ଅଂଚଳବାସୀଙ୍କୁ ଉନ୍ନତ, ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ଲାଗି ମିଳିତ ପଦକ୍ଷେପ
MLA and Collector visit diagnostic centre
ଝାରସୁଗୁଡ଼ା ବେଦାନ୍ତ ଡାଏଗ୍ନୋଷ୍ଟିକ୍ ସେଣ୍ଟରକୁ ହସ୍ପିଟାଲରେ


ଝାରସୁଗୁଡ଼ା, ୨୪ ଅକ୍ଟୋବର (ହି.ସ.) - ଝାରସୁଗୁଡ଼ା ଜିଲ୍ଲାର ଜନସାଧାରଣଙ୍କୁ ସୁଲଭ ତଥା ଉଚ୍ଚମାନର ଚିକିତ୍ସା ସେବା ଯୋଗାଇଦେବା ଲକ୍ଷ୍ୟରେ ଆଜି ସ୍ଥାନୀୟ ବେଦାନ୍ତ ଡାଏଗ୍ନୋଷ୍ଟିକ୍ ସେଂଟରକୁ ଏକ ସୁବିଧାସମ୍ପନ୍ନ ହସ୍ପିଟାଲରେ ରୂପାନ୍ତରିତ କରିବା ନିମନ୍ତେ କ୍ଷେତ୍ର ପରିଦର୍ଶନ ଓ ସ୍ଥିତି ଅନୁଧ୍ୟାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଏବଂ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ମିଳିତ ଭାବେ ଉକ୍ତ କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ ବ୍ୟବସ୍ଥାର ତଦାରଖ କରିଛନ୍ତି।

ପରିଦର୍ଶନ କାଳରେ ଡାଏଗ୍ନୋଷ୍ଟିକ୍ ସେଂଟରକୁ ପୂର୍ଣ୍ଣାଙ୍ଗ ହସ୍ପିଟାଲରେ ପରିଣତ କରିବା ପାଇଁ ଆବଶ୍ୟକ ଭିତିଭୂମି, ରୋଗୀ ଶଯ୍ୟା, ଆଧୁନିକ ଚିକିତ୍ସା ଉପକରଣ, ଡାକ୍ତର ତଥା ସ୍ୱାସ୍ଥ୍ୟକର୍ମୀଙ୍କ ରହିବା ବ୍ୟବସ୍ଥା ଏବଂ ଜରୁରୀକାଳୀନ ସେବା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହା ସହିତ ଏହି ରୂପାନ୍ତରଣ ପ୍ରକ୍ରିୟାକୁ କିପରି ଶୀଘ୍ର କାର୍ଯ୍ୟକାରୀ କରାଯାଇପାରିବ, ସେନେଇ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଅଧିକାରୀମାନଙ୍କ ସହ ସମୀକ୍ଷା କରାଯାଇଥିଲା।

ଏହି ଅବସରରେ ବିଧାୟକ କହିଥିଲେ ଯେ, ଅଂଚଳବାସୀଙ୍କୁ ନିଜ ଜିଲ୍ଲାରେ ଉନ୍ନତ, ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା ଆମର ପ୍ରମୁଖ ଲକ୍ଷ୍ୟ। ଏହି କେନ୍ଦ୍ରଟି ଏକ ପୂର୍ଣ୍ଣାଙ୍ଗ ହସ୍ପିଟାଲରେ ପରିଣତ ହେଲେ ସ୍ଥାନୀୟ ଲୋକଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ ପଡ଼ିବ ନାହିଁ। ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସର୍ବଦା ପ୍ରାଥମିକତା ବୋଲି ପ୍ରକାଶ କରିଥିଲେ।

ଜିଲ୍ଲାପାଳ ଶ୍ରୀ ଚହ୍ୱାଣ ଏହି ପ୍ରକଳ୍ପର ସମସ୍ତ ପ୍ରଶାସନିକ ସହଯୋଗ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ପରିଦର୍ଶନ ସମୟରେ ଜିଲ୍ଲା ପ୍ରଶାସନ, ବେଦାନ୍ତ କର୍ତୃପକ୍ଷ ତଥା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande