
ଭୁବନେଶ୍ୱର, ୨୪ ଅକ୍ଟୋବର (ହି.ସ)- ସମୃଦ୍ଧ ଓଡ଼ିଶା ଗଢ଼ିବା ସ୍ୱପ୍ନ ସାକାର କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ ଚାଲିଛନ୍ତି। ରାଜ୍ୟରେ ଡବଲ୍ ଇଂଜିନ ସରକାର ଗଠନ ହେବା ପରେ ପ୍ରଗତିକୁ ଗତିଶୀଳ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ଆସନ୍ତାକାଲି ୯ମ ଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ଖୋର୍ଦ୍ଧାଠାରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଡାଟା ସେଂଟର ଓ ଟ୍ରେନିଂ ସେଂଟର ଉଦ୍ଘାଟନ କରିବେ। ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ କହିଛନ୍ତି।
ଶ୍ରୀ ସାମଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟେକଟି ଓଡ଼ିଶା ଗସ୍ତ ରାଜ୍ୟର ବିକାଶ ପାଇଁ ନୂଆ ଉପହାର ନେଇ ଆସିଥାଏ। ନିର୍ବାଚନ ପୂର୍ବରୁ ସମ୍ବଲପୁର ଓ ଚଣ୍ଡିଖୋଲରେ ଯେଉଁସବୁ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ହୋଇଥିଲା, ସେଗୁଡ଼ିକ କ୍ରିୟାନ୍ୱୟନ ହୋଇଛି। ପ୍ରଧାନମନ୍ତ୍ରୀ କେବଳ ଘୋଷଣା କରନ୍ତି ନାହିଁ, ବରଂ ତାହାକୁ ବାସ୍ତବତାରେ ପରିଣତ କରି ଲୋକଙ୍କ ସେବାରେ ଉତ୍ସର୍ଗ କରନ୍ତି। ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶାକୁ ବିଶାଳ ପୁଞ୍ଜିନିବେଶ ଆଣିଛିି ଡବଲଇଞ୍ଜିନ ସରକାର। ସେମିକଣ୍ଡକ୍ଟର, ଡାଟା ସେଂଟର, ଆଇଟି, ଖଣିଜଭିତିକ ଶିଳ୍ପ, ପେଟ୍ରୋକେମିକାଲ୍ସ, ଶକ୍ତି, କୃଷି ତଥା ପର୍ଯ୍ୟଟନ କ୍ଷେତ୍ରରେ ବିଜେପି ସରକାର ଦୃଢ଼ ପଦକ୍ଷେପ ନେଇ ରାଜ୍ୟର ଅର୍ଥନୀତିକୁ ନୂତନ ଗତି ଦେଇଛି। ଆଗାମୀ ଦିନରେ ଓଡ଼ିଶା ପୂର୍ବ ଭାରତର ପ୍ରଗତିର ମୁଖଶାଳା ହେବାକୁ ଯାଉଛି।
ପ୍ରଧାନମନ୍ତ୍ରୀଭାବେ ଦାୟିତ୍ୱ ନେବା ପରେ ମୋଦିଜୀ ଓଡ଼ିଶାର ସର୍ବାଙ୍ଗୀନ ଓ ସାମୂହିକ ବିକାଶକୁ ଗୁରୁତ୍ୱ ଦେଇଆସୁଛନ୍ତି। ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟ ତଥା ‘ସମୃଦ୍ଧ ଓଡ଼ିଶା’ ଭାବେ ଗଢ଼ିତୋଳିବା ପାଇଁ ଯାହାସବୁ ଆବଶ୍ୟକ ସେନେଇ ସେ ପଦକ୍ଷେପ ନେବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟରେ ପ୍ରଚୁର ପରିମାଣର ପ୍ରାକୃତିକ ସମ୍ପଦ, ଖଣିଖାଦାନ, ଜଳ ସମ୍ପଦ, ଜଙ୍ଗଲ ସମ୍ପଦ, ଚିଲିକା ଏବଂ ବିସ୍ତୀର୍ଣ୍ଣ ବେଳାଭୂମି ରହିଛି। ଏହି ପ୍ରାଚୁର୍ଯ୍ୟକୁ ଠିକ୍ ଭାବେ ବିନିଯୋଗ କରି ଓଡ଼ିଶାକୁ ବିକାଶର ଶୀର୍ଷରେ ପହଁଚାଇବା ପାଇଁ ମୋଦି ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ଆସନ୍ତା କାଲି ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ କାର୍ଯ୍ୟକର୍ତା ଏବଂ ଓଡ଼ିଶାବାସୀ ଉତ୍ସାହିତ ଅଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା