
କାକଦ୍ୱୀପକୁ ସ୍ୱତନ୍ତ୍ର ଜିଲ୍ଲା ଗଠନ ପାଇଁ ଆଶ୍ୱାସନ
୨୦୨୯ରେ ମୁଡ଼ିଗଙ୍ଗା ସେତୁ ଉଦ୍ଘାଟନ ଲକ୍ଷ୍ୟ
କାକଦ୍ୱୀପ (ଦକ୍ଷିଣ ୨୪ ପରଗଣା), ୨୪ ଅକ୍ଟୋବର (ହି.ସ.)। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସୁନ୍ଦରବନର ସାମଗ୍ରିକ ବିକାଶ ଏବଂ ଗଙ୍ଗାସାଗର ମେଳାକୁ ଅନ୍ତର୍ଜାତୀୟ ସ୍ତରରେ ବିକଶିତ କରିବା ନେଇ ଘୋଷଣା କରିଛନ୍ତି। ଏଥିସହ କାକଦ୍ୱୀପକୁ ଏକ ସ୍ୱତନ୍ତ୍ର ଜିଲ୍ଲା ଭାବେ ଗଠନ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି।
ଶନିବାର କାକଦ୍ୱୀପରେ ଆୟୋଜିତ ଏକ ସଭାକୁ ସମ୍ବୋଧିତ କରି ସେ ସୁନ୍ଦରବନର ବିକାଶ ପାଇଁ ଅନେକ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଏଥିସହ ମୁଡ଼ିଗଙ୍ଗା ନଦୀ ଉପରେ ନିର୍ମାଣାଧୀନ ସେତୁର କାମ ଶେଷ କରି ୨୦୨୯ରେ ଏହାକୁ ଉଦ୍ଘାଟନ କରିବାର ଲକ୍ଷ୍ୟ ରଖାଯାଇଥିବା ଘୋଷଣା କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ତାଙ୍କ ସରକାର ସୁନ୍ଦରବନକୁ ବିକାଶର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଚାହୁଁଛନ୍ତି। ସୁନ୍ଦରବନ ବିକାଶ ବିଭାଗର ସେବାକୁ ଦୁର୍ଗମ ଅଞ୍ଚଳରେ ପହଞ୍ଚାଇବା ସହ ଆଗାମୀ କିଛି ମାସ ମଧ୍ୟରେ ବ୍ୟାପକ ବିକାଶମୂଳକ କାର୍ଯ୍ୟ କରାଯିବ। ପୂର୍ବ ସରକାର ବିକାଶ ପାଇଁ ଆବଣ୍ଟିତ ଅର୍ଥର ଉପଯୁକ୍ତ ବିନିଯୋଗ କରିନଥିବା ଏବଂ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସେ ଅଭିଯୋଗ କରିଥିଲେ।
ସୁନ୍ଦରବନରେ ଯୋଗାଯୋଗ ବ୍ୟବସ୍ଥା ଓ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜଳ ନିଷ୍କାସନ ବ୍ୟବସ୍ଥାକୁ ଉନ୍ନତ କରାଯିବ। ଏଥିସହ କଲଭର୍ଟ ଏବଂ ଯାତାୟାତ ସୁବିଧା ପାଇଁ ପଣ୍ଟୁନ୍ ଜେଟି ନିର୍ମାଣ କରାଯିବ। ପର୍ଯ୍ୟଟନ ଓ କୃଷି କ୍ଷେତ୍ରର ବିକାଶ ପାଇଁ ମଧ୍ୟ ଅନେକ ପଦକ୍ଷେପ ନିଆଯାଉଛି।
ମୁଡ଼ିଗଙ୍ଗା ନଦୀ ଉପରେ ନିର୍ମାଣାଧୀନ ସେତୁ ସମ୍ପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୨୯ରେ ଏହି ସେତୁର ଉଦ୍ଘାଟନ କରାଯିବ। ପୂର୍ବ ସରକାର ସେତୁ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଜମି ଅଧିଗ୍ରହଣ ଓ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରସ୍ତୁତି ଭଳି ଆବଶ୍ୟକ କାର୍ଯ୍ୟ କରିନଥିବା ସେ ଅଭିଯୋଗ କରିଥିଲେ।
ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ୪ ଲକ୍ଷ ୮୧ ହଜାର ୨୪୨ଟି ନୂଆ ଘର ନିର୍ମାଣ କରିବାକୁ ଘୋଷଣା କରିଥିଲେ। ଆବାସ ଯୋଜନାରେ କଥିତ ଦୁର୍ନୀତି ସମ୍ପର୍କରେ ଅଭିଯୋଗ କରି ସେ କହିଥିଲେ ଯେ, ପୂର୍ବରୁ ଗୋଶାଳାକୁ ଘର ବୋଲି ଦର୍ଶାଇ ମଧ୍ୟ ଘର ନିର୍ମାଣ ପାଇଁ ଅର୍ଥ ନିଆଯାଇଥିଲା।
ସ୍ୱାସ୍ଥ୍ୟସେବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅଞ୍ଚଳବାସୀଙ୍କୁ ଆୟୁଷ୍ମାନ ଭାରତ ଓ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବୀମା ଯୋଜନାର ପରିସରଭୁକ୍ତ କରିବା ବିଷୟରେ କହିଥିଲେ। କାକଦ୍ୱୀପର ଶରଣାର୍ଥୀ ପରିବାରଗୁଡ଼ିକୁ ଖୁବ୍ଶୀଘ୍ର ନାଗରିକତା ସଂଶୋଧନ ଆଇନ (ସିଏଏ) ଅଧୀନରେ ପ୍ରମାଣପତ୍ର ଯୋଗାଇଦେବା ପାଇଁ ମହକୁମା ଶାସକଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ। ନିଶାଦ୍ରବ୍ୟ ଚୋରାଚାଲାଣ ଓ ବେଆଇନ ବିକ୍ରି ରୋକିବା ପାଇଁ ସେ ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଝିଅମାନଙ୍କୁ ୧୮ ବର୍ଷ ବୟସ ପୂରଣ ହେବା ପୂର୍ବରୁ ବିବାହ ନକରିବାକୁ ସେ ଲୋକଙ୍କୁ ଅନୁରୋଧ କରିଥିଲେ।
ଅମ୍ଫାନ୍ ବାତ୍ୟା ରିଲିଫ୍ ପାଣ୍ଠିରେ କଥିତ ଅନିୟମିତତା ଏବଂ ୨୦୨୧ ବିଧାନସଭା ନିର୍ବାଚନ ପରବର୍ତ୍ତୀ ହିଂସା ସମ୍ପର୍କିତ ଅଭିଯୋଗ ଦାଖଲ କରିବାକୁ ସେ ଲୋକମାନଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। କାକଦ୍ୱୀପର ସୂର୍ଯ୍ୟନଗରରେ ମା’ କାଳୀଙ୍କ ମୂର୍ତ୍ତିକୁ ପ୍ରିଜନ୍ ଭ୍ୟାନ୍ରେ ନିଆଯିବା ଘଟଣା ଉପରେ ମଧ୍ୟ ସେ ନିଜର ମତ ରଖିଥିଲେ।
ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ଯେ, ଆସନ୍ତା ଜାନୁଆରୀ ୧୦ ତାରିଖରେ ସେ ଗଙ୍ଗାସାଗର ମେଳାର ଉଦ୍ଘାଟନ ପାଇଁ ଆସିବେ। ମେଳାକୁ ଅନ୍ତର୍ଜାତୀୟ ସ୍ତରରେ ବିକଶିତ କରିବା ସହ ସୁନ୍ଦରବନକୁ ବିକାଶର ଏକ ଆଦର୍ଶ ମଡେଲ୍ରେ ପରିଣତ କରିବାକୁ ସେ ଆଶ୍ୱାସନା ଦେଇଥିଲେ। ଏଥିସହ କାକଦ୍ୱୀପକୁ ଏକ ସ୍ୱତନ୍ତ୍ର ଜିଲ୍ଲା ଭାବେ ଗଠନ କରିବା ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା