ମସଲା ଜାତୀୟ ଫସଲର ସମନ୍ୱିତ ରୋଗ ଓ ପୋକ ପରିଚାଳନା ଉପରେ ତାଲିମ କାର୍ଯ୍ୟକ୍ରମ
ଜୟପୁର, ୨୩ ଅକ୍ଟୋବର(ହି.ସ.) – ମସଲା ଜାତୀୟ ଫସଲରେ ରୋଗ ଓ ପୋକର ପ୍ରଭାବକୁ ହ୍ରାସ କରିବା ସହିତ ପରିବେଶ ଅନୁକୂଳ ଚାଷ ପଦ୍ଧତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏମ୍.ଏସ୍. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ, ଜୟପୁର ପକ୍ଷରୁ କୋରାପୁଟସ୍ଥିତ ଉଦ୍ୟାନ କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ସମ୍ମିଳ
ମସଲା ଜାତୀୟ ଫସଲର ସମନ୍ୱିତ ରୋଗ ଓ ପୋକ ପରିଚାଳନା ଉପରେ ତାଲିମ କାର୍ଯ୍ୟକ୍ରମ:


ଜୟପୁର, ୨୩ ଅକ୍ଟୋବର(ହି.ସ.) – ମସଲା ଜାତୀୟ ଫସଲରେ ରୋଗ ଓ ପୋକର ପ୍ରଭାବକୁ ହ୍ରାସ କରିବା ସହିତ ପରିବେଶ ଅନୁକୂଳ ଚାଷ ପଦ୍ଧତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏମ୍.ଏସ୍. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ, ଜୟପୁର ପକ୍ଷରୁ କୋରାପୁଟସ୍ଥିତ ଉଦ୍ୟାନ କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ କୋରାପୁଟ ବ୍ଲକର ବିଭିନ୍ନ ଗ୍ରାମରୁ ୫୦ରୁ ଊର୍ଦ୍ଧ୍ୱ ଅଗ୍ରଣୀ ଚାଷୀ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଏମ୍.ଏସ୍. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ, ଜୟପୁରର ବରିଷ୍ଠ ବୈଜ୍ଞାନିକ ଡ. କାର୍ତିକ ଚରଣ ଲେଙ୍କା ଉପସ୍ଥିତ ଚାଷୀମାନଙ୍କୁ ସ୍ୱାଗତ କରିବା ସହିତ ତାଲିମର ଉଦ୍ଦେଶ୍ୟ ଓ ମସଲା ଜାତୀୟ ଫସଲରେ ସମନ୍ୱିତ ରୋଗ ଓ ପୋକ ପରିଚାଳନାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ଅବସରରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ, କୋରାପୁଟ ଶ୍ରୀ ଅନ୍ତର୍ଯ୍ୟାମୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମସଲା ଜାତୀୟ ଫସଲରେ ରୋଗ ଓ ପୋକର ସଠିକ୍ ପରିଚାଳନା ପଦ୍ଧତି ସମ୍ପର୍କରେ ଚାଷୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏଥିସହିତ ଉଦ୍ୟାନ କୃଷି ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ସୁବିଧା ସମ୍ପର୍କରେ ଅବଗତ କରାଇଥିଲେ।

ଏମ୍.ଏସ୍. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ, ଜୟପୁରର କେନ୍ଦ୍ର ମୁଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ପରିଡ଼ା ଚାଷୀମାନଙ୍କୁ ମସଲା ଜାତୀୟ ଫସଲର ଜୈବିକ ଚାଷ ପଦ୍ଧତି ଆପଣାଇବାକୁ ଉତ୍ସାହିତ କରିଥିଲେ। ଏହା ସହିତ ଜୈବିକ ଖତସାର ପ୍ରସ୍ତୁତିର ବିଭିନ୍ନ ପଦ୍ଧତି ଓ ଏହାର ଉପଯୋଗିତା ସମ୍ପର୍କରେ ଆଲୋଚନା କରି ମୃତିକାର ଉର୍ବରତା ଏବଂ ଫସଲର ବୃଦ୍ଧି ପାଇଁ ଜୈବିକ ଉପାଦାନର ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଡ. ଲେଙ୍କା ମସଲା ଜାତୀୟ ଫସଲରେ ଜୈବିକ ପଦ୍ଧତି ଆଧାରିତ ସମନ୍ୱିତ ରୋଗ ଓ ପୋକ ପରିଚାଳନା ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ। ବିଶେଷକରି, ଫସଲରେ ରୋଗ ଓ ପୋକର ଆକ୍ରମଣକୁ ରୋକିବା ପାଇଁ ବିହନ ବିଶୋଧନ ଏବଂ ମୃତିକା ଉପଚାରର ଗୁରୁତ୍ୱ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଚାଷର ପ୍ରାରମ୍ଭିକ ପର୍ଯ୍ୟାୟରୁ ଉପଯୁକ୍ତ ପରିଚାଳନା ପଦ୍ଧତି ଅବଲମ୍ବନ କଲେ ଫସଲର ସ୍ୱାସ୍ଥ୍ୟ ଓ ଉତ୍ପାଦନକ୍ଷମତା ବୃଦ୍ଧି ପାଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ଡ. ଲେଙ୍କା ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀ ଚାଷୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏମ୍.ଏସ୍. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ, ଜୟପୁରର କର୍ମକର୍ତା ଶ୍ରୀମତୀ ଦୀପ୍ତି ସାହୁ ଓ ଶ୍ରୀ ତ୍ରିପତି ଗୌଡ଼ କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande