ପଂଚାୟତରେ ମଦ ବନ୍ଦ ଦାବି, ଠେଙ୍ଗା ବାଡି ଧରି ବାହାରିଲେ ଶତାଧିକ ମହିଳା
ଜୟପୁର, ୨୪ ଅକ୍ଟୋବର(ହି.ସ.) – କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଆମ୍ବାଗୁଡ଼ା ପଂଚାୟତ ଅଧୀନରେ ଥିବା ୧୨ଟି ଗାଁର ଶତାଧିକ ମହିଳାମାନେ ହାତରେ ଠେଙ୍ଗା ଧରି ବେଆଇନ ମଦ କାରବାର ବନ୍ଦ କରିବାକୁ ଦାବି କରି ପଂଚାୟତ କାର୍ଯ୍ୟଳୟ ଘେରାଉ କରିଛନ୍ତି। ପ୍ରଶାସନ ଓ ଅବକାରୀ ବିଭାଗକୁ ଜଣାଇବା ପରେ ମଧ୍ୟ କୌଣସି ପଦକ
ପଂଚାୟତ ରେ ମଦ ବନ୍ଦ ଦାବି,  ଠେଙ୍ଗା ବାଡି ଧରି  ବାହାରିଲେ ଶତାଧିକ ମହିଳା


ଜୟପୁର, ୨୪ ଅକ୍ଟୋବର(ହି.ସ.) – କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଆମ୍ବାଗୁଡ଼ା ପଂଚାୟତ ଅଧୀନରେ ଥିବା ୧୨ଟି ଗାଁର ଶତାଧିକ ମହିଳାମାନେ ହାତରେ ଠେଙ୍ଗା ଧରି ବେଆଇନ ମଦ କାରବାର ବନ୍ଦ କରିବାକୁ ଦାବି କରି ପଂଚାୟତ କାର୍ଯ୍ୟଳୟ ଘେରାଉ କରିଛନ୍ତି।

ପ୍ରଶାସନ ଓ ଅବକାରୀ ବିଭାଗକୁ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଫଳରେ ଆମ୍ବାଗୁଡ଼ା ପଂଚାୟତର ୧୨ ଖଣ୍ଡ ଗାଁର ମହିଳାମାନେ ଏକାଠି ହୋଇ ଆଜି ପ୍ରଥମେ ପଂଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲେ। ତେବେ ଘଟଣାସ୍ଥଳକୁ ସରପଂଚ ନ ଆସିବାରୁ ମହିଳାମାନଙ୍କ ମଧ୍ୟରେ ତୀବ୍ର ଉତେଜନା ପ୍ରକାଶ ପାଇଥିଲା ଏବଂ ସେମାନେ ନିଜେ ଆଇନକୁ ହାତକୁ ନେବାକୁ ବାଧ୍ୟ ହୋଇଥିଲେ। ପଂଚାୟତ କାର୍ଯ୍ୟାଳୟରୁ ସିଧାସଳଖ ଜଙ୍ଗଲ ମୁହାଁ ହୋଇଥିଲେ ମହିଳାମାନେ। ବଡ଼ ମଜୁରମୁଣ୍ଡା ଜଙ୍ଗଲ ମଧ୍ୟରେ ବେଆଇନ ଭାବେ ଚାଲିଥିବା ଦେଶୀ ମଦଭାଟି ଉପରେ ଚଢ଼ଉ କରିଥିଲେ। ସେଠାରେ ମଦ ରାନ୍ଧିବା ପାଇଁ ରଖାଯାଇଥିବା ହାଣ୍ଡି, ଡ୍ରମ୍ ଓ ପୋଚ ଭାଙ୍ଗି ଚୁରମାର କରିବା ସହ ରାସ୍ତା ଉପରକୁ ଫିଙ୍ଗି ନଷ୍ଟ କରିଦେଇଥିଲେ। ଜଙ୍ଗଲ ମାଟି ତଳେ ପୋତା ହୋଇ ରହିଥିବା ମଦ ପୋଚ ଡ୍ରମଗୁଡ଼ିକୁ ବାହାର କରି ସେଥିରେ ନିଆଁ ଲଗାଇ ସମ୍ପୂର୍ଣ୍ଣ ଜାଳି ଦେଇଥିଲେ। ଘଟଣାସ୍ଥଳରେ ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ ଉପସ୍ଥିତ ରେ ମହିଳାମାନେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ମହିଳାଙ୍କ କହିବା ଅନୁଯାୟୀ, ଆମ୍ବାଗୁଡ଼ା, ମଜୁରମୁଣ୍ଡା, କଚିଆକୋଣାଳି ସମେତ ବିଭିନ୍ନ ଅଂଚଳରେ ଖୁଲମଖୁଲା ଚୋରା ମଦ ବେପାର ଚାଲିଛି। ଏହି ନିଶା ଯୋଗୁଁ ବହୁ ପରିବାର ସମ୍ପୂର୍ଣ୍ଣ ନଷ୍ଟ ହୋଇସାରିଲାଣି। ଅନେକ ନାରୀ ଅଳ୍ପ ବୟସରେ ବିଧବା ହୋଇଥିବା ବେଳେ ଘରୋଇ ହିଂସାର ଶିକାର ହେଉଛନ୍ତି। ସ୍ୱାମୀ ଓ ପୁଅମାନେ ମଦ ପିଇ ଘରେ ଅଶାନ୍ତି ସୃଷ୍ଟି କରୁଛନ୍ତି, ଖରାପ ଭାଷାରେ ଗାଳିଗୁଲଜ ସହ ମାଡ଼ପିଟ୍ କରୁଛନ୍ତି ଏବଂ ରୋଜଗାର ଟଙ୍କା ଘରକୁ ଆଣୁନାହାନ୍ତି। ସ୍କୁଲ ଯାଉଥିବା ପିଲାମାନେ ମଧ୍ୟ ନିଶାଗ୍ରସ୍ତ ହୋଇ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ଅଭିଯୋଗ ହୋଇଛି। ଅବକାରୀ ଜୟପୁର ଅବକାରୀ ଥାନା ଅଧିକାରୀ ସୁବ୍ରତ କେଶରୀ ହିରଣଙ୍କୁ ପଚାରିବାରୁ କହିଥିଲେ ଅଂଚଳରେ ପୂର୍ବରୁ ମଧ୍ୟ ଚଢ଼ଉ କରାଯାଇ ମଦ ନଷ୍ଟ କରାଯିବା ସହ କିଛି ଲୋକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। କିନ୍ତୁ କିଛି ଲୋକ ଏହାକୁ ନିଜର ଜୀବିକା କରି ନେଇଥିବାରୁ ବାରମ୍ବାର ଏପରି ବେଆଇନ କାମ କରୁଛନ୍ତି। ମହିଳାମାନଙ୍କ ଏଭଳି ସହଯୋଗ ଦ୍ୱାରା ଆଗକୁ ବେଆଇନ ମଦ ବେପାରୀଙ୍କ ଉପରେ କଡ଼ା ନଜର ରଖାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ମହିଳାମାନେ ଚେତାବନୀ ଦେଇଛନ୍ତି ଯେ ଯଦି ତୁରନ୍ତ ସମଗ୍ର ପଂଚାୟତକୁ ମଦମୁକ୍ତ କରାନଯାଏ ଏବଂ ବେଆଇନ ବେପାର ସମ୍ପୂର୍ଣ୍ଣ ବନ୍ଦ ନହୁଏ, ତେବେ ସେମାନେ ରାଜରାସ୍ତା ଅବରୋଧ କରିବା ସହ କୋରାପୁଟ ଜିଲ୍ଲାପାଳ ଓ ଏସପିଙ୍କ ଦ୍ୱାରସ୍ଥ ହେବେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande