କେନ୍ଦ୍ରାପଡ଼ା ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ବୁଲୁ ବେହେରାକୁ ଆଜୀବନ କାରାଦଣ୍ଡ
କେନ୍ଦ୍ରାପଡ଼ା, ୨୪ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ଟାଉନ୍ ବଳରାମପୁର ଅଂଚଳରେ ଘଟିଥିବା ଚର୍ଚ୍ଚିତ ଅକ୍ଷୟ କୁମାର ଖଟୁଆ ହତ୍ୟା ମାମଲାରେ କେନ୍ଦ୍ରାପଡ଼ା ଜିଲ୍ଲା ଓ ଦୌରାଜଜ୍ ଅଦାଲତ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁ
କେନ୍ଦ୍ରାପଡ଼ା ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ବୁଲୁ ବେହେରାକୁ ଆଜୀବନ କାରାଦଣ୍ଡ


କେନ୍ଦ୍ରାପଡ଼ା, ୨୪ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ଟାଉନ୍ ବଳରାମପୁର ଅଂଚଳରେ ଘଟିଥିବା ଚର୍ଚ୍ଚିତ ଅକ୍ଷୟ କୁମାର ଖଟୁଆ ହତ୍ୟା ମାମଲାରେ କେନ୍ଦ୍ରାପଡ଼ା ଜିଲ୍ଲା ଓ ଦୌରାଜଜ୍ ଅଦାଲତ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ଆଦିତ୍ୟ ପ୍ରସାଦ ବେହେରା ଓରଫ୍ ବୁଲୁ(୩୨)କୁ ଆଦାଲତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହିତ ଅଭିଯୁକ୍ତ ଉପରେ ୫,୦୦୦ ଟଙ୍କାର ଆର୍ôଥକ ଜରିମାନା ମଧ୍ୟ ଲାଗୁ କରାଯାଇଛି। ଜରିମାନା ଅନାଦେୟ ଅଭିଯୁକ୍ତକୁ ଅତିରିକ୍ତ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ବିବରଣୀରୁ ପ୍ରକାଶ ଯେ, ୨୦୨୪ ମସିହା ଏପ୍ରିଲ ୧୮ ତାରିଖ ରାତି ପ୍ରାୟ ୯ଟା ସମୟରେ କେନ୍ଦ୍ରାପଡ଼ା ସାରଙ୍ଗ ଗ୍ରାମର ଅକ୍ଷୟ କୁମାର ଖଟୁଆ ଏବଂ ବଳରାମ ମହାରଣା ଟାଉନ୍ ବଳରାମପୁରସ୍ଥିତ ଏକ ପାନ ଦୋକାନ ନିକଟରେ ସଉଦା କରୁଥିଲେ। ସେହି ସମୟରେ ସ୍ଥାନୀୟ ଆଦିକନ୍ଦ ବେହେରାଙ୍କ ପୁଅ ଆଦିତ୍ୟ ବେହେରା(ବୁଲୁ) ହଠାତ୍ ଏକ ଛୁରୀ ଧରି ବଳରାମ ମହାରଣାଙ୍କ ଉପରକୁ ଆକ୍ରମଣ କରିଥିଲା। ଏହାଦେଖି ଅକ୍ଷୟ କୁମାର ଖଟୁଆ ଘଟଣାରେ ହସ୍ତକ୍ଷେପ କରି ବଳରାମଙ୍କୁ ବଂଚାଇବାକୁ ଚେଷ୍ଟା କରିବା ସହ ଆକ୍ରମଣର ପ୍ରତିବାଦ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ବୁଲୁ ଅତି ନିର୍ମମ ଭାବେ ଏକ ଧାରୁଆ ଛୁରୀରେ ଅକ୍ଷୟଙ୍କ ଶରୀରରେ ବାରମ୍ବାର ଆଘାତ କରିଥିଲା। ଛୁରାମାଡ଼ ଯୋଗୁଁ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଅକ୍ଷୟ ତଳେ ପଡ଼ି ଅଚେତ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ମୃତକଙ୍କ ସାନଭାଇ ଶରତ କୁମାର ଖଟୁଆ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ କେସ୍ ନଂ ୭୯/୨୦୨୪ ଅନୁଯାୟୀ ଭାରତୀୟ ଦଣ୍ଡବିଧି ଆଇନ୍ର ଧାରା ୩୦୨ ଏବଂ ୩୦୭ ଅଧିନରେ ମାମଲା ରୁଜୁ କରିଥିଲା। ମାମଲାର ତଦନ୍ତ ଦାୟିତ୍ୱ ଇନ୍ସପେକ୍ଟର ଦିଲ୍ଲୀପ କୁମାର ସାହୁ ଗ୍ରହଣ କରିଥିଲେ। ସେ ତଦନ୍ତ ଆରମ୍ଭ କରି ମାତ୍ର ୧୧୭ ଦିନ ମଧ୍ୟରେ ଅର୍ଥାତ୍ ୨୦୨୪ ଅଗଷ୍ଟ ୧୩ ତାରିଖରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ। ଏହାପରେ ୧୪୭ ଦିନ ପରେ ୨୦୨୫ ଜାନୁଆରୀ ୭ ତାରିଖରେ ଅଦାଲତରେ ଅଭିଯୁକ୍ତ ବିରୋଧରେ ବିଚାର ପାଇଁ ଅଭିଯୋଗ ଫର୍ଦ୍ଦ ବା ଚାର୍ଜ ଫ୍ରେମିଂ କରାଯାଇଥିଲା। ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ଶ୍ରୀମତୀ ଏସ୍.ଏ. ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ। ଚାର୍ଜ ଫ୍ରେମିଂ ହେବାର ୬୪୭ ଦିନ ଧରି ଚାଲିଥିବା ଟ୍ରାଏଲ୍ରେ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଏବଂ ତଦନ୍ତକାରୀ ଅଧିକାରୀଙ୍କ ତଥ୍ୟ-ପ୍ରମାଣକୁ ତର୍ଜମା କରାଯାଇଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ୨୦୨୬ ଅକ୍ଟୋବର ୧୬ ତାରିଖରେ କେନ୍ଦ୍ରାପଡ଼ା ସେସନ୍ସ ଜଜ୍ ଅଭିଯୁକ୍ତ ବୁଲୁ ବେହେରାକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଆଇପିସି ଧାରା ୩୦୨ରେ ଆଜୀବନ କାରାଦଣ୍ଡ ଦିଆଯାଇଥିବାରୁ ଧାରା ୩୨୪ ପାଇଁ ଅଲଗା ଭାବେ କୌଣସି ଦଣ୍ଡ ବିହିତ କରାଯାଇ ନାହିଁ। ଏହି ରାୟ ପରେ ପୀଡ଼ିତଙ୍କ ପରିବାରକୁ ନ୍ୟାୟ ମିଳିଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande