
ଭୁବନେଶ୍ୱର, ୨୩ ଅକ୍ଟୋବର (ହି.ସ.) - ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ଦିନ ରାଇଘର ବ୍ଲକ ଅନ୍ତର୍ଗତ ମୋ ଗାଁ ଚିତ୍ରକୋଟରେ ଜୟ ମା ଠାକୁରାଣୀ ଫୁଟବଲ ଟୁର୍ଣ୍ଣାମେଂଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଖେଳାଳିମାନଙ୍କ ସହ ମିଶି ସେମାନଙ୍କୁ ଉତ୍ସାହିତ କରିବା ସହିତ ଶୁଭେଚ୍ଛା ଜଣାଇଥିଲେ ମନ୍ତ୍ରୀ। ଗ୍ରାମାଂଚଳର କ୍ରୀଡ଼ାପ୍ରେମୀ, ଯୁବକ ଓ ସ୍ଥାନୀୟ ବାସିନ୍ଦାଙ୍କ ଉପସ୍ଥିତିରେ ଏହି ଉଦ୍ଘାଟନୀ ସମାରୋହ ଏକ ଉତ୍ସବର ରୂପ ନେଇଥିଲା। ଏହାସହ ଖେଳାଳିମାନେ କ୍ରୀଡ଼ା ମନୋଭାବ, ଅନୁଶାସନ ଓ ଭ୍ରାତୃଭାବ ସହ ଖେଳିବା ପାଇଁ ସେ ଆହ୍ୱାନ ଦେଇଥିଲେ।
ଗ୍ରାମାଂଚଳରେ ଏଭଳି କ୍ରୀଡ଼ା ପ୍ରତିଯୋଗିତା ଯୁବପିଢ଼ିଙ୍କ ପ୍ରତିଭାକୁ ପ୍ରକାଶ କରିବା ସହ ସେମାନଙ୍କୁ କୁପ୍ରଭାବରୁ ଦୂରେଇ ରଖି ସୁସ୍ଥ ଓ ସୁନ୍ଦର ଜୀବନ ଗଢ଼ିବାରେ ସହାୟକ ହୋଇଥାଏ। ଖେଳ ଶାରୀରିକ ଓ ମାନସିକ ବିକାଶ ସହ ଦଳଗତ ମନୋଭାବ, ଧୈର୍ଯ୍ୟ ଓ ନେତୃତ୍ୱ ଗୁଣ ବିକଶିତ କରେ। ଏହି ଟୁର୍ଣ୍ଣାମେଂଟ ଆୟୋଜନ ପାଇଁ ଆୟୋଜକ କମିଟି ଓ ଆମ ଅଂଚଳର ଯୁବକମାନଙ୍କୁ ମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା