
ଜୟପୁର, ୨୪ ଅକ୍ଟୋବର (ହି.ସ.)- କୋରାପୁଟ ଜିଲ୍ଲାରେ ଏବେ ଜୋର୍ ଧରିଛି ମଦ ବିରୋଧୀ ଆନ୍ଦୋଳନ। ନିଜ ନିଜ ପଞ୍ଚାୟତକୁ ନିଶାମୁକ୍ତ ପଞ୍ଚାୟତ ଗଠନ କରିବା ପାଇଁ ଅଣ୍ଟା ଭିଡିଛନ୍ତି ମହିଳା। କେତେବେଳେ ହଜାର ହଜାର ସଂଖ୍ୟାରେ ମହିଳା ମାନେ ଏକଜୁଟ ହୋଇ ଥାନା ଘେରାଉ କରୁଛନ୍ତି ତ କେତେବେଳେ ମଦ ଗାଡ଼ିକୁ ଗୋଡ଼ାଇ ଗୋଡ଼ାଇ ଧରି ଥାନାରେ ଅଟକ ରଖୁଛନ୍ତି, ଆଉ ଘରେ ଘରେ ପଶି ପୋଚ ବାହାର କରି ଗାଁ ଦାଣ୍ଡରେ ପୋଚ ଏବଂ ମଦ ହାଣ୍ଡିକୁ ଭାଙ୍ଗି ନଷ୍ଟ କରୁଛନ୍ତି। ସେହିପରି ଆଜି ବୋରିଗୁମ୍ମା ଥାନା ଅନ୍ତର୍ଗତ ଜାମୁଣ୍ଡା ପଞ୍ଚାୟତ ଏବଂ ଝିଲିମିଲି ଗାଁର ଶହ ଶହ ମହିଳା ଏକଜୁଟ ହୋଇ ହାତରେ ଲାଠି ଧରି ମଦ ବିକ୍ରିକୁ ବିରୋଧ କରି ମଦ ନିଶାମୁକ୍ତ ପଞ୍ଚାୟତ ଗଠନ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ସମସ୍ତ ମହିଳା ମାନେ ମାଆ ଭଉଣୀଙ୍କ ହାତରେ ଉଠିବ ଲାଠି ଯଦି ବନ୍ଦ ନହେବ ମଦ ଭାଟିସ୍ଲୋଗାନ ଦେଇ ବୋରିଗୁମ୍ମା ଥାନାରେ ପହଂଚି ବୋରିଗୁମ୍ମା ଥାନା ଅଧିକାରୀ ରାମାନନ୍ଦ ସାହୁଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ଗାଁ ଗାଁ ରେ ଅବାଧ ମଦ ବିକ୍ରି କରୁଛନ୍ତି ଆଉ ସେହି ମଦ ପିଇ ସ୍କୁଲ ଛାତ୍ର ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଘରେ ଘରେ ବିଶୃଙ୍ଖଳା ସୃଷ୍ଟି କରିବା ସହ ରୋଗାକ୍ରାନ୍ତ ହୋଇ ଅକାଳରେ ଜୀବନ ଯାଉଛି। ଅଳ୍ପ ବୟସରେ ମହିଳା ମାନେ ବିଧବା ହୋଇ ଜୀବନ କାଟୁଛନ୍ତି। ମଦ ପିଇ ଅନେକ ସମୟରେ ସଡ଼କ ଦୁର୍ଘଟଣାରେ ଜୀବନ ଯାଉଛି। ଯଦି ଆଗାମୀ ଦିନରେ ମଦ ବିକ୍ରି ବନ୍ଦ ନହୁଏ ତେବେ ଆନ୍ଦୋଳନ ତୀବ୍ରତର ହେବ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜ୍ଜନ ହେବ ବୋଲି ଚେତାବନୀ ଦେଇଛନ୍ତି ଝିଲିମିଲି ଗାଁ ଏବଂ ଜାମୁଣ୍ଡା ପଞ୍ଚାୟତର ମହିଳାମାନେ । ବୋରିଗୁମ୍ମା ବ୍ଲକ ବିଜେଡ଼ି ସଭାପତି ଲାଡ଼ି ନାରାୟଣ ଏବଂ ବାଲିଙ୍କି ରାଓ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି