
ନୂଆଦିଲ୍ଲୀ, ୨୪ ଅକ୍ଟୋବର (ହି.ସ.)। ଭାରତ ଓ ଲିକଟେନଷ୍ଟାଇନ୍ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଲିକଟେନଷ୍ଟାଇନ୍ର ଯୁବରାଜ ଏଲୋଇସ୍ ରବିବାରଠାରୁ ଚାରି ଦିନିଆ ରାଜକୀୟ ଗସ୍ତରେ ଭାରତ ଆସିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକ୍ରମେ ହେଉଥିବା ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୁତ କରିବା ନେଇ ଆଲୋଚନା ହେବ।
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଜାରି ବିବୃତି ଅନୁଯାୟୀ, ଲିକଟେନଷ୍ଟାଇନ୍ ରାଜ୍ୟର କାର୍ଯ୍ୟକାରୀ ରାଷ୍ଟ୍ରମୁଖ୍ୟ ଯୁବରାଜ ଏଲୋଇସ୍ ଅକ୍ଟୋବର ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଭାରତରେ ରହିବେ। ତାଙ୍କ ସହିତ ପତ୍ନୀ ସୋଫି, ବରିଷ୍ଠ ଅଧିକାରୀ ଏବଂ ପ୍ରମୁଖ ଶିଳ୍ପପତିଙ୍କୁ ନେଇ ଗଠିତ ଏକ ବ୍ୟବସାୟିକ ପ୍ରତିନିଧିମଣ୍ଡଳ ମଧ୍ୟ ଭାରତ ଆସିବେ।
୨୦୨୬ ମସିହାରେ ଯୁବରାଜ ଏଲୋଇସ୍ଙ୍କର ଏହା ଦ୍ୱିତୀୟ ଭାରତ ଗସ୍ତ ହେବ। ଏହା ପୂର୍ବରୁ ସେ ଫେବୃଆରୀ ମାସରେ ନୂଆଦିଲ୍ଲୀରେ ଆୟୋଜିତ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଥିଲେ। ଏହା ପୂର୍ବରୁ ସେ ୨୦୧୦ ଓ ୨୦୧୮ ମସିହାରେ ମଧ୍ୟ ଭାରତ ଗସ୍ତ କରିଥିଲେ।
ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଯୁବରାଜ ଏଲୋଇସ୍ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବ। ଏଥିରେ ବାଣିଜ୍ୟ ଓ ପୁଞ୍ଜିନିବେଶ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା ହେବ। ଉଭୟ ନେତା ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ଘଟଣାକ୍ରମ ଉପରେ ମଧ୍ୟ ନିଜ ନିଜର ମତ ବିନିମୟ କରିବେ।
ଯୁବରାଜ ଏଲୋଇସ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ସାକ୍ଷାତ କରିବେ। ତାଙ୍କ ସମ୍ମାନରେ ରାଷ୍ଟ୍ରପତି ଏକ ଆନୁଷ୍ଠାନିକ ଭୋଜିର ଆୟୋଜନ କରିବେ। ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ ଯୁବରାଜ ଏଲୋଇସ୍ଙ୍କୁ ସାକ୍ଷାତ କରିବେ।
ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ୨୦୨୫ ମସିହାରେ ଭାରତ ଓ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ (ଇଏଫ୍ଟିଏ) ମଧ୍ୟରେ ବାଣିଜ୍ୟ ଓ ଆର୍ଥିକ ଭାଗିଦାରି ଚୁକ୍ତି କାର୍ଯ୍ୟକାରୀ ହେବା ପରେ ଭାରତ ଓ ଲିକଟେନଷ୍ଟାଇନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ନୂଆ ଗତି ପାଇଛି। ଯୁବରାଜ ଏଲୋଇସ୍ଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ସହଯୋଗକୁ ଆହୁରି ପ୍ରୋତ୍ସାହନ ଦେବ ବୋଲି ଆଶା କରାଯାଉଛି।
ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଭାରତ ଓ ଲିକଟେନଷ୍ଟାଇନ୍ ମଧ୍ୟରେ ରହିଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆହୁରି ଗଭୀର କରିବା ସହ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ନୂତନ କ୍ଷେତ୍ରଗୁଡ଼ିକରେ ସହଭାଗିତାର ସୁଯୋଗ ଖୋଜିବା।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା