
ଝାରସୁଗୁଡ଼ା, ୨୪ ଅକ୍ଟୋବର (ହି.ସ.)- ହାଇକୋର୍ଟଙ୍କ ଜାମିନ ମଞ୍ଜୁର ନିର୍ଦ୍ଦେଶ ସତ୍ତ୍ୱେ ଜଣେ ପୋକ୍ସୋ ମାମଲାର ଦୋଷୀଙ୍କୁ ମୁକ୍ତ କରା ନଯିବା ଘଟଣାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ହାଇକୋର୍ଟ। ଏହି ଘଟଣାରେ ଝାରସୁଗୁଡ଼ା ସ୍ୱତନ୍ତ୍ର ପୋକ୍ସୋ କୋର୍ଟଙ୍କ ଠାରୁ କୈଫିୟତ ତଲବ କରାଯାଇଥିବା ବେଳେ ଜିଲ୍ଲା ଜେଲ୍ ଅଧୀକ୍ଷକ ଓ ସହକାରୀ ଜେଲରଙ୍କୁ ଆଭାସୀ ମାଧ୍ୟମରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୦ ତାରିଖରେ ହେବ।
ସୂଚନା ଅନୁଯାୟୀ, ଝାରସୁଗୁଡ଼ା ସ୍ୱତନ୍ତ୍ର ପୋକ୍ସୋ ଅଦାଲତର ଟିଆର୍ କେସ୍ ନଂ. ୩୪/୨୦୧୮ରେ ବିଚାର ପରେ ଜବାହରଲାଲ ବିଶ୍ୱକର୍ମାଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ହୋଇଥିଲା। ଏହି ରାୟ ବିରୋଧରେ ସେ ଜେଲ୍ କ୍ରିମିନାଲ୍ ଅପିଲ୍ ସହ ଜାମିନ ଆବେଦନ କରିଥିଲେ। ଗତ ଅଗଷ୍ଟ ୧୭ ତାରିଖରେ ଜାମିନ ଆବେଦନର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜେଲ୍ କର୍ତ୍ତୃପକ୍ଷଙ୍କ କଷ୍ଟଡି ସାର୍ଟିଫିକେଟ୍ ଦାଖଲ କରାଯାଇଥିଲା। ଏଥିରେ ଆବେଦନକାରୀ ୧୪ ବର୍ଷ ୫ ମାସ ଜେଲ୍ ରେ ରହିସାରିଥିବା ଦର୍ଶାଯାଇଥିଲା। ଅପିଲ୍ ର ଶୀଘ୍ର ଶୁଣାଣି ହେବାର ସମ୍ଭାବନା କମ୍ ଥିବା ଏବଂ ଦୀର୍ଘ ସମୟ ଧରି ଜେଲ୍ ରେ ରହିଥିବା ଆଧାରରେ ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ନିୟମିତ ଜାମିନ ପ୍ରଦାନ କରିଥିଲେ। ତେବେ ଆଦେଶର ପ୍ରମାଣିତ ନକଲ ମିଳିବା ପରେ ଆବେଦନକାରୀଙ୍କ ଓକିଲ ସିଦ୍ଧାର୍ଥ ଶଙ୍କର ରାୟ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଜଣାଇଥିଲେ ଯେ, ଜେଲ୍ ରେ ରହିବାର ସମୟସୀମା ସମ୍ପର୍କରେ ଦାଖଲ ତଥ୍ୟ ଠିକ୍ ନୁହେଁ। ଆବେଦନକାରୀ ୧୦ ସେପ୍ଟେମ୍ବର ୨୦୧୮ରୁ ଜେଲ୍ ରେ ଅଛନ୍ତି। ଏହାପରେ ରାଜ୍ୟ ସରକାର ମଧ୍ୟ ଜେଲ୍ କର୍ତ୍ତୃପକ୍ଷଙ୍କ ରିପୋର୍ଟରେ ତ୍ରୁଟି ଥିବା ସ୍ୱୀକାର କରିଥିଲେ। ପ୍ରକୃତରେ ଆବେଦନକାରୀ ୮ ବର୍ଷ ୨ ମାସ ୧୧ ଦିନ ଜେଲ୍ ରେ ରହିଥିବା ସରକାରଙ୍କ ପକ୍ଷରୁ ଅଦାଲତଙ୍କୁ ଅବଗତ କରାଯାଇଥିଲା। ତତ୍କାଳୀନ ଜେଲ୍ ଅଧୀକ୍ଷକ ଛୁଟିରେ ଥିବାରୁ ଭାରପ୍ରାପ୍ତ ସହକାରୀ ଜେଲର ଭୁଲ୍ ରିପୋର୍ଟ ଦେଇଥିବା ଦର୍ଶାଇ ଜାମିନ ଆଦେଶ ପ୍ରତ୍ୟାହାର ପାଇଁ ସରକାର ନିବେଦନ କରିଥିଲେ।
ଅନ୍ୟପକ୍ଷରେ, ହାଇକୋର୍ଟଙ୍କ ଜାମିନ ଆଦେଶ ଝାରସୁଗୁଡ଼ା ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ଦାଖଲ ହୋଇଥିଲେ ମଧ୍ୟ ଆବେଦନକାରୀ ୨୦୧୮ରୁ ଜେଲ୍ ରେ ଥିବା ଦର୍ଶାଇ ତାଙ୍କୁ ମୁକ୍ତ କରିବାକୁ ନିମ୍ନ ଅଦାଲତ ମନା କରିଦେଇଥିଲେ। ଏହାପରେ ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଘଟଣା ସମ୍ପର୍କରେ ଜଣାଯାଇଥିଲା। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ଜାମିନ ଆଦେଶ କାର୍ଯ୍ୟକାରୀ ନହେବାର କାରଣ ସମ୍ପର୍କରେ ଝାରସୁଗୁଡ଼ା ସ୍ୱତନ୍ତ୍ର କୋର୍ଟଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ଏଥିସହ ଜିଲ୍ଲା ଜେଲ୍ ଅଧୀକ୍ଷକ ଓ ସହକାରୀ ଜେଲରଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଆଦେଶ ଦିଆଯାଇଛି।
ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଶଙ୍କର ରାୟ ମାମଲା ପରିଚାଳନା କରୁଥିବା ବେଳେ ସରକାରଙ୍କ ପକ୍ଷରୁ ଅତିରିକ୍ତ ଷ୍ଟାଣ୍ଡିଂ କାଉନସେଲ୍ ସାରଥୀ ଜ୍ୟୋତି ମହାନ୍ତି ଯୁକ୍ତି ଉପସ୍ଥାପନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ