ନଭେମ୍ବରରେ କନ୍ଧମାଳରେ ରାଜ୍ୟସ୍ତରୀୟ ପ୍ରାକୃତିକ କୃଷି ସମ୍ମିଳନୀ
Natural-agri-conf-Nov-KDML
ଫୋଟ


କନ୍ଧମାଳ, ୨୩ ଅକ୍ଟୋବର (ହି.ସ.)- ପ୍ରାକୃତିକ କୃଷିର ପ୍ରଚାର ଏବଂ କୃଷି-ପରିବେଶଗତ ରୂପାନ୍ତରଣକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ନ୍ୟାସନାଲ୍ କୋଆଲିସନ୍ ଫର୍ ନ୍ୟାଚୁରାଲ୍ ଫାର୍ମିଂ, କନ୍ଧମାଳ ଶାଖା ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ନଭେମ୍ବର ୨୦୨୬ରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ପ୍ରାକୃତିକ କୃଷି ସମ୍ମିଳନୀ ଆୟୋଜନ କରାଯିବାକୁ ଯୋଜନା କରାଯାଇଛି। ଏହି ସମ୍ମିଳନୀରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ୩୦୦ରୁ ଅଧିକ ଅଂଶୀଦାର ଯୋଗଦେଇ ପ୍ରାକୃତିକ କୃଷି ଓ କୃଷି-ପରିବେଶଗତ ପରିବର୍ତ୍ତନର ପ୍ରସାର ପାଇଁ ଆଲୋଚନା କରିବେ।

ଏହି ସମ୍ମିଳନୀରେ ଆଦର୍ଶ କୃଷକ, ଦେଶୀ ବିହନ ସଂରକ୍ଷକ, କୃଷି ମିତ୍ର, ପ୍ରାଣୀ ମିତ୍ର, ଜୈବବିବିଧତା ସଂରକ୍ଷଣକାରୀ, ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧି, ସରକାରୀ ଅଧିକାରୀ, ଗବେଷକ ଏବଂ ସ୍ଥାୟୀ କୃଷି ଓ ଖାଦ୍ୟ ବ୍ୟବସ୍ଥାର ବିକାଶ ପାଇଁ କାର୍ଯ୍ୟରତ ଅନ୍ୟାନ୍ୟ ଅଂଶୀଦାରମାନେ ଯୋଗଦେବେ ବୋଲି ଆଶା କରାଯାଉଛି। ଏହି କାର୍ଯ୍ୟକ୍ରମରେ କୃଷକମାନଙ୍କ ଦ୍ୱାରା ପ୍ରାକୃତିକ କୃଷିଜାତ ଉତ୍ପାଦ ଓ କୃଷି ପଦ୍ଧତିର ପ୍ରଦର୍ଶନୀ ଏବଂ ଜୀବନ୍ତ ପ୍ରଦର୍ଶନ କରାଯିବ। ସ୍ଥାୟୀ କୃଷି, ଜୈବବିବିଧତା ସଂରକ୍ଷଣ ଏବଂ ପ୍ରାକୃତିକ କୃଷିର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ କନ୍ଧମାଳ ଜିଲ୍ଲାର ଆଦର୍ଶ କୃଷକମାନଙ୍କୁ ମଧ୍ୟ ସମ୍ମାନିତ କରାଯିବ।

ଏହି ପରିପ୍ରେକ୍ଷୀରେ, ଅକ୍ଟୋବର ୨୩ ତାରିଖରେ ଓଡ଼ିଶାର ଏକ ପ୍ରତିନିଧିମଣ୍ଡଳୀ କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ବେଦଭୂଷଣଙ୍କୁ ସହ ସାକ୍ଷାତ କରି ପ୍ରସ୍ତାବିତ ସମ୍ମିଳନୀ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲାପାଳ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ କାର୍ଯ୍ୟକ୍ରମ ଆୟୋଜନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହଯୋଗ ଯୋଗାଇଦେବାକୁ ଆଶ୍ୱାସନା ଦେଇଥିଲେ। ଏହାପରେ ଏନସିଏନଏଫ କନ୍ଧମାଳ ଶାଖାର ସହଯୋଗୀ ସାମାଜିକ ସଂଗଠନଗୁଡ଼ିକ ଫୁଲବାଣୀସ୍ଥିତ କସମ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରିଥିଲେ। ଏହି ବୈଠକରେ ସମ୍ମିଳନୀର ଆୟୋଜନ, ଯୋଜନା ପ୍ରସ୍ତୁତି ଏବଂ ସାମୂହିକ ପ୍ରୟାସ ମାଧ୍ୟମରେ ଏହାର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୃଷକ-ନେତୃତ୍ୱାଧୀନ ପଦକ୍ଷେପଗୁଡ଼ିକୁ ସୁଦୃଢ଼ କରିବା, ପ୍ରାକୃତିକ କୃଷି ପଦ୍ଧତିର ପ୍ରସାର କରିବା, ଦେଶୀ ବିହନ ଓ ଜୈବ ବିବିଧତାର ସଂରକ୍ଷଣ କରିବା ଏବଂ କୃଷକ, ସାମାଜିକ ସଂଗଠନ ଓ ସରକାରୀ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି କରି କନ୍ଧମାଳ ଜିଲ୍ଲାର କୃଷି-ପରିବେଶଗତ ରୂପାନ୍ତରଣକୁ ତ୍ୱରାନ୍ୱିତ କରିବା। କନ୍ଧମାଳକୁ ଏକ ଜୈବିକ ଓ ପ୍ରାକୃତିକ କୃଷିର ଆଦର୍ଶ ଜିଲ୍ଲା ଭାବେ ଗଢ଼ି ତୋଳିବାର ଲକ୍ଷ୍ୟ ନେଇ ଏହି ସମ୍ମିଳନୀ ତୃଣମୂଳ ସ୍ତରର ଅନୁଭୂତି ବିନିମୟ, ସ୍ଥାନୀୟ ନୂତନ ଉଦ୍ଭାବନର ପ୍ରଦର୍ଶନ ଏବଂ ସ୍ଥାୟୀ କୃଷି ବିକାଶ ପାଇଁ ଏକ ସାମୂହିକ ରୂପରେଖ ପ୍ରସ୍ତୁତ କରିବାର ମଞ୍ଚ ଯୋଗାଇଦେବ।

ଏହି ସମ୍ମିଳନୀର ଏକ ପ୍ରମୁଖ ଫଳାଫଳ ଭାବେ “କନ୍ଧମାଳ ଘୋଷଣାନାମା” ପ୍ରସ୍ତୁତ କରାଯିବାର ଆଶା ରହିଛି। ଏହି ଘୋଷଣାନାମାରେ ପ୍ରାକୃତିକ କୃଷିର ପ୍ରସାର, ଜୈବବିବିଧତାର ସୁରକ୍ଷା, କୃଷକମାନଙ୍କ ଜୀବିକାର ସୁଦୃଢ଼ୀକରଣ ଏବଂ ଜଳବାୟୁ ପରିବର୍ତ୍ତନର ଆହ୍ୱାନକୁ ସହ୍ୟ କରିପାରୁଥିବା ଏକ ସ୍ଥାୟୀ ଖାଦ୍ୟ ବ୍ୟବସ୍ଥା ଗଠନ ପାଇଁ ସମସ୍ତ ଅଂଶୀଦାରଙ୍କ ସାମୂହିକ ପ୍ରତିବଦ୍ଧତା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉଲ୍ଲେଖ ରହିବ।

ଏହି ପ୍ରସ୍ତାବିତ ସମ୍ମିଳନୀ ଓଡ଼ିଶାରେ ପ୍ରାକୃତିକ କୃଷି ଓ କୃଷି-ପରିବେଶଗତ ବିକାଶ କ୍ଷେତ୍ରରେ କନ୍ଧମାଳ ଜିଲ୍ଲାକୁ ଏକ ଅଗ୍ରଣୀ ଜିଲ୍ଲା ଭାବେ ପ୍ରତିଷ୍ଠିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande