
ନୂଆଦିଲ୍ଲୀ, ୨୪ ଅକ୍ଟୋବର (ହି.ସ.) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଉତର ପ୍ରଦେଶ ଏବଂ ଓଡ଼ିଶା ଗସ୍ତରେ ଯିବେ। ଏହି ଅବସରରେ ସେ ବାରାଣସୀରେ ଏକ ନୂତନ ବସ୍ତ୍ର ନିର୍ମାଣ କେନ୍ଦ୍ରର ଉଦ୍ଘାଟନ କରିବା ସହ ଭାରତୀୟ ବାୟୁସେନାର ଏଆର ପ୍ରଦର୍ଶନ ଦେଖିବେ। ଏହାପରେ ସେ ଭୁବନେଶ୍ୱରରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ନବନିର୍ମିତ ଡାଟା ସେଂଟର ଏବଂ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଉଦ୍ଘାଟନ କରିବେ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଶନିବାର ଏକ ବିବୃତିରେ କହିଛି ଯେ ମୋଦୀ ସକାଳ ପ୍ରାୟ ୧୧ଟାରେ ବାରାଣସୀରେ ଅରବିନ୍ଦ ଲିମିଟେଡ୍ର ନୂତନ ବସ୍ତ୍ର ନିର୍ମାଣ କେନ୍ଦ୍ରର ଉଦ୍ଘାଟନ କରିବେ। ଏହାପରେ ସେ ଅପରାହ୍ଣ ପ୍ରାୟ ୧ଟାରେ ନମୋ ଘାଟରେ ଆୟୋଜିତ ବାୟୁସେନା ଦିବସ ଏଆର ପ୍ରଦର୍ଶନ-୨୦୨୬ରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।
ବାରାଣସୀରେ ସ୍ଥାପିତ ନୂତନ ନିର୍ମାଣ କେନ୍ଦ୍ର ଦେଶର ବସ୍ତ୍ର ଏବଂ ପୋଷାକ ଶିଳ୍ପକୁ ମଜବୁତ କରିବା ସହ ଅଂଚଳରେ ଶିଳ୍ପ ବିକାଶକୁ ପ୍ରୋତ୍ସାହିତ କରିବ। ଏହି କେନ୍ଦ୍ରରେ ଆଧୁନିକ ନିର୍ମାଣ ପ୍ରକ୍ରିୟା ଉପରେ ଧ୍ୟାନ ଦିଆଯିବ ଏବଂ ବିଶେଷକରି ମହିଳାମାନଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି ହେବ। ଏଠାରେ ନିର୍ମିତ ଉତ୍ପାଦଗୁଡ଼ିକୁ ବିଶ୍ୱ ବଜାରରେ ପହଂଚାଯିବ। ଏହି ପଦକ୍ଷେପ ମହିଳା ନେତୃତ୍ୱାଧୀନ ବିକାଶକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚିତ ହେଉଛି। ବିଶ୍ୱର ଗ୍ରାହକଙ୍କ ପାଖରେ ପହଂଚିବାର ସୁଯୋଗ ଥିବା ଏହି ପ୍ରକଳ୍ପ ବାରାଣସୀକୁ ବସ୍ତ୍ର ନିର୍ମାଣର ଅନ୍ତର୍ଜାତୀୟ ବଜାର ସହ ଯୋଡ଼ିବାରେ ସହାୟତା କରିବ।
ବାରାଣସୀରେ ଆୟୋଜିତ ଆକାଶରେ ପ୍ରଦର୍ଶନ ଭାରତୀୟ ବାୟୁସେନାର ୯୪ ବର୍ଷ ପୂରଣ ହେବା ଅବସରରେ ହେବ। ‘ଗଙ୍ଗା ଉପରେ ଉଡ଼ାଣ’ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତେଜସ୍, ହାଲୁକା ଯୁଦ୍ଧ ହେଲିକପ୍ଟର ପ୍ରଚଣ୍ଡ, ସୁଖୋଇ-୩୦ ଏମକେଆଇ ଏବଂ ରାଫେଲ୍ ସମେତ ବିଭିନ୍ନ ବିମାନ ଅଂଶଗ୍ରହଣ କରିବେ। ପରିବହନ ବିମାନ ସହ ଭାରତୀୟ ନୌସେନା ଏବଂ ସ୍ଥଳସେନାର ବିମାନ ମଧ୍ୟ ଏଥିରେ ଭାଗ ନେବେ। ଏହା ତିନି ସେନା ମଧ୍ୟରେ ମିଳିତ ପରିଚାଳନା କ୍ଷମତାକୁ ପ୍ରଦର୍ଶନ କରିବ।
ଏହି ଅବସରରେ ବାୟୁସେନାର ସୂର୍ଯ୍ୟ କିରଣ ଏରୋବାଟିକ୍ ଟିମ୍ ଏବଂ ସାରଙ୍ଗ ହେଲିକପ୍ଟର ପ୍ରଦର୍ଶନ ଦଳ ମଧ୍ୟ ନିଜର କୌଶଳ ଦେଖାଇବେ। କାର୍ଯ୍ୟକ୍ରମରେ ବିମାନଗୁଡ଼ିକର ସଠିକ୍ ଉଡ଼ାଣ, ପାରସ୍ପରିକ ସମନ୍ୱୟ ଏବଂ ପରିଚାଳନା କ୍ଷମତାର ପ୍ରଦର୍ଶନ କରାଯିବ।
ବାରାଣସୀର କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଯିବେ। ସେ ସନ୍ଧ୍ୟା ପ୍ରାୟ ୪.୪୫ରେ ଭୁବନେଶ୍ୱରରେ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂତନ ଡାଟା ସେଂଟର ଏବଂ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଉଦ୍ଘାଟନ କରିବେ। ଏହି ଅବସରରେ ସେ ଉପସ୍ଥିତ ଲୋକଙ୍କୁ ମଧ୍ୟ ସମ୍ବୋଧିତ କରିବେ।
ଆରବିଆଇର ନୂତନ ଡାଟା ସେଂଟର ବ୍ୟାଙ୍କର କମ୍ପ୍ୟୁଟିଂ ଆବଶ୍ୟକତା ପୂରଣ କରିବା ସହ ଆର୍ôଥକ କ୍ଷେତ୍ର ପାଇଁ ସୁରକ୍ଷିତ, ଭରସାଯୋଗ୍ୟ ଏବଂ ଭବିଷ୍ୟତର ଆବଶ୍ୟକତା ଅନୁରୂପ ଡିଜିଟାଲ୍ ଭିଂତିଭୂମି ଉପଲବ୍ଧ କରାଇବ। ଏଥିରେ ଚାରିଟି ଅତ୍ୟାଧୁନିକ ଡାଟା ସେଂଟର ସ୍ଥାପନ କରାଯାଇଛି। ଏଠାରେ ପେମେଂଟଏବଂ ସେଟଲମେଂଟ ବ୍ୟବସ୍ଥା ସମେତ ଗୁରୁତ୍ୱପୂର୍ଣ୍ଣ ସେବାଗୁଡ଼ିକର ପରିଚାଳନା କରାଯିବ।
ଏହି ସୁବିଧାକୁ ଅପଟାଇମ୍ ଇନଷ୍ଟିଟ୍ୟୁଟ୍ର ଟିୟର-୪ ମାନକ ପ୍ରମାଣପତ୍ର ମିଳିଛି। ଏହାକୁ ଡାଟା ସେଂଟରର ଭିଂତିଭୂମିର ସର୍ବୋଚ୍ଚ ପରିଚାଳନାଗତ ନିର୍ଭରଯୋଗ୍ୟତା ମାନକ ମଧ୍ୟରେ ଗଣନା କରାଯାଏ। ଏହା ଡିଜିଟାଲ୍ ଆର୍ôଥକ ସେବାର ପହଂଚ, ଦକ୍ଷତା ଏବଂ ନିର୍ଭରଯୋଗ୍ୟତା ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି।
ଭୁବନେଶ୍ୱରରେ ସ୍ଥାପିତ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଉଦ୍ଦେଶ୍ୟ ବ୍ୟାଙ୍କିଙ୍ଗ୍, ଆର୍ôଥକ ସେବା ଏବଂ ବୀମା କ୍ଷେତ୍ରରେ ସାଇବର ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ କ୍ଷମତାକୁ ମଜବୁତ କରିବା। ଏଠାରେ ପ୍ରଶିକ୍ଷଣ, ଗବେଷଣା ଏବଂ ଦକ୍ଷତା ବିକାଶ ଉପରେ ଧ୍ୟାନ ଦିଆଯିବ। ପ୍ରତିଷ୍ଠାନରେ କ୍ୱାଂଟମ୍ କମ୍ପ୍ୟୁଟିଂ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ଅନ୍ୟାନ୍ୟ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ପ୍ରଶିକ୍ଷଣ ମଧ୍ୟ ଦିଆଯିବ।
-----------
ହିନ୍ଦୁସ୍ଥାନ ସମାଚାର / ଗଗନ