
ଝାରସୁଗୁଡା, ୨୩ ଅକ୍ଟୋବର (ହି.ସ.)- ଦୀର୍ଘଦିନ ଧରି ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିରହିଥିବା ଏନ୍ଏଚ୍-୪୯ର କତରବଗା ବ୍ରିଜ୍ ଠାରୁ ଭିକମପାଲି (ଚିଲାପାଲି) ପର୍ଯ୍ୟନ୍ତ ରାସ୍ତାର ମରାମତି ପାଇଁ ଏବେ ଅଣ୍ଟା ଭିଡ଼ିଛନ୍ତି ଅଞ୍ଚଳବାସୀ। ବାରମ୍ବାର ଦାବି ସତ୍ତ୍ୱେ ସମ୍ପୃକ୍ତ ବିଭାଗ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବାରୁ ଶେଷରେ ନିଜ ଉଦ୍ୟମରେ ରାସ୍ତା ମରାମତି କରିବାକୁ ସ୍ଥାନୀୟ ଲୋକେ ନିଷ୍ପତ୍ତି ନେଇଛନ୍ତି।
ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଏହି ରାସ୍ତାରେ ଅନେକ ଖାଲଖମା ସୃଷ୍ଟି ହୋଇଥିବାରୁ ଯାତାୟାତ ବିପଦସଙ୍କୁଳ ହୋଇପଡ଼ିଛି। ଏହାଦ୍ୱାରା ଯାନବାହନ ଚଳାଚଳରେ ସମସ୍ୟା ଉପୁଜିବା ସହ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିଛି। ଏହି ରାସ୍ତାର ତୁରନ୍ତ ମରାମତି ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ବିଭାଗୀୟ ନିଷ୍କ୍ରିୟତା ଯୋଗୁଁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ଆଜି ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରେଙ୍ଗାଲି ଥାନାଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଆସନ୍ତା ଦୁଇଦିନ ମଧ୍ୟରେ ସମ୍ପୃକ୍ତ ବିଭାଗ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ଏଥିରେ ଅନୁରୋଧ କରାଯାଇଛି। ନଚେତ୍ ଆସନ୍ତା ୨୪ ତାରିଖ ସକାଳ ୮ଟାରୁ ଅଞ୍ଚଳବାସୀ ନିଜେ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରିବେ ବୋଲି ଚେତାବନୀ ଦେଇଛନ୍ତି। ମରାମତି କାର୍ଯ୍ୟ ସମୟରେ ଯାନବାହନ ଚଳାଚଳ ବନ୍ଦ ରଖିବାର ଆବଶ୍ୟକତା ଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସର ସହଯୋଗ ଲୋଡ଼ାଯାଇଛି। ଏଥିସହ ମରାମତି ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା କ୍ଷୟକ୍ଷତି ଘଟିଲେ ସମ୍ପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।
ଏହି ଦାବିପତ୍ରରେ ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହଙ୍କ ସମେତ ଅତାବିରା ସରପଞ୍ଚ ସଞ୍ଜିତ ପ୍ରଧାନ, ପଞ୍ଚଗାଁ ସମିତି ସଭ୍ୟ ରୋହିତ ଧୁରୁଆ, ଭିକମପାଲି ସରପଞ୍ଚ ପଦ୍ମିନୀ ସାହୁ, ହେମଚନ୍ଦ୍ର ଖମାରୀ, ଲବ ପ୍ରଧାନ, ଗୌତମ ପଟେଲ, ପଞ୍ଚାନନ ମେହେର, ପ୍ରେମାନନ୍ଦ ଭୋଇଙ୍କ ସମେତ ବହୁ ଅଞ୍ଚଳବାସୀ ସମର୍ଥନ ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ