ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ଧନଜୀବନର ସୁରକ୍ଷା ସହ ସମ୍ଭାବ୍ୟ କ୍ଷୟକ୍ଷତିକୁ ରୋକିବା ପାଇଁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି
ବଲାଙ୍ଗିର, 24 ଅକ୍ଟୋବର (ହି.ସ.) : ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ଧନଜୀବନର ସୁରକ୍ଷା ସହ ସମ୍ଭାବ୍ୟ କ୍ଷୟକ୍ଷତିକୁ ରୋକିବା ପାଇଁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆଜି ଭର୍ଚୁଆଲ୍ ମାଧ୍ୟମରେ ଏକ
ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ଧନଜୀବନର ସୁରକ୍ଷା ସହ ସମ୍ଭାବ୍ୟ କ୍ଷୟକ୍ଷତିକୁ ରୋକିବା ପାଇଁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି


ବଲାଙ୍ଗିର, 24 ଅକ୍ଟୋବର (ହି.ସ.) : ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ଧନଜୀବନର ସୁରକ୍ଷା ସହ ସମ୍ଭାବ୍ୟ କ୍ଷୟକ୍ଷତିକୁ ରୋକିବା ପାଇଁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆଜି ଭର୍ଚୁଆଲ୍ ମାଧ୍ୟମରେ ଏକ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସମ୍ଭାବ୍ୟ ବାତ୍ୟାର ତୀବ୍ରତା ଏବଂ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗକୁ ସଜାଗ ରହିବା ସହ ଆବଶ୍ୟକ ପଦକ୍ଷେପ ତୁରନ୍ତ ଗ୍ରହଣ କରିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ, ପାଣିପାଗର ପରିବର୍ତ୍ତନ ଉପରେ ନିରନ୍ତର ନଜର ରଖିବାକୁ କୁହାଯାଇଛି। ଏଥିସହ ସତର୍କ ସୂଚନା ଓ ଆବଶ୍ୟକ ତଥ୍ୟ ତୁରନ୍ତ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଛି।

ଜିଲ୍ଲାର ସମସ୍ତ ବ୍ଲକ୍ରେ କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରି ଜରୁରୀ ପରିସ୍ଥିତିର ତ୍ୱରିତ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି। ଏଥିସହ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ପୂର୍ବରୁ ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ଗ୍ରାମଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖିବା ସହ ପାଣିପାଗ ବିଭାଗର ସତର୍କ ସୂଚନା ଓ ପରିସ୍ଥିତିର ଗମ୍ଭୀରତାକୁ ଦେଖି ଆବଶ୍ୟକ ପଡ଼ିଲେ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର ପାଇଁ ପଦକ୍ଷେପ ନିଆଯିବ ବୋଲି ନିଷ୍ପତି ହୋଇଛି ।

ବିପଦସଙ୍କୁଳ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜରୁରୀକାଳୀନ ସ୍ଥିତିରେ ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପରିଚାଳନା ପାଇଁ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ରକୁ ୨୪ ଘଣ୍ଟିଆ ସକ୍ରିୟ ରଖାଯାଇଛି । ବାତ୍ୟା ସମ୍ପର୍କିତ ଯେକୌଣସି ଜରୁରୀ ସୂଚନା ଓ ସହାୟତା ପାଇଁ ଜନସାଧାରଣ, ଦୂରଭାଷା ସଂଖ୍ୟା :୯୪୩୮୭୭୬୩୯୪ କୁ ଯୋଗାଯୋଗ କରିପାରିବେ । ଆବଶ୍ୟକତା ଅନୁଯାୟୀ ଓଡ୍ରାଫ୍, ଅଗ୍ନିଶମ ବିଭାଗ ଟିମ୍କୁ ବିପଦପ୍ରବଣ ଅଞ୍ଚଳରେ ମୁତୟନ କରି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ସ୍ୱାସ୍ଥ୍ୟସେବାକୁ ସ୍ୱାଭାବିକ ରଖିବା ପାଇଁ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଛି। ଜରୁରୀକାଳୀନ ଔଷଧ ଓ ସାପ କାମୁଡ଼ାର ଚିକିତ୍ସା ପାଇଁ ଆଣ୍ଟିଭେନମ୍ ଔଷଧ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବା ସହ ହସ୍ପିଟାଲଗୁଡ଼ିକରେ କଣ୍ଟ୍ରୋଲ୍ ରୁମ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ରହିଛି।

ବାତ୍ୟା ମୁକାବିଲାରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ, ତ୍ୱରିତ ନିଷ୍ପତ୍ତି ଓ ଠିକ୍ ସମୟରେ ସୂଚନା ପ୍ରସାରଣ ଉପରେ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ଜିଲ୍ଲାବାସୀଙ୍କୁ ଆତଙ୍କିତ ନହୋଇ ଧୈର୍ଯ୍ୟ ଓ ସତର୍କତାର ସହ ପରିସ୍ଥିତିର ସାମ୍ନା କରିବାକୁ ସେ ଅନୁରୋଧ କରିଛନ୍ତି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ଆଗୁଆ ପ୍ରସ୍ତୁତି କରୁଥିବା ସେ କହିଛନ୍ତି। ଏଥିସହ ସରକାରୀ ସତର୍କ ସୂଚନା ଓ ନିର୍ଦ୍ଦେଶାବଳୀ ପାଳନ କରିବା ସହ ଆବଶ୍ୟକ ସମୟରେ ପ୍ରଶାସନକୁ ସହଯୋଗ କରିବାକୁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande