
Bhubaneswar, 23 ଅକ୍ଟୋବର (ହି.ସ.)ବିଜେପି ସରକାରରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ବିଜେଡିର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ୍ ମହାନ୍ତି ଏକ ପ୍ରେସ୍ ବିବୃତି ମାଧ୍ୟମରେ କହିଥିଲେ ଯେ, ପର୍ଯ୍ୟଟନର ବିକାଶ ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ପାସୋରି ଯାଉଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗୋପାଳପୁର ବେଳାଭୂମିରେ ଜଣେ ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସମ୍ମୁଖରେ ଗଣଦୁଷ୍କର୍ମ ଘଟଣା ସାରା ଦେଶରେ ଓଡ଼ିଶାର ଛବିକୁ ମଳିନ କରିଥିଲା । ସେହିପରି ୨୦୨୫ ସେପ୍ଟେମ୍ୱରରେ ପୁରୀ ଜିଲ୍ଲାର ବାଲିହରଚଣ୍ଡୀ ନିକଟରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୨୦୨୫ ଡିସେମ୍ୱରରେ ଧଉଳି ପର୍ଯ୍ୟଟନସ୍ଥଳୀ ନିକଟରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଥିଲା । ଏଥିସହିତ ଢେଙ୍କାନାଳର କପିଳାସ ଓ ପୁରୀର ଏକ ରେଷ୍ଟୁରାଣ୍ଟରେ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣା ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତର ଏକ ନଗ୍ନ ଚିତ୍ର । ଅନ୍ୟପକ୍ଷରେ, ୨୦୨୫ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ ଘଟିଥିବା ଦଳାଚକଟାରେ ୩ ଜଣ ଭକ୍ତଙ୍କ ମୃତୁ୍ୟ ହେବା ସହ ୫୦ରୁ ଅଧିକ ଭକ୍ତ ଆହତ ହେବା ଘଟଣା ପ୍ରଶାସନିକ ପ୍ରସ୍ତୁତିରେ ଥିବା ତ୍ରୁଟିକୁ ସାମ୍ନାକୁ ଆଣିଥିଲା । ସେହିପରି, ୨୦୨୬ ରଥଯାତ୍ରା ସମୟରେ ମଧ୍ୟ ଭିଡ଼ ଓ ପରିଚାଳନାଗତ ତ୍ରୁଟି ଯୋଗୁଁ ୨ ଜଣ ଭକ୍ତଙ୍କ ମୃତୁ୍ୟ ହୋଇଥିବା ବେଳେ ବହୁ ଭକ୍ତ ଆହତ ହୋଇଥିଲେ । ବିଜେପି ସରକାରର ଅପାରଗ ପଣିଆ ପାଇଁ ସାରା ବିଶ୍ୱରେ ଓଡ଼ିଶା ଆଜି ଲଜ୍ଜିତ ହେଉଛି ।
ଡ. ମହାନ୍ତି ଆହୁରି କହିଥିଲେ ଯେ, ପର୍ଯ୍ୟଟକଙ୍କ ସୁରକ୍ଷା ସହିତ ଠକ ଟ୍ରାଭେଲ୍ ଏଜେନ୍ସି ଓ ହୋଟେଲ୍ ବୁକିଂରେ ଠକେଇ ଭଳି ସମସ୍ୟା ମଧ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ କ୍ଷତି ପହଞ୍ଚାଉଛି । ଓଡ଼ିଶାକୁ ଏକ ସୁରକ୍ଷିତ, ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ିତୋଳିବା ପାଇଁ କେବଳ ପ୍ରଚାର ଯଥେଷ୍ଟ ନୁହେଁ, ଏଥିପାଇଁ ଦୃଢ଼ ସୁରକ୍ଷା ବ୍ୟବସ୍ଥା, ଦାୟିତ୍ୱବୋଧ ଓ ପ୍ରଭାବଶାଳୀ ପ୍ରଶାସନ ଆବଶ୍ୟକ । ରାଜ୍ୟର ସମସ୍ତ ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା, ସିସିଟିଭି କ୍ୟାମେରା, ସ୍ୱତନ୍ତ୍ର ସୁରକ୍ଷାକର୍ମୀ ଓ ନିୟମିତ ରାତ୍ରିକାଳୀନ ପାଟ୍ରୋଲିଂ ବ୍ୟବସ୍ଥା କରାଯାଉ । ମହିଳା ଓ ପର୍ଯ୍ୟଟକଙ୍କ ସହ ଘଟୁଥିବା ଅପରାଧର ତ୍ୱରିତ ଓ ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡ ପ୍ରଦାନ କରାଯାଉ । ପର୍ଯ୍ୟଟକ ମାନଙ୍କ ଜୀବନ, ସମ୍ମାନ ଓ ସୁରକ୍ଷା ସହ କୌଣସି ପ୍ରକାର ସାଲିସ୍ କରାଯାଇପାରିବ ନାହିଁ । ନବୀନ ପଟ୍ଟନାୟକଙ୍କ ସମୟରେ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ଯେଉଁ ସୁନାମ ଅର୍ଜନ କରିଥିଲା, ତାକୁ ବଜାୟ ରଖିବା ସହ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ସୁରକ୍ଷାକୁ ନେଇ ମହିଳା ଓ ପର୍ଯ୍ୟଟକଙ୍କ ମନରେ ବିଶ୍ୱାସ ଫେରାଇ ଆଣିବା ପାଇଁ ବିଜେପି ସରକାର ତୁରନ୍ତ ଠୋସ୍ ପଦକ୍ଷେପ ଗ୍ରହଣ କରନ୍ତୁ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା