
ନୂଆଦିଲ୍ଲୀ, ୨୪ ଅକ୍ଟୋବର (ହି.ସ.)। ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ନଭେମ୍ବର ୧ ତାରିଖରେ ଦିଲ୍ଲୀର ରାମଲୀଳା ମଇଦାନରେ ରାଲି ଆୟୋଜନ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନେଇଥିବା ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ ଏହା ଶିଖ୍ ସମାଜର ଭାବନାକୁ ଆଘାତ ପହଞ୍ଚାଇବ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ନଭେମ୍ବର ୧ ତାରିଖ ୧୯୮୪ ମସିହାର ଶିଖ୍ ବିରୋଧୀ ଦଙ୍ଗାର ଦୁଃଖଦ ସ୍ମୃତି ସହ ଜଡ଼ିତ। ଏଭଳି ସ୍ଥିତିରେ ଏହି ତାରିଖରେ ରାଲି କରିବାକୁ ଜିଦ୍ ଧରିବା ଶିଖ୍ ସମାଜର କ୍ଷତ ଉପରେ ଲୁଣ ଛିଞ୍ଚିବା ସଦୃଶ। ବିଜେପି ଏହାକୁ ଦୃଢ଼ ନିନ୍ଦା କରୁଛି।
ଶନିବାର ବିଜେପି ମୁଖ୍ୟାଳୟରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କର ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ରାଜନୈତିକ ବିରୋଧ ଥାଇପାରେ। କିନ୍ତୁ ଦେଶର ସାଧାରଣ ଲୋକ ଓ ବ୍ୟବସାୟୀମାନଙ୍କ ଚିନ୍ତା ପ୍ରତି ମଧ୍ୟ ତାଙ୍କର କୌଣସି ଧ୍ୟାନ ନାହିଁ କି? ସେ ଅଭିଯୋଗ କରିଛନ୍ତି ଯେ, ରାହୁଲ ଗାନ୍ଧୀ କାହାରି କଥା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି ଏବଂ ନିଜ ଜିଦ୍ରେ ଅଟଳ ରହିଛନ୍ତି।
୧୯୮୪ ମସିହାର ଶିଖ୍ ବିରୋଧୀ ଦଙ୍ଗାର ଉଲ୍ଲେଖ କରି ବିଜେପି ନେତା କହିଛନ୍ତି ଯେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦେଶରେ ଯେଉଁ ହିଂସାକାଣ୍ଡ ଘଟିଥିଲା, ତାହାକୁ ଶିଖ୍ ସମାଜ ଆଜି ମଧ୍ୟ ଗଭୀର ଦୁଃଖର ସହ ସ୍ମରଣ କରୁଛି। ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସେହି ବିବାଦୀୟ ବକ୍ତବ୍ୟର ମଧ୍ୟ ଉଲ୍ଲେଖ କରିଥିଲେ, ଯେଉଁଥିରେ ସେ କହିଥିଲେ, “ଯେତେବେଳେ ଏକ ବଡ଼ ଗଛ ଉପୁଡ଼ି ପଡ଼େ, ସେତେବେଳେ ପୃଥିବୀ ଦୋହଲିଯାଏ।”
ବିଜେପି ନେତା କଂଗ୍ରେସ ଉପରେ ଅଭିଯୋଗ କରି କହିଛନ୍ତି ଯେ, ଦଳ ଦୀର୍ଘ ସମୟ ଧରି ୧୯୮୪ ମସିହାର ଦଙ୍ଗା ସମ୍ପର୍କିତ ସତ୍ୟକୁ ଚାପି ଦେବା ଏବଂ ଅଭିଯୁକ୍ତମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ବିଜେପି ସରକାର ଗଠନ ହେବା ପରେ ଦଙ୍ଗା ସମ୍ପର୍କିତ ମାମଲାଗୁଡ଼ିକର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରାଯାଇଥିଲା। ଏହା ସହିତ ପୀଡ଼ିତ ପରିବାରଗୁଡ଼ିକୁ କ୍ଷତିପୂରଣ ପ୍ରଦାନ ଏବଂ ଅନେକ ଅଭିଯୁକ୍ତଙ୍କୁ ଦଣ୍ଡ ମିଳିବା ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା