
କେନ୍ଦୁଝର, ୨୪ ଅକ୍ଟୋବର (ହି.ସ.) - ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେଇ ସ୍ଥିତ ଭାରତ ସଂଗଠନର ସେହାଟ୍ ପ୍ରକଳ୍ପ ଘଟଗାଁ ବ୍ଲକ ଅନ୍ତର୍ଗତ ଭୋଳବେଡ଼ା ସାପ୍ତାହିକ ହାଟରେ ସ୍ୱଚ୍ଛତା ଅଭିଯାନ ଓ ପୋଷଣ ସଚେତନତା କାର୍ଯ୍ୟକ୍ରମ ଆଜି ଆୟୋଜିତ ହୋଇଥିଲା। ପ୍ରକଳ୍ପ ସଂଯୋଜକ ଶିବନାଥ ପ୍ରଧାନଙ୍କ ତତ୍ୱାବଧାନରେ ଭାରତ ସଂଗଠନର କର୍ମୀମାନେ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ହାଟ ପରିସର ସଫେଇ କରାଯିବା ସହିତ ହାଟର ସ୍ୱଚ୍ଛତା, ଖାଦ୍ୟ ସୁରକ୍ଷା ଓ ପୋଷଣ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା। ହାଟରେ ଅଳିଆ ଆବର୍ଜନା ଏଣେତେଣେ ନ ପକାଇବା,ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ସାମଗ୍ରୀ ଓ ପଲିଥିନର ବ୍ୟବହାର କମାଇବା ଏବଂ ଖାଦ୍ୟ ସାମଗ୍ରୀକୁ ପରିଷ୍କାର ଓ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥି ସହିତ ଉନ୍ନତ ପୋଷଣ ପାଇଁ ଭାରତୀୟ ଖାଦ୍ୟ ପ୍ରଣାଳୀ ପ୍ରକଳ୍ପ ସମ୍ପର୍କରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା। ଏହା ଏକ ଗବେଷଣାଭିତିକ ଅଧ୍ୟୟନ, ଯାହାକୁ ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଆଣ୍ଡ୍ ଟ୍ରପିକାଲ୍ ମେଡିସିନ୍ ଏବଂ ସେଫିଲ୍ଡ ବିଶ୍ୱବିଦ୍ୟାଳୟ ସହାୟତା କରୁଥିବାବେଳେ ହାଇଦ୍ରାବାଦ ସ୍ଥିତ ରାଷ୍ଟ୍ରୀୟ ପୋଷଣ ସଂସ୍ଥା ପରାମର୍ଶ ଓ ତଦାରଖ କରୁଛି। ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତୀୟ ଖାଦ୍ୟ ପ୍ରଣାଳୀ ଓ ଲୋକମାନଙ୍କ ଖାଦ୍ୟାଭ୍ୟାସକୁ ଅଧ୍ୟୟନ କରିବା ସହିତ ପୋଷଣରେ ଉନ୍ନତି ଆଣିବା ପାଇଁ ସକାରାତ୍ମକ ପରିବର୍ତନକୁ ପ୍ରୋତ୍ସାହିତ କରିବା। ସ୍ଥାନୀୟ ଶସ୍ୟ, ଡାଲି, ଶାଗ, ପନିପରିବା ଓ ଋତୁକାଳୀନ ଫଳମୂଳ ଭଳି ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବା ସହିତ ଶିଶୁ ଓ ମହିଳାଙ୍କ ପୋଷଣ ସ୍ଥିତିରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସ୍ୱଚ୍ଛ ହାଟ, ସୁରକ୍ଷିତ ଖାଦ୍ୟ ଓ ସୁଷମ ପୋଷଣ ଏକ ସୁସ୍ଥ ସମାଜ ଗଠନର ମୂଳ ଆଧାର। ଏଥିପାଇଁ ହାଟ କମିଟି, ଦୋକାନୀ ଓ ସାଧାରଣ ଲୋକଙ୍କ ସାମୂହିକ ସହଯୋଗ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମରେ ଭୋଳବେଡ଼ା ସରପଂଚ ସନ୍ଧ୍ୟାରାଣୀ ନାୟକ, ହାଟ କମିଟି ସଭାପତି ଭାଗବତ ପ୍ରସାଦ ନାୟକ, ସମ୍ପାଦକ ଭାଗିରଥି ନାୟକ, ଏକଜୁଟ୍ ସଂଗଠନର ନିରାଶ ମହାନ୍ତ ଓ ବିବେକ ବେହେରାଙ୍କ ସମେତ ହାଟ କମିଟିର ସମସ୍ତ ସଦସ୍ୟ ଏବଂ ସିଏଲଏଫ ଓ ଜିପିଏଲଏଫର ମହିଳା ସଦସ୍ୟାମାନେ ଯୋଗ ଦେଇଥିଲେ। ସମସ୍ତଙ୍କ ମିଳିତ ସହଯୋଗରେ ହାଟର ସ୍ୱଚ୍ଛତା ବଜାୟ ରଖିବା ସହିତ ପୋଷଣ ଓ ସ୍ୱାସ୍ଥ୍ୟକର ଜୀବନଶୈଳୀ ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବାର ବାର୍ତା ଦିଆଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA