
ସାଲେପୁର, 23 ଅକ୍ଟୋବର (ହି.ସ.) : ରାଜ୍ୟ ରାଜପଥ କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ଥାନାଠାରୁ ମାତ୍ର ୩୦୦ ମିଟର ଦୂରରେ ରାସ୍ତା ପାଶ୍ୱର୍ରେ ଏକ ସରକାରୀ ଠିପିବନ୍ଦ୍ ବିଦେଶୀ ମଦଦୋକାନ ଖୋଲାଯାଇଛି । ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଏହି ମଦଦୋକାନରେ କେବଳ ମଦ ବିକ୍ରି କରାଯାଇ ପାରିବ । ଏଠାରେ ମଦ୍ୟପମାନେ ମଦ୍ୟପାନ କରିପାରିବେ ନାହିଁ । ମାତ୍ର ଏଠାରେ ମଦ୍ୟପମାନେ ଖୋଲାମେଲାରେ ମଦ୍ୟପାନ କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ରାଜ୍ୟ ରାଜପଥ କଟକ-ଚାନ୍ଦବାଲି ରାସ୍ତାରେ ପ୍ରତି ମୁହୂର୍ତ୍ତରେ ଅନେକଗୁଡିଏ ଛୋଟବଡ ଯାନ ସହ ଯାତ୍ରୀବାହୀ ଯାନ, ମାଲବାହୀ ଯାନ ଯାଆସ କରିଥାଏ । ସଂଧ୍ୟାରୁ ରାତି ପର୍ଯ୍ୟନ୍ତ ଏହି ମଦଦୋକାନ ସାମ୍ନାରେ ମଦ୍ୟପମାନେ ବ୍ୟବସାୟ କରୁଥିବା ସେମାନଙ୍କର ଦୁଇ ଚକିଆ ଓ ଚାରିଚକିଆ ଯାନକୁ ରାସ୍ତା ଉପରକୁ ମଡେଇ ରଖୁଥିବାରୁ ଯାନବାହାନ ଯିବା ଆସିବାରେ ବହୁ ଅସୁବିଧା ସୃଷ୍ଟି ହେଉଛି । ନିଶ୍ଚିନ୍ତକୋଇଲି ଥାନା ପୋଲିସ ଓ ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗ ଏ ସବୁ ଦେଖି ନ ଦେଖିଲା ଭଳି ଅଭିନୟ କରି ଚାଲିଯାଉଛି । ସରକାରଙ୍କ ପକ୍ଷରୁ ମଦଦୋକାନକୁ ମଦ ବିକ୍ରି କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ(ଟାର୍ଗେଟ୍) ପ୍ରଦାନ କରାଯାଇଛି । ଲକ୍ଷ୍ୟ ପୂରଣ କରିବା ଆଶାରେ ସରକାରୀ ସ୍ୱୀକୃତୀ ପ୍ରାପ୍ତ ବିଦେଶୀ ମଦଦୋକାନୀମାନେ ଗାଁ ଗଣ୍ଡାର ଦଲାଲଙ୍କ ମାଧ୍ୟମରେ ମଦଗୁଡିକୁ ଗ୍ରାମାଂଚଳରେ ନେଇ ବିକ୍ରି କରୁଥିବା ଅଭିଯୋଗ ହେଉଛି । ରାସ୍ତା ପାଶ୍ୱର୍ରେ ଏହି ମଦ ଦୋକାନ ଖୋଲାଯାଇଥିବାରୁ ଏଠାରେ ଅହେତୁକ ଭିଡ ଜମି ଟ୍ରାଫିକ୍ ସମସ୍ୟା ଉପୁଜୁଥିବାରୁ ଏଠାରେ ସଡକ ଦୁର୍ଘଟଣାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ରାସ୍ତାକଡରୁ ଏହି ମଦଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବା ପାଇଁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି । ତୁରନ୍ତ ଏଥିପ୍ରତି କଟକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ରତ୍ନାକର ବାରିକ୍