



ସମ୍ବଲପୁର, ୨୩, ଅକ୍ଟୋବର (ହି.ସ.) ସ୍ଥାନୀୟ ତପସ୍ୱିନୀ ହଲ ପରିସରରେ ଆଜି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ‘ଉତ୍ସାହ ଓ ମହକ ୨୦୨୬’ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ମୁଖ୍ୟ ଅତିଥି ଭାବେ ଓ ସମ୍ମାନିତ ଅତିଥି ଭାବେ ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୂ , ଡିଏସଡବ୍ଲୁ ପ୍ରତିମା ତାନ୍ତି, ପିଓ ସୁନୀତା ପୁରୋହିତ, ସିଡ୍ୱୁସି ଅଧ୍ୟକ୍ଷା କବିତା ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଂଯୁକ୍ତା କୁଲ୍ଲୁ , ଡିସିପିୟୁ ସୁଚିସ୍ମିତା ପଟ୍ଟନାୟକ ପ୍ରମୁଖ ମଂଚାସିନ ଥିଲେ।
ଜିଲ୍ଲାପାଳ ସମବେତ ଶିଶୁମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଏହା ଏକ ଏକାନ୍ତ ଅନୁକୂଳ ମଂଚ ବୋଲି ମତପ୍ରକାଶ କରିଛନ୍ତି। ଆୟୋଜିତ ଏହି ମହୋତ୍ସବରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶିଶୁ କଳାକାରମାନେ ନୃତ୍ୟ, ସଙ୍ଗୀତ, ଚିତ୍ରକଳା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ବୋନ୍ଦର ପିଲାମାନଙ୍କର କଳା ଓ ପ୍ରତିଭାକୁ ଭୂୟସୀ ପ୍ରଶଂସା କରିବା ସହିତ ପାଠପଢ଼ା ସହିତ ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀଙ୍କୁ ମୋବାଇଲ ଫୋନ ତଥା ପ୍ରୋତ୍ସାହନ ରାଶି ସହିତ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।
----------------
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ