
ଖୋର୍ଦ୍ଧା, 23 ଅକ୍ଟୋବର (ହି.ସ.) -ଜିଲ୍ଲା ଶ୍ରମ ଅଧିକାରୀ (ପ୍ରବର୍ତ୍ତନ), ଖୋର୍ଦ୍ଧା ଏବଂ ସହକାରୀ ଶ୍ରମ ଅଧିକାରୀ, ବାଲିଅନ୍ତାଙ୍କ ମିଳିତ ଉଦ୍ୟମରେ ଶିଶୁ ଶ୍ରମମୁକ୍ତ ଖୋର୍ଦ୍ଧା ଜିଲ୍ଲା ଗଠନ ଲକ୍ଷ୍ୟରେ ବାଲିଅନ୍ତା ବ୍ଲକର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଏହି ଅଭିଯାନ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ପ୍ରତାପଶାସନ ପଞ୍ଚାୟତର ବାଲକାଟି ବଜାର, ଭଇଁଚୁଆ ପଞ୍ଚାୟତର ରଙ୍ଗ ବଜାର, ବାଲିଅନ୍ତା ପଞ୍ଚାୟତର ବାଲିଅନ୍ତା ବଜାର, ସରକଣା ପଞ୍ଚାୟତର ସରକଣା ବଜାର ଓ ହାଟ, ପୁରଣ ପ୍ରଧାନ ପଞ୍ଚାୟତ ଏବଂ ବାଲିଅନ୍ତା ବ୍ଲକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ପଦଯାତ୍ରା, ଦାସକାଠିଆ, ପାଲା ଓ ସଚେତନତା ରଥ ମାଧ୍ୟମରେ ଶିଶୁ ଶ୍ରମ ନିରାକରଣର ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଯାଇଥିଲା। ଏଥିସହିତ ବିଭିନ୍ନ ହୋଟେଲ, ଜଳଖିଆ ଦୋକାନ, ଗ୍ୟାରେଜ ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନରେ ଜନସଚେତନତା କାର୍ଯ୍ୟକ୍ରମ କରାଯିବା ସହ ଶିଶୁ ଶ୍ରମ ନିଷେଧ ସମ୍ପର୍କିତ ପୋଷ୍ଟର ଓ ଘୋଷଣାନାମା ପ୍ରଦର୍ଶନ କରାଯାଇଥିଲା।ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକର କାନ୍ଥରେ ଶିଶୁ ଶ୍ରମ ନିଷେଧ ସମ୍ବନ୍ଧୀୟ ଘୋଷଣାନାମା ଲଗାଯାଇ ଦୋକାନୀ, ବ୍ୟବସାୟୀ ଓ ସାଧାରଣ ଜନତାଙ୍କୁ ଶିଶୁ ଶ୍ରମ ନିୟୋଜନର କୁପରିଣାମ ଏବଂ ଏହା ସମ୍ପର୍କିତ ଆଇନଗତ ଦଣ୍ଡବିଧାନ ବିଷୟରେ ସଚେତନ କରାଯାଇଥିଲା।ଶିଶୁମାନଙ୍କ ପାଇଁ ଶିକ୍ଷା, ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବା ସହିତ ଶିଶୁ ଶ୍ରମର ସମ୍ପୂର୍ଣ୍ଣ ନିରାକରଣ ନିମନ୍ତେ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ଅତ୍ୟନ୍ତ ଜରୁରୀ ବୋଲି ବାର୍ତ୍ତା ଦିଆଯାଇଥିଲା। ଶିଶୁ ଶ୍ରମମୁକ୍ତ ଖୋର୍ଦ୍ଧା ଜିଲ୍ଲା ଗଠନ ଦିଗରେ ଏହି ଅଭିଯାନ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଓ ସାମାଜିକ ଦାୟିତ୍ୱବୋଧ ବୃଦ୍ଧି କରିବାରେ ସହାୟକ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ