


ରାଂଚି, ୨୪ ଅକ୍ଟୋବର (ହି.ସ.)- ଝାଡ଼ଖଣ୍ଡ ବିଜେପିର ଦୁଇଦିନିଆ ପ୍ରଦେଶ କାର୍ଯ୍ୟସମିତି ବୈଠକରେ ଯୋଗଦେବା ପାଇଁ ଶନିବାର ଦଳର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ରାଂଚିରେ ପହଂଚିଛନ୍ତି। ରିଙ୍ଗ ରୋଡ୍ ସ୍ଥିତ ହାଭେଲି ବ୍ୟାଙ୍କେ୍ୱଟ୍ ହଲ୍ରେ ପହଂଚିବା ପରେ ଦଳର ବରିଷ୍ଠ ନେତା ଏବଂ କାର୍ଯ୍ୟକର୍ତାମାନେ ପାରମ୍ପରିକ ଶୈଳୀରେ ତାଙ୍କୁ ସ୍ୱାଗତ କରିଥିଲେ। ଏହି ସମୟରେ ଜାତୀୟ ଅଧ୍ୟକ୍ଷ ନିଜେ ମାନ୍ଦର ବଜାଇ ଆଦିବାସୀ କଳାକାରଙ୍କ ଉତ୍ସାହ ବଢ଼ାଇଥିଲେ।
ବୈଠକ ସ୍ଥଳର ମୁଖ୍ୟ ଦ୍ୱାରରେ ପାରମ୍ପରିକ ପୋଷାକ ପିନ୍ଧିଥିବା ଆଦିବାସୀ କଳାକାରମାନେ ଢୋଲ, ନଗାଡ଼ା ଏବଂ ମାନ୍ଦରର ତାଳରେ ନୃତ୍ୟ କରୁଥିଲେ। କଳାକାରଙ୍କ ପ୍ରଦର୍ଶନ ଦେଖି ନୀତିନ ନବୀନ ମଧ୍ୟ ଗଳାରେ ମାନ୍ଦର ଝୁଲାଇ ତାହା ବଜାଇଥିଲେ। ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମରାଣ୍ଡି, ପ୍ରଦେଶ ଅଧ୍ୟକ୍ଷ ଆଦିତ୍ୟ ସାହୁ, ରାଂଚି ବିଧାୟକ ସିପି ସିଂହ ଏବଂ ହଟିଆ ବିଧାୟକ ନବୀନ ଜୟସୱାଲଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।
ବୈଠକରେ ଯୋଗଦେବାକୁ ପହଂଚିଥିବା ପ୍ରଦେଶ ଅଧ୍ୟକ୍ଷ ଆଦିତ୍ୟ ସାହୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମରାଣ୍ଡି, ପ୍ରଦେଶ ମହାମନ୍ତ୍ରୀ ଅମର ବାଉରୀ ଏବଂ ଅନ୍ୟ ପଦାଧିକାରୀଙ୍କୁ ମଧ୍ୟ ପାରମ୍ପରିକ ଶୈଳୀରେ ସ୍ୱାଗତ କରାଯାଇଥିଲା। ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ମୁଖ୍ୟ ଦ୍ୱାରରେ ନେତାମାନଙ୍କ କପାଳରେ ଚନ୍ଦନ ତିଳକ ଲଗାଇଥିଲେ, ପୁଷ୍ପବର୍ଷା କରିଥିଲେ ଏବଂ ଆରତୀ ଉତାରିଥିଲେ। ଏହା ସହ ସମସ୍ତ ନେତାଙ୍କୁ ‘ଜୋହାର’ ଲେଖାଥିବା ପାରମ୍ପରିକ ଗାମୁଛା ପିନ୍ଧାଇ ଦିଆଯାଇଥିଲା।
ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ପ୍ରଥମେ ସମସ୍ତ ଜିଲ୍ଲା ଅଧ୍ୟକ୍ଷ ଏବଂ ଜିଲ୍ଲା ପ୍ରଭାରୀଙ୍କ ସହ ବୈଠକ କରୁଛନ୍ତି। ଏହାପରେ ପ୍ରଦେଶ କାର୍ଯ୍ୟସମିତିର ମୁଖ୍ୟ ବୈଠକ ଆରମ୍ଭ ହେବ। ବୈଠକରେ ଦଳର ସାଂଗଠନିକ କାର୍ଯ୍ୟକଳାପ ଏବଂ ଆଗାମୀ ରଣନୀତି ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।
କାର୍ଯ୍ୟକ୍ରମ ସ୍ଥଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ପ୍ରଦେଶ ଅଧ୍ୟକ୍ଷ ଆଦିତ୍ୟ ସାହୁଙ୍କ ବଡ଼ ବଡ଼ ପୋଷ୍ଟରରେ ସଜାଯାଇଛି। ବୈଠକରେ ଯୋଗଦେବାକୁ ଆସୁଥିବା ନେତା ଏବଂ ପଦାଧିକାରୀଙ୍କ ପଞ୍ଜୀକରଣ କରାଯାଉଛି। ପ୍ରବେଶ ଦ୍ୱାରରେ ସେମାନଙ୍କୁ ପାରମ୍ପରିକ ଗମଛା ପିନ୍ଧାଇ ସ୍ୱାଗତ କରାଯାଉଛି।
ଏହି ଅବସରରେ ପ୍ରଦେଶ ମହାମନ୍ତ୍ରୀ ଅମର ବାଉରୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ ବର୍ତମାନର ସରକାରଙ୍କୁ ନେଇ ଜନସାଧାରଣ ଅସନ୍ତୁଷ୍ଟ ଅଛନ୍ତି। ପ୍ରଦେଶ କାର୍ଯ୍ୟସମିତି ବୈଠକରେ ରାଜ୍ୟକୁ ଉନ୍ନତ ନେତୃତ୍ୱ ଦେବା ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି।
------------
ହିନ୍ଦୁସ୍ଥାନ ସମାଚାର / ଗଗନ