
ଝାରସୁଗୁଡ଼ା, ୨୪ ଅକ୍ଟୋବର (ହି.ସ.)- ଗ୍ରାମାଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହେବା ଲକ୍ଷ୍ୟରେ ଉନ୍ନତ ପରିବହନ ସେବା ଯୋଗାଇଦେବା ନିମନ୍ତେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସଆରଟିସି) ପକ୍ଷରୁ ଏକ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଆଜି କିର୍ମିରା ଗସ୍ତ କରି କିର୍ମିରା ଗ୍ରାମରେ ପ୍ରସ୍ତାବିତ ବସ୍ ଷ୍ଟାଣ୍ଡ ନିର୍ମାଣ ଲାଗି ଉପଯୁକ୍ତ ଜମି ଚିହ୍ନଟ କରିବା ସହ କ୍ଷେତ୍ର ପରିଦର୍ଶନ କରିଛନ୍ତି। ପରିଦର୍ଶନ କାଳରେ ଜିଲ୍ଲାପାଳ ଚିହ୍ନଟ ସ୍ଥାନର ଭୌଗୋଳିକ ଅବସ୍ଥିତି ତଥା ବିଭିନ୍ନ ଆବଶ୍ୟକତା ସମ୍ପର୍କରେ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।
ଏହି କ୍ଷେତ୍ର ପରିଦର୍ଶନ ସମୟରେ କିର୍ମିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ଲାକ୍ରା, ରାଜସ୍ୱ ଓ ବ୍ଲକ ପ୍ରଶାସନର ବିଭାଗୀୟ ଅଧିକାରୀ ତଥା କର୍ମଚାରୀମାନେ ଉପସ୍ଥିତ ରହିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ