର୍ଷ ଧରି କାର୍ଯ୍
ଡାକ ବିଭାଗ କୁ ନବରଙ୍ଗପୁର ସ୍ଥାନାନ୍ତର କୁ ବିରୋଧ


ଜୟପୁର, 22 ଅକ୍ଟୋବର (ହି.ସ.) ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରମୁଖ ସହର ଜୟପୁରର ଡାକ ପ୍ରଶାସନିକ ଭିତ୍ତିଭୂମିକୁ ସଂକୁଚିତ କରିବା ଏବଂ ବରିଷ୍ଠ ଡାକ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ନବରଙ୍ଗପୁର ସ୍ଥାନାନ୍ତର କରିବା ପ୍ରସ୍ତାବକୁ ନେଇ ତୀବ୍ର ବିରୋଧ ପ୍ରକାଶ ପାଇଛି। ଜୟପୁରରେ ଦୀର୍ଘ ୪୦ ବର୍ଷ ଧରି କାର୍ଯ୍ୟ କରୁଥିବା ଡାକ ମଣ୍ଡଳର ପ୍ରଶାସନିକ ବ୍ୟବସ୍ଥାରେ ପରିବର୍ତ୍ତନ ସହ ୧୯୪୨ ମସିହାରୁ ପ୍ରତିଷ୍ଠିତ ଜୟପୁର ମୁଖ୍ୟ ଡାକଘରର କାର୍ଯ୍ୟପରିସର ସଂକୁଚିତ କରିବା ପ୍ରସ୍ତାବକୁ ବନ୍ଦ କରିବା ପାଇଁ ଦାବି ହୋଇଛି। ଏ ନେଇ ମାନବାଧିକାର ଓ ସୂଚନା ଅଧିକାର କର୍ମୀ ତଥା ଆଇନଜୀବୀ ଅନୁପ କୁମାର ପାତ୍ର ରାଷ୍ଟ୍ରପତି, କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଓ ଓଡ଼ିଶା ଡାକ ସର୍କଲର ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଶ୍ରୀ ପାତ୍ର ଏ ସମ୍ପର୍କରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସ୍ମାରକପତ୍ର ଦେଇଛନ୍ତି। ଏହାର ନକଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶାର ମୁଖ୍ୟମନ୍ତ୍ରୀ, ରାଜସ୍ୱ କମିଶନର ଏବଂ କୋରାପୁଟ ଓ ନବରଙ୍ଗପୁର ଲୋକସଭା କ୍ଷେତ୍ରର ସାଂସଦ ସପ୍ତଗିରି ଉଲ୍ଲାକା ଓ ବଳଭଦ୍ର ମାଝୀଙ୍କୁ ପଠାଯାଇଛି। ନୂତନ ନବରଙ୍ଗପୁର ଡାକ ମଣ୍ଡଳ ଗଠନ ନାମରେ ଜୟପୁରର ପୁରୁଣା ପ୍ରଶାସନିକ ବ୍ୟବସ୍ଥାକୁ ଦୁର୍ବଳ କରିବା ଉଚିତ ନୁହେଁ ବୋଲି ସେ ଦର୍ଶାଇଛନ୍ତି।

ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ଓଡ଼ିଶା ଡାକ ସର୍କଲ ପକ୍ଷରୁ ଗତ ସେପ୍ଟେମ୍ବର ୧୪ ତାରିଖରେ ଜାରି ନିର୍ଦ୍ଦେଶନାମା ଅନୁଯାୟୀ ନୂତନ ନବରଙ୍ଗପୁର ଡାକ ମଣ୍ଡଳ ଗଠନ ସହ ଜୟପୁରର ବରିଷ୍ଠ ଡାକ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ଓ ଡାକ ପ୍ରଶାସନିକ କ୍ଷେତ୍ରର ପୁନର୍ଗଠନ ପ୍ରକ୍ରିୟା ଆସନ୍ତା ନଭେମ୍ବର ୧ରୁ କାର୍ଯ୍ୟକାରୀ କରିବାକୁ ଯୋଜନା ରହିଛି। ଏହି ପ୍ରସ୍ତାବ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ଶ୍ରୀ ପାତ୍ର ଦାବି କରିଛନ୍ତି। ତାଙ୍କ କହିବାନୁଯାୟୀ, ନୂତନ ପ୍ରଶାସନିକ ବ୍ୟବସ୍ଥା ଗଠନ କରିବା ନାଁରେ ଦୀର୍ଘବର୍ଷ ଧରି କାର୍ଯ୍ୟକ୍ଷମ ଥିବା ଏକ ଐତିହାସିକ ଅନୁଷ୍ଠାନର ଭିତ୍ତିଭୂମିକୁ ସଂକୁଚିତ କରିବା ଗ୍ରହଣୀୟ ନୁହେଁ। ଏହାଦ୍ୱାରା ଅବିଭକ୍ତ କୋରାପୁଟ ଅଞ୍ଚଳର ପ୍ରାୟ ୩୨ ଲକ୍ଷ ଲୋକ, ବିଶେଷକରି ଜନଜାତି ଓ ଅବହେଳିତ ବର୍ଗର ନାଗରିକମାନେ ଡାକ ଓ ଆର୍ଥିକ ସେବା ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।ବର୍ତ୍ତମାନ ଡାକଘର କେବଳ ଚିଠିପତ୍ର ଆଦାନପ୍ରଦାନର ମାଧ୍ୟମ ହୋଇ ରହିନାହିଁ। ଗ୍ରାମାଞ୍ଚଳରେ ଡାକଘର ମାଧ୍ୟମରେ ବିଭିନ୍ନ ସରକାରୀ ଆର୍ଥିକ ସେବା, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର, ବାର୍ଦ୍ଧକ୍ୟ ଭତ୍ତା, ମନରେଗା ମଜୁରି, ସୁକନ୍ୟା ସମୃଦ୍ଧି ଯୋଜନା ଓ ଡାକ ବ୍ୟାଙ୍କିଙ୍ଗ୍ ସେବା ଉପଲବ୍ଧ ହେଉଛି। ଏଭଳି ସ୍ଥିତିରେ ଜୟପୁର ମୁଖ୍ୟ ଡାକଘରର କାର୍ଯ୍ୟପରିସର ସଂକୁଚିତ ହେଲେ ଦୁର୍ଗମ ଅଞ୍ଚଳର ଲୋକଙ୍କୁ ବିଭିନ୍ନ ସେବା ପାଇଁ ଅଧିକ ଦୂର ଯିବାକୁ ପଡ଼ିପାରେ। ଏହା ଜନସାଧାରଣଙ୍କ ସମୟ, ଅର୍ଥ ଓ ଶ୍ରମ ଉପରେ ଅତିରିକ୍ତ ବୋଝ ପକାଇବା ସହ ସାଧାରଣ ସେବାର ସହଜ ଉପଲବ୍ଧତାକୁ ପ୍ରଭାବିତ କରିପାରେ ବୋଲି ସ୍ମାରକପତ୍ରରେ ଆଶଙ୍କା ପ୍ରକାଶ କରାଯାଇଛି। କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପଞ୍ଚମ ଅନୁସୂଚୀଭୁକ୍ତ ହୋଇଥିବାରୁ ଜନଜାତି ଓ ଦୁର୍ଗମ ଅଞ୍ଚଳର ଲୋକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେବା ଉପରେ ଶ୍ରୀ ପାତ୍ର ଗୁରୁତ୍ୱ ଦେଇଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଏଭଳି ପ୍ରଶାସନିକ ପରିବର୍ତ୍ତନ ପୂର୍ବରୁ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା ଓ ସମ୍ଭାବ୍ୟ ପ୍ରଭାବର ଆକଳନ କରାଯିବା ଆବଶ୍ୟକ ଥିଲା। ଗ୍ରାମସଭା ଓ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ସହ ଆବଶ୍ୟକ ପରାମର୍ଶ ନକରି ନିଷ୍ପତ୍ତି ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ଏହି ପଦକ୍ଷେପ ଦ୍ୱାରା ସମାନତାର ଅଧିକାର ଓ ଜୀବନ ଧାରଣର ଅଧିକାର ସମ୍ପର୍କିତ ସମ୍ବିଧାନର ଧାରା ୧୪ ଓ ୨୧ର ଭାବନା କ୍ଷୁଣ୍ଣ ହେବାର ଆଶଙ୍କା ମଧ୍ୟ ସେ ବ୍ୟକ୍ତ କରିଛନ୍ତି। ଏହି ଅଭିଯୋଗ ଓ ଆଇନଗତ ଯୁକ୍ତି ଉପରେ ସମ୍ପୃକ୍ତ ଡାକ କର୍ତ୍ତୃପକ୍ଷଙ୍କ ଆଭିମୁଖ୍ୟ ଜଣାପଡ଼ିନାହିଁ।ଜୟପୁରର ଡାକ ପ୍ରଶାସନିକ ଭିତ୍ତିଭୂମି ସୁରକ୍ଷା ପାଇଁ ଶ୍ରୀ ପାତ୍ର ୪ ଦଫା ଦାବି ଉଠାଇଛନ୍ତି। ପ୍ରଥମତଃ, ସେପ୍ଟେମ୍ବର ୧୪ ତାରିଖର ନିର୍ଦ୍ଦେଶନାମା ଉପରେ ତୁରନ୍ତ ରୋକ୍ ଲଗାଇ ନଭେମ୍ବର ୧ରୁ ପ୍ରସ୍ତାବିତ ପରିବର୍ତ୍ତନକୁ ସ୍ଥଗିତ ରଖାଯାଉ। ଦ୍ୱିତୀୟତଃ, କୌଣସି ନିଷ୍ପତ୍ତି ପୂର୍ବରୁ ଜୟପୁରବାସୀ, ବୁଦ୍ଧିଜୀବୀ, ଆଇନଜୀବୀ ଓ ଡାକ କର୍ମଚାରୀଙ୍କୁ ନେଇ ସ୍ୱଚ୍ଛ ଜନଶୁଣାଣି କରାଯାଉ। ତୃତୀୟତଃ, ଡାକ ମଣ୍ଡଳ ବିଭାଜନ ଦ୍ୱାରା ଆଦିବାସୀ ଅଞ୍ଚଳର ବ୍ୟାଙ୍କିଙ୍ଗ୍, ପେନ୍ସନ୍ ଓ ଅନ୍ୟାନ୍ୟ ସେବା ଉପରେ କି ପ୍ରଭାବ ପଡ଼ିବ, ତାହାର ନିରପେକ୍ଷ ସାମାଜିକ-ଅର୍ଥନୈତିକ ସର୍ଭେ କରାଯାଉ। ଚତୁର୍ଥତଃ, ଜୟପୁରର ଐତିହାସିକ ଡାକ ଭିତ୍ତିଭୂମିକୁ ଅକ୍ଷୁଣ୍ଣ ରଖି ନବରଙ୍ଗପୁର ପାଇଁ ସ୍ୱତନ୍ତ୍ର ପ୍ରଶାସନିକ ବ୍ୟବସ୍ଥା ଗଠନ କରାଯାଉ। ଜୟପୁରର ଦୀର୍ଘଦିନର ଡାକ ସେବା ଭିତ୍ତିଭୂମି ଓ ଏହା ଉପରେ ନିର୍ଭରଶୀଳ ଲକ୍ଷ ଲକ୍ଷ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଡାକ ବିଭାଗ ଏହି ପ୍ରସ୍ତାବର ପୁନର୍ବିଚାର କରିବା ସହ ଜନସ୍ୱାର୍ଥକୁ ପ୍ରାଥମିକତା ଦେଉ ବୋଲି ଶ୍ରୀ ପାତ୍ର ଦାବି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande