

ପୁରୀ, ୨୩ ଅକ୍ଟୋବର (ହି.ସ.)- ପବିତ୍ର କାର୍ତ୍ତିକ ବ୍ରତ ଅବସରରେ ପୁରୀକୁ ଆସୁଥିବା ହବିଷ୍ୟାଳୀଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ରାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ (ଆଇଜି) ଡଃ. ସତ୍ୟଜିତ ନାୟକ, ଆଇପିଏସ୍, ଶୁକ୍ରବାର ପୁରୀ ଗସ୍ତ କରି ହବିଷ୍ୟାଳୀଙ୍କ ରହଣି ପାଇଁ ଚିହ୍ନଟ ହୋଇଥିବା ତିନୋଟି ସ୍ଥାନର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହ ତାଙ୍କ ସହ ଉପସ୍ଥିତ ଥିଲେ। ଗସ୍ତ ସମୟରେ ଆଇ.ଜି. ହବିଷ୍ୟାଳୀଙ୍କ ରହଣିସ୍ଥଳ ପରିଦର୍ଶନ କରିବା ସହ ସେଠାରେ ଉପଲବ୍ଧ ସୁବିଧାସୁଯୋଗ ଏବଂ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ହବିଷ୍ୟାଳୀମାନେ ଯେପରି ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ସୁବ୍ୟବସ୍ଥିତ ପରିବେଶରେ ରହି କାର୍ତ୍ତିକ ବ୍ରତ ପାଳନ କରିପାରିବେ, ସେଥିପାଇଁ ପୋଲିସ ଓ ସମ୍ପୃକ୍ତ ବିଭାଗଗୁଡ଼ିକର ପ୍ରସ୍ତୁତି ସମ୍ପର୍କରେ ସେ ଅନୁଧ୍ୟାନ କରିଥିଲେ। ହବିଷ୍ୟାଳୀଙ୍କ ରହଣିସ୍ଥଳରେ ୨୪ ଘଣ୍ଟିଆ ସୁରକ୍ଷା କରାଯିବ | ହବିଷ୍ୟାଳୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୁରୀର ତିନୋଟି ରହଣିସ୍ଥଳରେ ୨୬ ଅକ୍ଟୋବରରୁ ୨୪ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ୨୪ ଘଣ୍ଟିଆ ଭିତ୍ତିରେ ନିୟୋଜିତ ରହିବେ। ଏହି ନିୟୋଜନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରହଣିସ୍ଥଳ ଗୁଡ଼ିକରେ ନିରନ୍ତର ନଜର ରଖିବା, ଅପ୍ରୀତିକର ଘଟଣାକୁ ରୋକିବା, ଯାତାୟାତ ଓ ଲୋକଙ୍କ ଚଳପ୍ରଚଳକୁ ସୁବ୍ୟବସ୍ଥିତ କରିବା ଏବଂ ହବିଷ୍ୟାଳୀଙ୍କ ସୁରକ୍ଷା ବଜାୟ ରଖିବା। ପୁରୀରେ ବ୍ୟାପକ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯିବ | ହବିଷ୍ୟାଳୀଙ୍କ ରହଣିସ୍ଥଳରେ ନିୟୋଜିତ ପୋଲିସ ଫୋର୍ସ ବ୍ୟତୀତ ପୁରୀ ସହରର ବିଭିନ୍ନ ସ୍ଥାନରେ ୨୦ରୁ ଅଧିକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ।
ଶ୍ରୀଜଗନ୍ନାଥ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା।
ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଚଳପ୍ରଚଳ ସୁନିଶ୍ଚିତ କରିବା ଏବଂ ଅତ୍ୟଧିକ ଭିଡ଼କୁ ନିୟନ୍ତ୍ରଣ କରିବା।
ଯାନବାହନ ଚଳାଚଳକୁ ନିୟନ୍ତ୍ରଣ କରିବା ସହ ତୀର୍ଥଯାତ୍ରୀ ଓ ଜରୁରୀକାଳୀନ ସେବା ପାଇଁ ସୁଗମ ଯାତାୟାତ ସୁନିଶ୍ଚିତ କରିବା।
ବିଭିନ୍ନ ସ୍ଥାନରେ ନିୟୋଜିତ ପୋଲିସ ବଳ ମଧ୍ୟରେ ସମନ୍ୱୟ ରକ୍ଷା, ସୁରକ୍ଷା ପରିସ୍ଥିତି ଉପରେ ନଜର ରଖିବା ଏବଂ ଜରୁରୀ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ନେବା। କାର୍ତ୍ତିକ ବ୍ରତ ସମୟରେ ପୁରୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ସୁରକ୍ଷା ଓ ଭିଡ଼ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ଏହି ବ୍ୟାପକ ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ। ସୁରକ୍ଷା, ସତର୍କତା ଓ ଜନସାଧାରଣଙ୍କ ସୁବିଧା ଉପରେ ଗୁରୁତ୍ୱ ଦିଆଯିବ | ପରିଦର୍ଶନ ସମୟରେ ଆଇ.ଜି. ଜିଲ୍ଲା ପୋଲିସର ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ସହ ପୋଲିସ ବଳର ସଠିକ୍ ନିୟୋଜନ, ନିରନ୍ତର ତଦାରଖ ଏବଂ ବିଭିନ୍ନ ୟୁନିଟ୍ ମଧ୍ୟରେ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦେଇଥିଲେ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ଯାତାୟାତକୁ ସୁଗମ କରିବା ପାଇଁ ପୋଲିସ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହ ଓ ଜିଲ୍ଲା ପୋଲିସ ଟିମ୍ ଏହି ସୁରକ୍ଷା ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ଆବଶ୍ୟକୀୟ ପଦକ୍ଷେପ ତଦାରଖ କରୁଛନ୍ତି। କାର୍ତ୍ତିକ ବ୍ରତ ସମୟରେ ପୁରୀକୁ ଆସୁଥିବା ସମସ୍ତ ହବିଷ୍ୟାଳୀ ଓ ଶ୍ରଦ୍ଧାଳୁଙ୍କ ପାଇଁ ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ସୁବ୍ୟବସ୍ଥିତ ପରିବେଶ ସୁନିଶ୍ଚିତ କରିବାକୁ କେନ୍ଦ୍ରାଞ୍ଚଳ ପୋଲିସ ପ୍ରତିବଦ୍ଧ ବୋଲି ଆରକ୍ଷୀ ମହାନିରୀକ୍ଷକଙ୍କ କାର୍ଯ୍ୟାଳୟ କେନ୍ଦ୍ରାଞ୍ଚଳ, କଟକ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି |
ହିନ୍ଦୁସ୍ଥାନ ସମାଚାର / ବିଜୟ