ବେଲପାହାଡ଼ରେ ଆୟୋଜିତ ହେବ ୩୦ ଦିନିଆ ନାଟ୍ୟ କର୍ମଶାଳା, ଯୋଗଦେବେ ୩୬ ପ୍ରତିଭାଗୀ
3 days theatre workshop
ବେଲପାହାଡ଼ରେ ୩୦ ଦିନିଆ ନାଟ୍ୟ କର୍ମଶାଳା,


ଝାରସୁଗୁଡ଼ା, ୨୪ ଅକ୍ଟୋବର (ହି.ସ.)- ନାଟକ ଓ ଅଭିନୟ କ୍ଷେତ୍ରରେ ନୂତନ ପ୍ରତିଭା ସୃଷ୍ଟି କରିବା ସହ ଯୁବ କଳାକାରଙ୍କୁ ମଞ୍ଚ ଅଭିନୟର ବିଭିନ୍ନ ଦିଗ ସମ୍ପର୍କରେ ତାଲିମ ଦେବା ଲକ୍ଷ୍ୟରେ ବେଲପାହାଡ଼ରେ ଆୟୋଜିତ ହେବାକୁ ଯାଉଛି ୩୦ ଦିନିଆ ପ୍ରଡକ୍ସନ୍ ଓରିଏଣ୍ଟେଡ୍ ଥିଏଟର କର୍ମଶାଳା। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ସ୍ୱୟଂଶାସିତ ପ୍ରତିଷ୍ଠାନ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ (ଏନ୍ଏସ୍ଡି)ର ସହଯୋଗରେ ବେଲପାହାଡ଼ର ମିରର୍ ଥିଏଟର ପକ୍ଷରୁ ଏହି କର୍ମଶାଳା ଆୟୋଜନ କରାଯାଉଛି। ଆସନ୍ତା ଅକ୍ଟୋବର ୨୮ ତାରିଖରୁ ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଏହି କର୍ମଶାଳା ଚାଲିବ। ଏଥିରେ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରୁ ମୋଟ ୩୬ ଜଣ ପ୍ରତିଭାଗୀ ଅଂଶଗ୍ରହଣ କରିବା ପାଇଁ ପଞ୍ଜୀକରଣ କରିଛନ୍ତି। କର୍ମଶାଳାର ଆୟୋଜନ ନିମନ୍ତେ ମିରର୍ ଥିଏଟର ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି।

ଏହି କର୍ମଶାଳାରେ କ୍ୟାମ୍ପ ନିର୍ଦ୍ଦେଶକ ଭାବେ ଜାତୀୟ ନାଟ୍ୟ ବିଦ୍ୟାଳୟରୁ ଶିକ୍ଷାଲାଭ କରିଥିବା ପ୍ରଖ୍ୟାତ ଅଭିନେତା ମନୀଷ ମିଶ୍ର ଯୋଗଦେବେ। ସେହିପରି ସହକାରୀ କ୍ୟାମ୍ପ ନିର୍ଦ୍ଦେଶିକା ଭାବେ ପ୍ରଖ୍ୟାତ ଅଭିନେତ୍ରୀ ୟାମିନୀ ସାହୁ ପ୍ରତିଭାଗୀମାନଙ୍କୁ ନାଟକ ଓ ଅଭିନୟ ସମ୍ପର୍କରେ ତାଲିମ ପ୍ରଦାନ କରିବେ। ପ୍ରଡକ୍ସନ୍ କୁ ଆଧାର କରି ଆୟୋଜିତ ଏହି କର୍ମଶାଳା ମାଧ୍ୟମରେ ପ୍ରତିଭାଗୀମାନେ ନାଟ୍ୟକଳାର ବିଭିନ୍ନ ଦିଗ ସମ୍ପର୍କରେ ଅଭିଜ୍ଞତା ହାସଲ କରିବାର ସୁଯୋଗ ପାଇବେ।

ଏହି କର୍ମଶାଳା ସମ୍ପର୍କରେ ସୂଚନା ଦେବା ପାଇଁ ଶନିବାର ଝାରସୁଗୁଡ଼ାର ଏକ ଘରୋଇ ହୋଟେଲରେ ମିରର୍ ଥିଏଟର ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଡଃ. ସୁବାସ ଚନ୍ଦ୍ର ପ୍ରଧାନଙ୍କ ସମେତ ଜେନାମଣି ସେଠ, ସନ୍ତୋଷ ସାହୁ, ସୌଭାଗ୍ୟ ରଞ୍ଜନ ସାହୁ, ମନୋଜ ମେହେର, ବିନୟ ପ୍ରଧାନ, ସୁଜିତ ହରିପାଲ ଓ ଦିବ୍ୟ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି କର୍ମଶାଳାର ଉଦ୍ଦେଶ୍ୟ ଓ ଆୟୋଜନ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande