ଧାମନଗର ବଜାରରେ ଟ୍ରାଫିକ୍ ଯନ୍ତ୍ରଣା, ଜବରଦଖଲ ଓ ବେଆଇନ ପାର୍କିଂରୁ ଯାତାୟାତ ବାଧାପ୍ରାପ୍ତ
ଭଦ୍ରକ, ୨୪ ଅକ୍ଟୋବର (ହି.ସ.) - ଏହି ଜିଲାର ଧାମନଗର ବଜାରରେ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ଉତ୍କଟ ହେଉଛି। ବାସନ୍ତୀ ଦୁର୍ଗା ମଣ୍ଡପଠାରୁ ବଡ଼ବଜାର, ଥାନା ଛକ, ହାଟ ଦେଇ ମେଡିକାଲ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଉଠାଦୋକାନ ଓ ରାସ୍ତା ଉପରେ ଗାଡ଼ି ପାର୍କିଂ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେଉଛି
DHAMNAGAR BAZAR TRAFFIC


ଭଦ୍ରକ, ୨୪ ଅକ୍ଟୋବର (ହି.ସ.) - ଏହି ଜିଲାର ଧାମନଗର ବଜାରରେ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ଉତ୍କଟ ହେଉଛି। ବାସନ୍ତୀ ଦୁର୍ଗା ମଣ୍ଡପଠାରୁ ବଡ଼ବଜାର, ଥାନା ଛକ, ହାଟ ଦେଇ ମେଡିକାଲ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଉଠାଦୋକାନ ଓ ରାସ୍ତା ଉପରେ ଗାଡ଼ି ପାର୍କିଂ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେଉଛି। ବିଶେଷକରି ସନ୍ଧ୍ୟା ସମୟରେ ଟ୍ରାଫିକ୍ ଜାମ୍ ଯୋଗୁଁ ଲୋକେ ହଇରାଣ ହେଉଛନ୍ତି। ଫାଷ୍ଟଫୁଡ୍ ଓ ଅନ୍ୟ ଖାଦ୍ୟ ଦୋକାନ ନିକଟରେ ଗାଡ଼ି ରଖି ଖାଦ୍ୟ ଖାଉଥିବାରୁ ରାସ୍ତା ସଂକୁଚିତ ହୋଇପଡ଼ୁଛି। ଫଳରେ ଭଦ୍ରକରୁ ଷେଣ୍ଢପୁର ଯାତାୟାତ କରୁଥିବା ବସ୍, ଟ୍ରକ୍ ସମେତ ଅନ୍ୟ ଯାନବାହନ ଜାମ୍ରେ ଫସି ରହୁଛନ୍ତି। ରବିବାର ଓ ବୁଧବାର ହାଟବାର ହୋଇଥିବାରୁ ଦିନରୁ ସନ୍ଧ୍ୟା ପର୍ଯ୍ୟନ୍ତ ବଜାରରେ ଭିଡ଼ ଲାଗି ରହୁଛି। ଏଥିଯୋଗୁଁ ପଥଚାରୀଙ୍କ ଯାତାୟାତ ମଧ୍ୟ କଷ୍ଟକର ହେଉଛି। ପୂର୍ବରୁ ତତ୍କାଳୀନ ତହସିଲଦାର ରମେଶ ଜେନାଙ୍କ ଉଦ୍ୟମରେ ବଜାରରେ ମାପଚୁପ କରାଯାଇ ଜବରଦଖଲ ଉଚ୍ଛେଦ ହୋଇଥିଲା। ଏଥିସହ ଆର ଆଣ୍ଡ ବି ବିଭାଗ ପକ୍ଷରୁ ରାସ୍ତାର ସୀମା ନିର୍ଦ୍ଧାରଣ କରାଯାଇ ଖୁଂଟ ପୋତାଯାଇଥିଲା। ମାତ୍ର କିଛି ବର୍ଷ ମଧ୍ୟରେ ଖୁଂଟଗୁଡ଼ିକ ଭାଙ୍ଗିଯିବା ପରେ ପୁନର୍ବାର ଜବରଦଖଲ ବଢ଼ିବାରେ ଲାଗିଛି। କେତେକ ସ୍ଥାନରେ ଘର ଓ ଦୋକାନ ନିର୍ମାଣ ହୋଇଥିବାବେଳେ ଅନ୍ୟ କେତେକ ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲିଥିବା ଅଭିଯୋଗ ହେଉଛି। ଧାମନଗର ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ଜବରଦଖଲ ନିୟନ୍ତ୍ରଣ, ଉଠାଦୋକାନ ସ୍ଥାନାନ୍ତର ଓ ବେଆଇନ ନିର୍ମାଣ ଉଚ୍ଛେଦ ଦିଗରେ ପଦକ୍ଷେପ ନିଆଯିବା ଆବଶ୍ୟକ। ମାଷ୍ଟର ପ୍ଲାନ୍ ନଥିବା ଏବଂ ରାସ୍ତା ଉପରେ ପାର୍କିଂ ନିୟନ୍ତ୍ରଣ ହେଉନଥିବାରୁ ସମସ୍ୟା ଜଟିଳ ହେଉଛି। ତେଣୁ ଧାମନଗର ବଜାରର ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ଏନେଇ ଏନଏସି ଅଧିକାରୀ ଦେବବ୍ରତ ମହାପାତ୍ରଙ୍କୁ ପଚାରିବାରୁ କୁହନ୍ତି ପ୍ରଥମଥର ଉଠା ଦୋକାନୀଙ୍କୁ ନୋଟିସ୍ ଦିଆଯାଇଛି। ୨ୟ ଥର ନୋଟିସ୍ ପ୍ରଦାନ କରାଯିବା ପରେ ଉଠା ଦୋକାନୀ ନାଗଲେ ତାଙ୍କ ଉପରେ ଜୋରିମାନା କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande