ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ପ୍ରସ୍ତୁତି ସମୀକ୍ଷା
ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ; ୨୬ ଅକ୍ଟୋବରରୁ ଜିଲ୍ଲାରେ ନିୟୋଜିତ ହେବ ଓଡ୍ରାଫ୍ ଟିମ୍ କେନ୍ଦ୍ରାପଡ଼ା, ୨୪ ଅକ୍ଟୋବର(ହି.ସ.) – ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆଜି ଜିଲ୍ଲାପାଳ ରଘୁରାମ ଆର୍. ଆୟରଙ୍କ ଅଧ୍ୟକ୍ଷତାରେ ଏକ
ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ପ୍ରସ୍ତୁତି ସମୀକ୍ଷା  ବା


ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ; ୨୬ ଅକ୍ଟୋବରରୁ ଜିଲ୍ଲାରେ ନିୟୋଜିତ ହେବ ଓଡ୍ରାଫ୍ ଟିମ୍

କେନ୍ଦ୍ରାପଡ଼ା, ୨୪ ଅକ୍ଟୋବର(ହି.ସ.) – ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆଜି ଜିଲ୍ଲାପାଳ ରଘୁରାମ ଆର୍. ଆୟରଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ୍ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତୁତି, ଜରୁରୀକାଳୀନ ସେବା, ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା ଏବଂ ବିଭାଗୀୟ ସମନ୍ୱୟର ସମୀକ୍ଷା କରାଯାଇଥିଲା। ବୈଠକ ପରେ ଜିଲ୍ଲାପାଳ ସ୍ଥାନୀୟ ସମ୍ମିଳନୀ କକ୍ଷଠାରେ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲାର ବାତ୍ୟା ପ୍ରସ୍ତୁତି ଓ ସତର୍କତା ମୂଳକ ପଦକ୍ଷେପ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଜିଲ୍ଲାପାଳ ସମସ୍ତ ବିଭାଗକୁ ସତର୍କ ରହିବା ସହ ଆବଶ୍ୟକ ମାନବସମ୍ବଳ, ଯନ୍ତ୍ରପାତି ଓ ଜରୁରୀକାଳୀନ ସାମଗ୍ରୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ଥିବା ମୋଟ ୧୩୦ଟି ବାତ୍ୟା ଆଶ୍ରୟସ୍ଥଳ ସହ ଆବଶ୍ୟକ ସ୍କୁଲ ଗୃହଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରଖିବାକୁ କୁହାଯାଇଥିଲା। ସମ୍ବେଦନଶୀଳ ଅଂଚଳକୁ ନିରନ୍ତର ନଜର ରଖିବା ଏବଂ ଆବଶ୍ୟକସ୍ଥଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷରେ ନିର୍ଦ୍ଧାରିତ ଡ୍ୟୁଟି ଅନୁଯାୟୀ କର୍ମଚାରୀ ନିୟୋଜନ ଓ ନିୟନ୍ତ୍ରଣ କକ୍ଷକୁ ସକ୍ରିୟ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଗର୍ଭବତୀ ମହିଳା, ବୟସ୍କ ବ୍ୟକ୍ତି ଓ ଅନ୍ୟ ଅସୁରକ୍ଷିତ ବର୍ଗର ଲୋକଙ୍କୁ ଆବଶ୍ୟକ ସ୍ଥଳେ ଆଗୁଆ ସ୍ଥାନାନ୍ତର କରିବା ସହ ଶୁଖିଲା ଖାଦ୍ୟ, ପଲିଥିନ୍ ଓ ଅନ୍ୟାନ୍ୟ ରିଲିଫ୍ ସାମଗ୍ରୀ ମହଜୁଦ ରଖିବାକୁ କୁହାଯାଇଥିଲା। ବାତ୍ୟା ମୁକାବିଲା ପାଇଁ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଛି। ଆସନ୍ତା ୨୬ ଅକ୍ଟୋବରରୁ ଜିଲ୍ଲାରେ ଗୋଟିଏ ଓଡ୍ରାଫ୍ ଟିମ୍ ନିୟୋଜିତ ହେବ। ସମସ୍ତ ବ୍ଲକ୍ ଓ ପୌରାଂଚଳରେ ଉଦ୍ଧାର ଉପକରଣ ପ୍ରସ୍ତୁତ ରଖିବା ସହ ନଦୀବନ୍ଧ, ଜଳ ନିଷ୍କାସନ ବ୍ୟବସ୍ଥା ଓ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନ ଉପରେ ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସମ୍ଭାବ୍ୟ ପ୍ରବଳ ପବନକୁ ଦୃଷ୍ଟିରେ ରଖି ପୂଜା କମିଟିଗୁଡ଼ିକୁ ଅସ୍ଥାୟୀ ଢାଂଚା, ତୋରଣ ଓ ଅନ୍ୟାନ୍ୟ ଅସୁରକ୍ଷିତ ସାଜସଜ୍ଜା ହଟାଇବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ। ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ସତର୍କତାମୂଳକ ପଦକ୍ଷେପ ନେବା ଜରୁରୀ ବୋଲି ସେ କହିଥିଲେ। ଏଥିସହ ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ସରବରାହ, ସ୍ୱାସ୍ଥ୍ୟସେବା, ସଡ଼କ ଯୋଗାଯୋଗ, ଜଳ ନିଷ୍କାସନ ଓ ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ସୁନିଶ୍ଚିତ କରିବା ସହ ଜରୁରୀକାଳୀନ ସେବାକୁ ସକ୍ରିୟ ରଖିବା ଉପରେ ଆଲୋଚନା ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ପାଣିପାଗ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଥିବା ସହ ଆବଶ୍ୟକ ଅନୁଯାୟୀ ତ୍ୱରିତ ପଦକ୍ଷେପ ଗ୍ରହଣ ପାଇଁ ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିରଞ୍ଜନ ଗୌଡ଼, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଡେପୁଟି କଲେକ୍ଟର(ଜରୁରୀକାଳୀନ) ନିତ୍ୟାନନ୍ଦ ସାମଲଙ୍କ ସମେତ ସମସ୍ତ ଲାଇନ୍ ବିଭାଗର ଅଧିକାରୀ ଯୋଗଦେଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅଧିକୃତ ପାଣିପାଗ ସୂଚନା ଓ ପ୍ରଶାସନର ପରାମର୍ଶ ଅନୁସରଣ କରିବା, ଗୁଜବ ଠାରୁ ଦୂରେଇ ରହିବା ଏବଂ ଆବଶ୍ୟକ ସମୟରେ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ଜନସାଧାରଣଙ୍କ ସୁରକ୍ଷା ଓ ଜୀବନରକ୍ଷା ଜିଲ୍ଲା ପ୍ରଶାସନର ସର୍ବୋଚ୍ଚ ପ୍ରାଥମିକତା ରହିଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande