
ବଲାଙ୍ଗିର, ୨୪ ଅକ୍ଟୋବର (ହି.ସ.)- ସଂସ୍କୃତ ଭାଷାର ପ୍ରଚାର-ପ୍ରସାର ଏବଂ ଦୈନନ୍ଦିନ ଜୀବନରେ ସଂସ୍କୃତ କଥୋପକଥନକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ସଂସ୍କୃତଭାରତୀ, ବଲାଙ୍ଗୀର ଜନପଦ, ଉତ୍କଳ (ପଶ୍ଚିମ ପ୍ରାନ୍ତ) ପକ୍ଷରୁ ଆୟୋଜିତ ତ୍ରିଦିବସୀୟ ଭାଷାବୋଧନ ବର୍ଗର ଉଦଯାପନୀ ସମାରୋହ ଆଜି ବଲାଙ୍ଗୀର କଲେଜଛକସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା।
ସଂସ୍କୃତଭାରତୀର ପ୍ରାନ୍ତ ପ୍ରଚାର ପ୍ରମୁଖ ତଥା ପଥରଚେପା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶେଷଦେବ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ବର୍ଗର ବିବରଣୀ ଉପସ୍ଥାପନ ଡ. ରାଧାନାଥ ଦିଶ୍ରୀ କରିଥିଲେ।
ମୁଖ୍ୟବକ୍ତା ଭାବେ ସଂସ୍କୃତଭାରତୀର ପ୍ରାନ୍ତ ସହମନ୍ତ୍ରୀ ଡ. ମାନସରଞ୍ଜନ ସାହୁ, ମୁଖ୍ୟ ଅତିଥି ଭାବେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ, ଉତ୍କଳ (ପଶ୍ଚିମ ପ୍ରାନ୍ତ)ର ସଭାପତି ଇଞ୍ଜିନିୟର କିଶୋର ମୋହନ ମିଶ୍ର ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବଲାଙ୍ଗୀର ଜିଲ୍ଲା କାର୍ଯ୍ୟବାହ ସୁଶାନ୍ତ କୁମାର ନାୟକ ଏବଂ ବରେଣ୍ୟ ଅତିଥି ଭାବେ ମୃଣ୍ମୟୀ ମିଶ୍ର ଓ ବଲାଙ୍ଗୀର ନଗର କାର୍ଯ୍ୟବାହ ବୀରକିଶୋର ସୁନା ଉପସ୍ଥିତ ଥିଲେ। ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର କୁମାର ମିଶ୍ର ସମାରୋହରେ ସଭାପତିତ୍ୱ କରିଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଲୋକନାଥ ପ୍ରଧାନ ମଙ୍ଗଳାଚରଣ କରିଥିବା ବେଳେ ହୀରାକାନ୍ତି ମାଝୀ ଧ୍ୟେୟମନ୍ତ୍ର ପାଠ କରିଥିଲେ। ମିଥୁନ ବାଗ୍ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଙ୍ଗୀତା ବାବୁ ଶାନ୍ତିପାଠ କରିଥିଲେ। ଈଶ୍ୱର ଗଡ଼ତିଆ ସଭା ପରିଚାଳନା କରିଥିଲେ ଏବଂ ଉମେଶ ବାରିକ, ମାଲିକ ଲାଲ ବର୍ମାଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ସହଯୋଗ କରିଥିଲେ। ଏଥିରେ ୫୫ ଜଣ ପ୍ରଶିକ୍ଷାର୍ଥୀ ସମ୍ପୂର୍ଣ୍ଣ ସଂସ୍କୃତମୟ ପରିବେଶରେ କୌଣସି ଜଟିଳ ବ୍ୟାକରଣ ନ ପଢ଼ି କ୍ରୀଡା, ଗୀତ, ମନୋରଞ୍ଜନ ମାଧ୍ୟମରେ ସହଜ ଉପାୟରେ ସଂସ୍କୃତ କହିବା ଶିଖିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ